Advertisment

ଆତ୍ମଘାତୀ ବିସ୍ଫୋରଣ ବେଳର ଭିଡିଓ ଆସିଲା, ଘଟଣା ପଛରେ ଆଇଏସ

୧୦ କେଜି ବିସ୍ଫୋରକ ଦ୍ୱାରା ଜଣେ ଆତଙ୍କବାଦୀ ଆତ୍ମଘାତୀ ହମଲା କରିଛି। ସଭା ସ୍ଥଳର ପ୍ରଥମ ଧାଡ଼ିରେ ହିଁ ଯୋଜନା ମୁତାବକ ଆତଙ୍କବାଦୀ ଜଣକ ବସି ରହିଥିଲା।

author-image
Hemant Lenka
Pakistan

Pakistan

ପାକିସ୍ତାନର ଖାୟବର ପାଖତୁନଖ୍ୱା ଠାରେ ହୋଇଥିବା ଆତ୍ମଘାତୀ ହମଲା ବେଳର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ବାଜାଉର ଜିଲ୍ଲାରେ ଜାମିଆ ଉଲେମା ଇସଲାମ ଫଜଲ(ଜେୟୁଆଇ-ଏଫ)ର କାର୍ଯ୍ୟକ୍ରମରେ ରବିବାର ଅପରାହ୍ନରେ ବିସ୍ଫୋରଣ ହୋଇଥିଲା। ଏଥିରେ ୪୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ମୃତାହତଙ୍କ ମଧ୍ୟରେ ଛୋଟ ପିଲା ମଧ୍ୟ ରହିଛନ୍ତି।

Advertisment

ବୈଠକ ବେଳେ ସେଠାରେ ଉପସ୍ଥିତ ଲୋକମାନେ ବେଶ ହସଖୁସରେ ନିଜ ନେତାମାନେ ଦେଉଥିବା ଭାଷଣ ଶୁଣୁଥିଲେ। ସେମାନେ ନେତାଙ୍କ ସପକ୍ଷରେ ନାରାବାଜୀ କରୁଥିବା ବେଳେ ହଠାତ୍‌ ବିସ୍ଫୋରଣ ହୋଇଥିଲା। ଆଖି ପିଛୁଳାକେ ସଭା ସ୍ଥଳ ରକ୍ତ ଛିଟାରେ ଲାଲ ହୋଇଯାଇଥିଲା। ଏହି ହମଲା ପଛରେ ଆଇଏସ୍‌ର ହାତ ରହିଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ବୈଠକରେ ଉପସ୍ଥିତ ଥିବା ଲୋକମାନେ ହଜରତ ମୌଲାନା ଅବଦୁଲ ରାଶିଦ ସାହେବ ଜିନ୍ଦାବାଦ ଜିନ୍ଦାବାଦ ନାରା ଦେଉଥିବା ବେଳେ ହିଁ ବିସ୍ଫୋରଣ ହୋଇଛି।

Advertisment

ଉକ୍ତ ସ୍ଥାନଟି ଆଫଗାନିସ୍ତାନ ସୀମାକୁ ଲାଗି ରହିଛି। ବିସ୍ଫୋରଣ ବେଳେ ଘଟଣା ସ୍ଥଳରେ ୪୦୦ରୁ ଅଧିକ ଜେୟୁଆଇ-ଏଫର ସଦସ୍ୟ ଓ ସମର୍ଥକ ଉପସ୍ଥିତ ଥିଲେ। ଖାୟବର ପାଖତୁନଖ୍ୱାର ସ୍ୱାସ୍ଥ୍ୟ ମନ୍ତ୍ରୀ ରୟାଜ ଅନୱର କହିଛନ୍ତି, “ଏହା ଏକ ଆତ୍ମଘାତୀ ବିସ୍ଫୋରଣ। ଷ୍ଟେଜ ନିକଟରେ ହିଁ ଆତଙ୍କବାଦୀ ଜଣକ ନିଜକୁ ବିସ୍ଫୋରଣରେ ଉଡ଼ାଇ ଏତେ ବଡ଼ କାଣ୍ଡ ଘଟାଇଛି।”

ଅନ୍ୟପକ୍ଷରେ ପୁଲିସ୍‌ କହିଛି ଯେ ବାଜାଉର ବିସ୍ଫୋରଣ ଘଟଣାର ତଦନ୍ତ ଚାଲିଛି। ସବୁ ତଥ୍ୟକୁ ଏକାଠି କରାଯାଉଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ନିଷିଦ୍ଧ ସଂଗଠନ ଡାଇଶ(ଆଇଏସ୍‌) ଏହା ପଛରେ ରହିଛି। ବୋମା ନିଷ୍କ୍ରିୟ ଟିମ ଘଟଣା ସ୍ଥଳରୁ ପ୍ରମାଣ ସଂଗ୍ରହ କରିଛନ୍ତି। ଆତ୍ମଘାତୀ ହମଲା କରିଥିବା ଆତଙ୍କବାଦୀ ବିଷୟରେ ମଧ୍ୟ ତଥ୍ୟ ଯୋଗାଡ଼ କରାଯାଉଛି। ଘଟଣାରେ ସାମିଲ ଥିବା ୩ ଜଣ ସନ୍ଦିଗ୍ଧଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି।

ପ୍ରାଦେଶିକ ପୁଲିସ୍‌ ମୁଖ୍ୟ ଅଖତର ହାୟାତ ଖାନ କହିଛନ୍ତି, ୧୦ କେଜି ବିସ୍ଫୋରକ ଦ୍ୱାରା ଜଣେ ଆତଙ୍କବାଦୀ ଆତ୍ମଘାତୀ ହମଲା କରିଛି। ସଭା ସ୍ଥଳର ପ୍ରଥମ ଧାଡ଼ିରେ ହିଁ ଯୋଜନା ମୁତାବକ ଆତଙ୍କବାଦୀ ଜଣକ ବସି ରହିଥିଲା।

ଷ୍ଟେଜ ନିକଟରେ ଭିଡ଼ ଜମିବା କ୍ଷଣି ସେ ନିଜକୁ ଉଡ଼ାଇ ଦେଇଥିଲା ବୋଲି ସେ କହିଛନ୍ତି। ଏଥିରେ ଜେୟୁଆଇ-ଏଫର ବରିଷ୍ଠ ନେତା ଓ ସମର୍ଥକଙ୍କ ମୃତ୍ୟୁ ଘଟିଛି।

Pakistan Bomb Blast