Advertisment

ଏଟିଏମ୍‌ରେ ଟଙ୍କା ଭରିବାକୁ ଯାଉଥିଲେ, ଦେଢ଼ କୋଟିରୁ ଅଧିକ ଟଙ୍କା ଭର୍ତ୍ତି ଟ୍ରଙ୍କ ନେଇଗଲେ ଦୁର୍ବୃତ୍ତ

୧୩ଟି ଏଟିଏମ୍‌ରେ ଟଙ୍କା ଭର୍ତ୍ତି ହୋଇଥାଆନ୍ତା। ମାତ୍ର ୪ଟି ଏଟିଏମ୍‌ରେ ଟଙ୍କା ଭର୍ତ୍ତି ହେବା ପରେ ଘଟିଥିଲା ଏହି ଲୁଟ୍ ଘଟଣା।

ଅଦ୍ୟତନ ହୋଇଛି
ATM VAN

ATM VAN

Advertisment

କଟକ ଜିଲ୍ଲା ତିଗିରିଆ ଥାନା ଗୋଡ଼ିଝରିଆ ନିକଟରେ ଆଜି କିଛି ଦୁର୍ବୃତ୍ତ ବନ୍ଧୁକ ଦେଖାଇ ଏଟିଏମ୍‌ରେ ଟଙ୍କା ଭରିବାକୁ ଯାଉଥିବା ଭ୍ୟାନ୍‌ରୁ ଟଙ୍କା ଭର୍ତ୍ତି ଟ୍ରଙ୍କ ଲୁଟି ନେଇଥିବା ଅଭିଯୋଗ ହୋଇଛି। ଉକ୍ତ ଟ୍ରଙ୍କରେ ଦେଢ଼ କୋଟିରୁ ଅଧିକ ଟଙ୍କା ଥିବା କୁହାଯାଉଛି।

Advertisment

ଆଜି ସିକ୍ୟୋର ଭାଲ୍ୟୁ ନାମକ ସଂସ୍ଥାର କର୍ମଚାରୀମାନେ ଆଠଗଡ଼ ଏସ୍‌ବିଆଇରୁ ଟଙ୍କା ଉଠାଇ ବିଭିନ୍ନ ଏଟିଏମ୍‌ରେ ଭରିବାକୁ ଯାଇଥିଲେ। ସେମାନେ ୨ କୋଟିରୁ ଅଧିକ ଟଙ୍କା ଉଠାଇଥିଲେ। ମୋଟ ୧୩ଟି ଏଟିଏମ୍‌ରେ ସେମାନେ ଏହି ଟଙ୍କା ଭରି ଥାଆନ୍ତେ। ତେବେ ମାତ୍ର ଚାରୋଟି ଏଟିଏମ୍‌ରେ ଟଙ୍କା ଭର୍ତ୍ତି କରିବା ପରେ ସେମାନେ ଲୁଟ୍‌ର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି।

ସିକ୍ୟୋର ଭାଲ୍ୟୁ ସଂସ୍ଥା ପକ୍ଷରୁ ଟଙ୍କା ନେଇ ଯାଉଥିବା ଗାଡ଼ିରେ ଜଣେ ସୁରକ୍ଷା କର୍ମଚାରୀଙ୍କୁ ମିଶାଇ ମୋଟ ଚାରି ଜଣ ଥିଲେ। ସେମାନେ ଗୋଡ଼ିଝରିଆରେ ଏଟିଏମ୍‌ରେ ଟଙ୍କା ଭର୍ତ୍ତି କରି ଫେରୁଥିବା ବେଳେ ଏକ ନିଛାଟିଆ ସ୍ଥାନରେ ଗାଡ଼ି ଉପରକୁ ଏକ ପଥର ମାଡ଼ ହୋଇଥିଲା। ତେଣୁ ଡ୍ରାଇଭର ଗାଡ଼ିର ବେଗ କମାଇ ଦେଇଥିଲେ। ସେତେବେଳେ ଏକ ସ୍କୋର୍ପିଓ, ଗୋଟିଏ ବାଇକ ଓ ଗୋଟିଏ ସ୍କୁଟି ସେମାନଙ୍କ ବାଟ ଓଗାଳିଥିଲେ। ଏହି ସବୁ ଗାଡ଼ିରେ ଆସିଥିବା ୮ରୁ ଅଧିକ ଲୋକ ମୁହଁରେ କପଡ଼ା ବାନ୍ଧିଥିଲେ। ସେମାନଙ୍କ ହାତରେ ବନ୍ଧୁକ ଓ ଅନ୍ୟାନ୍ୟ ମାରଣାସ୍ତ୍ର ଥିଲା। ସିକ୍ୟୋର ଭାଲ୍ୟୁ ସଂସ୍ଥାର ଗାଡ଼ି ଅଟକି ଯିବା ପରେ ଦୁର୍ବୃତ୍ତମାନେ ଗାଡ଼ିରୁ ଓହ୍ଲାଇ ଆସି କେହି କିଛି ବୁଝିବା ପୂର୍ବରୁ ସମସ୍ତଙ୍କ ମୁଣ୍ଡରେ ବନ୍ଧୁକ ରଖି ଦେଇଥିଲେ। ଗାଡ଼ିରେ ଥିବା ସୁରକ୍ଷାକର୍ମଚାରୀଙ୍କ ଠାରୁ ବନ୍ଧୁକ ଛଡ଼ାଇ ନେଇଥିଲେ। ସମସ୍ତଙ୍କ ଠାରୁ ମୋବାଇଲ ଛଡ଼ାଇ ନେବା ସହ ଗାଡ଼ି ଠାରୁ ଦୂରରେ ଛିଡ଼ା ହେବାକୁ କହିଥିଲେ ଓ ଗାଡ଼ିରେ ଥିବା ଟଙ୍କା ଭର୍ତ୍ତି ଟ୍ରଙ୍କ ନେଇ ଫେରାର ହୋଇଯାଇଥିଲେ।

