BJD Corporator
କଟକ ମହାନଗର ନିଗମ (ସିଏମ୍ସି)ର ୨୨ ନମ୍ବର ୱାର୍ଡର କର୍ପୋରେଟର ଚନ୍ଦନ ଜେନାଙ୍କ ନାଁରେ ମାମଲା ରୁଜୁ କରିଛି ପୁରୀଘାଟ ଥାନା ପୁଲିସ। ଜଣେ ବରିଷ୍ଠ ନାଗରିକଙ୍କୁ ପଥରରେ ଆକ୍ରମଣ କରିବା ସହିତ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିଥିବା ଅଭିଯୋଗରେ ପୁଲିସ ତାଙ୍କ ବିରୋଧରେ ମାମଲା ରୁଜୁ କରିଛି।
ବିଜେଡି କର୍ପୋରେଟରଙ୍କ ନାଁରେ ଅଭିଯୋଗ ଆଣିଥିବା ବରିଷ୍ଠ ନାଗରିକଙ୍କ ନାଁ ସୁବ୍ରତ କୁମାର ସରକାର (୬୮)। ସେ କଟକର ପୁରୀଘାଟ ଥାନା ୱାର୍ଡ ନମ୍ବର ୨୨ର କେଶରପୁର ଅଞ୍ଚଳର ବାସିନ୍ଦା।
ଶ୍ରୀ ସରକାର ଅଭିଯୋଗ କରିଛନ୍ତି ଯେ ଗତ ୧ ତାରିଖ ସକାଳ ପ୍ରାୟ ୧୦ଟା ବେଳେ କର୍ପୋରେଟର ଚନ୍ଦନ ଜେନା ଅତି ନିର୍ଦ୍ଦୟ ଭାବେ ତାଙ୍କୁ ଆକ୍ରମଣ କରିଥିଲେ। ତାଙ୍କ ପ୍ଳଟକୁ ମାଡ଼ି ପାଚେରୀ ଉପରେ ଜୋରଜବରଦସ୍ତ ବେଆଇନ ଭାବେ ଘର ନିର୍ମାଣ କରାଯାଉଥିବା ବେଳେ ସେ ଏହାକୁ ବିରୋଧ କରିଥିଲେ। ତାଙ୍କ ବିରୋଧ ନ୍ୟାୟୋଚିତ ଥିବା ବେଳେ କର୍ପୋରେଟର ଚନ୍ଦନ ଜେନା ବଡ଼ ବଡ଼ ପଥରରେ ତାଙ୍କୁ ଏକାଧିକ ଥର ଆକ୍ରମଣ କରି କ୍ଷତି ପହଞ୍ଚାଇବାକୁ ଉଦ୍ୟମ କରିଥିଲେ। ତେବେ ଭଗବାନଙ୍କ ଦୟାରୁ ସେ ବଞ୍ଚିଯାଇଥିଲେ। କିନ୍ତୁ ଏତିକିରେ ଚନ୍ଦନ ଜେନା ଶାନ୍ତ ପଡ଼ି ନଥିଲା। ସେ ତାଙ୍କୁ ଓ ତାଙ୍କ ପରିବାର ଲୋକଙ୍କୁ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିବା ସହିତ ଅପମାନିତ କରିଥିଲେ। କର୍ପୋରେଟରଙ୍କ ବ୍ୟବହାର ତାଙ୍କୁ ମାନସିକ ଆଘାତ ମଧ୍ୟ ପହଞ୍ଚାଇଛି। ସେ ଏବେ ନିଜର ତଥା ତାଙ୍କ ପରିବାରର ସୁରକ୍ଷାକୁ ନେଇ ଚିନ୍ତିତ ଅଛନ୍ତି। ଆଗକୁ ଯେମିତି ତାଙ୍କର ଓ ତାଙ୍କ ପରିବାରର କିଛି ଅନିଷ୍ଟ ନହୁଏ, ସେଥିପାଇଁ ସୁରକ୍ଷା ଯୋଗାଇ ଦେବାକୁ ସେ ପୁଲିସ ନିକଟରେ ଦାବି କରିଛନ୍ତି।
ଏହା ସହିତ ଶ୍ରୀ ସରକାର ସ୍ପଷ୍ଟ ଭାବେ ଏତଲାରେ ଦର୍ଶାଇଛନ୍ତି ଯେ ଯଦି ଭବିଷ୍ୟତରେ ତାଙ୍କର ଅବା ତାଙ୍କ ପରିବାରର କୌଣସି ସଦସ୍ୟଙ୍କର କୌଣସି ପ୍ରକାର ଅନିଷ୍ଟ ହୁଏ, ତା’ହେଲେ ସେଥିପାଇଁ କର୍ପୋରେଟର ଚନ୍ଦନ ଜେନା ସଂପୂର୍ଣ୍ଣ ଦାୟୀ ରହିବେ। ଅନ୍ୟପଟେ ଘଟଣା ସମୟର ସିସିଟିଭି ଫୁଟେଜ ମଧ୍ୟ ଭାଇରାଲ ହେଇଛି। କିନ୍ତୁ ଏ ବାବଦରେ କର୍ପୋରେଟର ଚନ୍ଦନ ଜେନାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1751793165.jpg)