ଟେଣ୍ଡର ଫିକ୍ସିଂ ଓ ଲାଂଚ କାରବାର ମାମଲାରେ ବରିଷ୍ଠ ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କୁ ସହଅଭିଯୁକ୍ତ ଦର୍ଶାଇପାରେ ସିବିଆଇ । ଗତ ୫-୬ଦିନ ଧରି ହଟଚମଟ ପରେ ଆଜି ରାଜ୍ୟ ସରକାର ବିଷ୍ଣୁପଦଙ୍କଠୁ ସବୁ ଦାୟିତ୍ୱ କାଢ଼ିନେଇ ଆଡ଼େଇ ଦେବାପରେ ତାଙ୍କୁ ସିବିଆଇ ଗିରଫ କରିବାର ଆଶଙ୍କା ବଢ଼ିଛି। ବିଷ୍ଣୁପଦ ଭୁବନେଶ୍ୱରରେ ଥିଲେ ମଧ୍ୟ ସିବିଆଇକୁ ତଦନ୍ତରେ ଆବଶ୍ୟକ ସହଯୋଗ କରୁନଥିବା ଜଣାପଡ଼ିଛି ।
ସିବିଆଇର ତଦନ୍ତକାରୀ ଅଫିସର ଗୁରଜିନ୍ଦର ସିଂ ଗତ ୬ଦିନ ଧରି ଭୁବନେଶ୍ୱରରେ ଡେରା ପକାଇଛନ୍ତି । ସରକାରୀ ଉଦ୍ୟୋଗ ବ୍ରିଜ୍ ଆଣ୍ଡ ରୁଫ୍ କମ୍ପାନୀର ଜେନେରାଲ ମ୍ୟାନେଜର(ଇଷ୍ଟକୋଷ୍ଟ) ଭୂପେନ୍ଦ୍ର କୁମାର ସିଂହଙ୍କୁ ଭୁବନେଶ୍ୱରସ୍ଥିତ ସିବିଆଇ ଅଫିସକୁ ଡାକି ଜେରା କରାଯାଇଛି । ବିଷ୍ଣୁପଦ ସିବିଆଇ ଅଫିସ ପରିବର୍ତ୍ତେ ଅନ୍ୟତ୍ର ବ୍ୟକ୍ତିଗତ ହାଜର ହେବା ପାଇଁ କରିଥିବା ଅନୁରୋଧକୁ ତଦନ୍ତକାରୀ ଅଫିସର ଗ୍ରହଣ କରି ଇତିମଧ୍ୟରେ ପ୍ରାରମ୍ଭିକ ତଦନ୍ତ ଶେଷ କରିସାରିଛନ୍ତି । ତେବେ ଅଧିକ ଅନୁସନ୍ଧାନ ପାଇଁ ବିଷ୍ଣୁପଦଙ୍କୁ ପୁଣିଥରେ ହାଜର ହେବାକୁ ନୋଟିସ୍ ଜାରି ହୋଇଥିବା ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ମିଳିଛି । ଏହାସହିତ ସିବିଆଇ ଏହି ଲାଂଚ କାରବାର ମାମଲାରେ ବିଷ୍ଣୁପଦଙ୍କ ସମ୍ପୃକ୍ତିର ସନ୍ଦେହ କରି ତାଙ୍କୁ ସହଅଭିଯୁକ୍ତ ଦର୍ଶାଇବାକୁ ଦସ୍ତାବିଜ ପ୍ରସ୍ତୁତ କରୁଥିବା ଜଣାପଡ଼ିଛି । ଯାହାକି ବିଷ୍ଣୁପଦଙ୍କ ଅଡ଼ୁଆ ବଢ଼ାଇବାରେ ଲାଗିଛି । ବିଷ୍ଣୁପଦଙ୍କୁ ନେଇ ଅଡ଼ୁଆ ବଢ଼ିବା ପରେ ତାଙ୍କୁ ସବୁ ବିଭାଗର ସଚିବ ପଦରୁ ହଟାଇ ସାଧାରଣ ପ୍ରଶାସନ ବିଭାଗର ଓଏସଡି ଭାବେ ପନିସମେଂଟରେ ପଠାଇ ଦିଆଯାଇଛି । ଯଦିଓ ବିଷ୍ଣୁପଦ ଆଜି ମଧ୍ୟ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଚିବସ୍ତରୀୟ ବୈଠକରେ ଉପସ୍ଥିତ ଥିଲେ ବୋଲି ସୂଚନା ମିଳିଛି ।
ସେପଟେ, ସିବିଆଇ ଆଜି ବ୍ରିଜ୍ ଆଣ୍ଡ ରୁଫ କମ୍ପାନୀର ଜେନେରାଲ ମ୍ୟାନେଜର ଶ୍ରୀ ସିଂହଙ୍କୁ ଜେରାବେଳେ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାଇଛି । ତାଙ୍କୁ ମଧ୍ୟ କେତେକ ଦସ୍ତାବିଜ ସହ ପୁଣିଥରେ ହାଜର ହେବାକୁ କୁହାଯାଇଛି । ବ୍ରିଜ୍ ଆଣ୍ଡ ରୁଫ୍ କମ୍ପାନୀର ଗ୍ରୁପ୍ ଜେନେରାଲ ମ୍ୟାନେଜର(ଷ୍ଟ୍ରାଷ୍ଟେଜିକ୍ ବିଜିନେସ ୟୁନିଟ-୨) ଚଂଚଳ ମୁଖାର୍ଜୀ ଗତ ୫ତାରିଖରେ ଲୋକସେବା ଭବନ ପରିସରରେ ଥିବା ଅନୁସୂଚିତ ଜାତି ଓ ଜନଜାତି ବିଭାଗକୁ ଯାଇ ବିଷ୍ଣୁପଦଙ୍କୁ ଭେଟିଥିଲେ ବୋଲି ଶ୍ରୀ ସିଂହ ମଧ୍ୟ ସ୍ପଷ୍ଟ କରିଛନ୍ତି ।