Advertisment

ସିକ୍ୟୋର ଭାଲ୍ୟୁର ଲୋର୍ଡର ବୟ ସଞ୍ଜୟ ସ୍ୱାଇଁ କହିଛନ୍ତି, ସବୁ ଦିନ ଭଳି ଆଜି ମଧ୍ୟ ଏସ୍‌ବିଆଇରୁ ଟଙ୍କା ଉଠାଇଥିଲୁ। ମାଧପୁର ଏଟିଏମ୍‌, ଆଠଗଡ଼ରେ ଦୁଇଟି ଏଟିଏମ୍‌ ଓ ଗୋଡ଼ିଝରିଆରେ ଗୋଟିଏ ଏଟିଏମ୍‌ରେ ଟଙ୍କା ଭର୍ତ୍ତି କରିଥିଲୁ। ଗୋଡ଼ିଝରିଆରେ ଟଙ୍କା ଭର୍ତ୍ତି କରି ଅନ୍ୟ ଏଟିଏମ୍‌କୁ ଯାଉଥିବା ବେଳେ ଦୁର୍ବୃତ୍ତମାନେ ଟଙ୍କା ଭର୍ତ୍ତି ଟ୍ରଙ୍କ ନେଇ ଯାଇଥିଲେ। ଦୁର୍ବୃତ୍ତମାନେ ଓଡ଼ିଆରେ କଥା ହେଉଥିଲେ। ସେମାନେ ଆମକୁ ଗାଳିଗୁଲଜ କରିଥିଲେ। ଆହୁରି ୯ଟା ଏଟିଏମ୍‌ରେ ଟଙ୍କା ଭର୍ତ୍ତି କରିବାର ଥିଲା। ଟ୍ରଙ୍କରେ ଦେଢ଼ କୋଟିରୁ ଅଧିକ ଟଙ୍କା ଥିଲା।

ଏହି ଘଟଣା ପରେ ତିଗିରିଆ ଓ ଆଠଗଡ଼ ପୁଲିସ୍ ପକ୍ଷରୁ ତନାଘନା ଜାରି ରହିଛି। ଆଠଗଡ଼ରେ ବିଭିନ୍ନ ସ୍ଥାନରେ ନାକାବନ୍ଦୀ କରାଯାଇଛି। ଏହା ସହିତ ଟଙ୍କା ନେଇ ଯାଉଥିବା ସମସ୍ତ କର୍ମଚାରୀଙ୍କୁ ପୁଲିସ ପକ୍ଷରୁ ପଚରାଉଚରା କରାଯାଉଛି। ଅନେକ ସମୟରେ ଦେଖାଯାଇଛି, ଏଭଳି ଲୁଟ୍‌ରେ ସାଧାରଣତଃ ଟଙ୍କା ଭର୍ତ୍ତି କରିବାକୁ ଯାଉଥିବା କର୍ମଚାରୀମାନଙ୍କର ହାତ ଥାଏ। ଏହି କ୍ଷେତ୍ରରେ ସେଭଳି କିଛି ଘଟିଛି ନା ନାହିଁ, ସେ ଦିଗରେ ବି ପୁଲିସ୍ ତଦନ୍ତ କରୁଛି।

କଟକ ଗ୍ରାମାଞ୍ଚଳ ଏସ୍‌ପି ମିହିର ପଣ୍ଡା କହିଛନ୍ତି, ଆମେ ବିଭିନ୍ନ ସ୍ଥାନରେ ନାକାବନ୍ଦୀ କରିଛୁ। ପଡ଼ୋଶୀ ଜିଲ୍ଲାଗୁଡ଼ିକ ସହିତ ଯୋଗାଯୋଗରେ ଅଛୁ। ଘଟଣାର ତଦନ୍ତ କରିବା ପାଇଁ ଓ ଲୁଟେରାମାନଙ୍କୁ ଧରିବା ପାଇଁ ୩ଟି ଟିମ୍ ଗଠନ କରାଯାଇଛି। ବିଭିନ୍ନ ଦିଗକୁ ନେଇ ଏହି ଘଟଣାର ତଦନ୍ତ ଚାଲିଛି।

Loot ATM Loot SBI Lootera
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe