Advertisment

ସଂଯୁକ୍ତା ମହଲାଙ୍କୁ ଦୁର୍ବ୍ୟବହାର ଅଭିଯୋଗ, ପୂର୍ବତନ ବିଧାୟକ ଶ୍ରୀକାନ୍ତ ସାହୁଙ୍କ ନାଁରେ ମାମଲା

ସଂଯୁକ୍ତା ମହଲା ନାମ୍ନୀ ମହିଳାଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ଶ୍ରୀକାନ୍ତ ଓ ତାଙ୍କ ପରିବାର ସଦସ୍ୟଙ୍କ ନାଁରେ ରୁଜୁ ହୋଇଛି ମାମଲା।

author-image
Niharika Rout
ଅଦ୍ୟତନ ହୋଇଛି
Sanjukta Mahala & Srikanta Sahoo

Sanjukta Mahala & Srikanta Sahoo

ଗଞ୍ଜାମ ପୋଲସରା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଜେଡି ବିଧାୟକ ଶ୍ରୀକାନ୍ତ ସାହୁଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ସଂଯୁକ୍ତା ମହଲା ନାମ୍ନୀ ମହିଳାଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ଶ୍ରୀକାନ୍ତ ଓ ତାଙ୍କ ପରିବାର ସଦସ୍ୟଙ୍କ ନାଁରେ ରୁଜୁ ହୋଇଛି ମାମଲା। କବିସୂର୍ଯ୍ୟନଗର ଥାନାରେ ଏନେଇ ମାମଲା ରୁଜୁ ହୋଇଥିବା ବେଳେ ତଦନ୍ତ ଆରମ୍ଭ କରିଛି ପୁଲିସ୍‌ ।

Advertisment

ଗତ ଫେବୃଆରୀ ୧୪ ତାରିଖରେ ସଂଯୁକ୍ତା ମହଲା ନ୍ୟାୟ ଦାବିରେ ପୂର୍ବତନ ବିଧାୟକଙ୍କ ହାତୀଓଟା ସ୍ଥିତ ବାସଭବନକୁ ଯାଇଥିଲେ। ସେଠାରେ ତାଙ୍କୁ ପୂର୍ବତନ ବିଧାୟକ, ତାଙ୍କ ବାପା, ଭାଇ, ଭାଇବୋହୂଙ୍କ ସମେତ ପରିବାର ସଦସ୍ୟ ଅସଭ୍ୟଭାଷାରେ ଗାଳିଗୁଲଜ କରିବା ସହ ମାରପିଟ କରିଥିଲେ।

ଏନେଇ ସେ ଗତ ମାର୍ଚ୍ଚରେ କବିସୂର୍ଯ୍ୟନଗର ଥାନାରେ ଏତଲା ଦେଇଥିବା ବେଳେ ପୁଲିସ୍‌ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରି ଓଲଟା ତାଙ୍କୁ ଜେଲ୍‌ ପଠାଇ ଦେଇଥିଲା ବୋଲି ସଂଯୁକ୍ତା ନିଜ ଏତଲାରେ ଦର୍ଶାଇଛନ୍ତି।

Advertisment

ଏହାପରେ ସଂଯୁକ୍ତା ମହଲା ଡାକ ଯୋଗେ କବି ସୂର୍ଯ୍ୟନଗର ଥାନାକୁ ଏତଲା ପଠାଇବା ପରେ ତାହାକୁ ଆଧାର କରି ପୁଲିସ ମାମଲା ରୁଜୁ କରିଛି l ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କବିସୂର୍ଯ୍ୟନଗର ଥାନା ଅଧିକାରୀ ସୂଚନା ଦେଇଛନ୍ତି। ଏନେଇ ଶ୍ରୀକାନ୍ତ ସାହୁ କି ତାଙ୍କ ପରିବାର ସଦସ୍ୟଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ l

ପୂର୍ବତନ ବିଧାୟକ ଶ୍ରୀ ସାହୁ ୯ ବର୍ଷ ଧରି ତାଙ୍କ ସହିତ ରିଲେସନ୍‌ଶିପ୍‌ରେ ରହିବା ପରେ ପ୍ରତାରଣା କରିଛନ୍ତି ବୋଲି ସଂଯୁକ୍ତା ମହଲା ଅଭିଯୋଗ କରିଥିଲେ। ଏହି ଅଭିଯୋଗ କରି ଗତ ବର୍ଷ ଜୁଲାଇରେ ସଂଯୁକ୍ତା ମହଲା ଭୁବନେଶ୍ୱର ମହିଳା ଥାନାରେ ବିଧାୟକ ଶ୍ରୀକାନ୍ତ ସାହୁଙ୍କ ନାଁରେ ଏତଲା ଦେଇଥିଲେ। ଏତଲା ଦେବା ପରେ ବି ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନଥିବା ଦର୍ଶାଇ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। 

Ganjam