‘ଓଡ଼ିଶା ରିପୋର୍ଟର’ ସହ କଥାବାର୍ତ୍ତାବେଳେ ଶ୍ରୀ ସିଂହ ୫ତାରିଖରେ ଚଂଚଳଙ୍କ ସହ ଲୋକସେବା ଭବନ ଯାଇ ବିଷ୍ଣୁପଦ ଓ ତାଙ୍କ ଟିମକୁ ଭେଟି ପ୍ରୋଜେକ୍ଟ ସଂକ୍ରାନ୍ତ ଡିଜାଇନ୍ ଓ ପ୍ଲାନ୍ ବିଷୟରେ କଥା ହୋଇଥିବା ସ୍ୱୀକାର କରିଛନ୍ତି । ତେବେ ରାଜ୍ୟ ସରକାରଙ୍କ ବିଭିନ୍ନ ନିର୍ମାଣ ଉଦ୍ୟୋଗକୁ ନଦେଇ ବିଷ୍ଣୁପଦ କେଉଁ ଅଦୃଶ୍ୟ କାରଣରୁ ଭାରତ ସରକାରଙ୍କ ଉଦ୍ୟୋଗ ‘ବ୍ରିଜ୍ ଆଣ୍ଡ ରୁଫ’କୁ ‘ଆବାସିକ ଆଶ୍ରମ ହାଇସ୍କୁଲ ଉନ୍ନୀତିକରଣ’ର କାର୍ଯ୍ୟ ଦେଇଥିଲେ ଓ ସେହି କାର୍ଯ୍ୟକୁ ସବଲେଟ୍ ମାଧ୍ୟମରେ ନୟାପଲ୍ଲୀସ୍ଥିତ ‘ମେସର୍ସ ପେଂଟା ଏ ଷ୍ଟୁଡ଼ିଓ’ ନାମକ ବିଲଡର ସଂସ୍ଥାକୁ ଦେବା ପାଇଁ ମୌଖିକ ଚାପ ପକାଇଥିଲେ ବୋଲି ସିବିଆଇ ସନ୍ଦେହ କରୁଥିବା ସୂଚନା ମିଳିଛି । ଏପରିକି ପୂର୍ବରୁ ଗିରଫ ହୋଇଥିବା ଦୁଇ ବିଲଡର ସନ୍ତୋଷ ମହାରଣା ଓ ଦେବଦତ୍ତ ମହାପାତ୍ରଙ୍କ ସମେତ ଚଂଚଳଙ୍କୁ ଜେରା ପରେ ଯେଉଁ ତଥ୍ୟ ସିବିଆଇ ପାଇଥିଲା ଆଜି ଶ୍ରୀ ସିଂହଙ୍କୁ ପଚରାଉଚୁରା ପରେ ସବୁ ପଛରେ ବିଷ୍ଣୁପଦ ମାଷ୍ଟରମାଇଣ୍ଡ ବୋଲି ସିବିଆଇର ସନ୍ଦେହ ଦୃଢ଼ୀଭୂତ ହୋଇଥିବା ନିର୍ଭରଯୋଗ୍ୟ ସୂତ୍ର କହିଛି ।
ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁସାରେ, ‘ଆବାସିକ ଆଶ୍ରମ ହାଇସ୍କୁଲ ଉନ୍ନୀତିକରଣ’ ପାଇଁ ଯେଉଁ ୪ଟି କେନ୍ଦ୍ରୀୟ ଉଦ୍ୟୋଗକୁ ବିଷ୍ଣୁପଦ ଚିଠି ଲେଖି ପ୍ରାୟ ୩୬୦କୋଟି ଟଙ୍କାର କାର୍ଯ୍ୟ ପାଇଁ ସମ୍ମତି ଦେଇଥିଲେ ତାକୁ ରଦ୍ଦ କରାଯାଇଛି । ଏନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇସାରିଛନ୍ତି ଓ ଖୁବଶୀଘ୍ର ସମ୍ପୃକ୍ତ ସଂସ୍ଥାଗୁଡ଼ିକୁ ଏହା ଜଣାଇ ଦିଆଯିବ । ରାଜ୍ୟ ସରକାର ନିଜସ୍ୱ ସଂସ୍ଥା ନଚେତ୍ ଓପନ୍ ଟେଣ୍ଡର ମାଧ୍ୟମରେ ଏସବୁ କାର୍ଯ୍ୟ କରାଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି ।
ସୂଚନାଯୋଗ୍ୟ, ବ୍ରିଜ୍ ଆଣ୍ଡ ରୁଫ୍ କମ୍ପାନୀର ଗ୍ରୁପ୍ ଜେନେରାଲ ମ୍ୟାନେଜର ଚଂଚଳ ମୁଖାର୍ଜୀ ଚଳିତମାସ ୭ତାରିଖ ସନ୍ଧ୍ୟା ୬ଟାବେଳେ ଭୁବନେଶ୍ୱରର ଏକ ତାରକା ହୋଟେଲ ନିକଟରେ ୧୦ଲକ୍ଷ ଟଙ୍କା ଲାଂଚ ନେଉଥିବାବେଳେ ସିବିଆଇ ତାଙ୍କୁ ଗିରଫ କରିଥିଲା ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।