Advertisment

ଭୁବନେଶ୍ୱରରେ କୋଟିଏ ଟଙ୍କାର ଟେଣ୍ଡର ଫିସ୍କିଂ! ଗିରଫ ୩ଜଣଙ୍କୁ ରିମାଣ୍ଡରେ ନେଲା ସିବିଆଇ

ବ୍ରିଜ୍ ଆଣ୍ଡ୍ ରୁଫ୍ କଂପାନୀର ଓଡିଶା ମୁଖ୍ୟ ଚଞ୍ଚଲ୍ ମୁଖାର୍ଜୀଙ୍କ ସହ ଗତକାଲି ଚାଲିଥିଲା କୋଟିଏ ଟଙ୍କାର ଟେଣ୍ଡର୍ ଡିଲ୍। ଖବର ପାଇ ମାଡ଼ି ବସିଥିଲା ସିବିଆଇ।

author-image
Debadatta Aryashrestha
ଅଦ୍ୟତନ ହୋଇଛି
CBI Raid in Bhubaneswar

CBI Raid in Bhubaneswar

ସରକାରୀ ଉଦ୍ୟୋଗ ବ୍ରିଜ୍ ଆଣ୍ଡ୍ ରୁଫ କଂପାନୀ ଉପରେ ମେଗା ରେଡ୍। ରାଜଧାନୀର ଛାତି ଉପରେ ଗତକାଲି ରାତିରେ ଛାପା ମାରିଛି ସିବିଆଇ। ୧୨ ଘଣ୍ଟାର ନନଷ୍ଟପ୍ ଛାନଭିନ୍ ପରେ ବ୍ରିଜ୍ ଆଣ୍ଡ୍ ରୁଫ୍ କଂପାନୀର ଓଡ଼ିଶା ମୁଖ୍ୟ ତଥା ଗ୍ରୁପ୍ ଜେନେରାଲ ମ୍ୟାନେଜର ଚଞ୍ଚଲ ମୁଖାର୍ଜୀ, ଭୁବନେଶ୍ୱରସ୍ଥିତ ପେଣ୍ଟା-ଏ ଷ୍ଟୁଡିଓର ନିର୍ଦ୍ଦେଶକ ସନ୍ତୋଷ ମହାରଣା ଏବଂ ସୁପର କ୍ଲାସ୍ କଣ୍ଟ୍ରାକ୍ଟର ତଥା ମିଡିଲମ୍ୟାନ୍ ଦେବଦତ୍ତ ମହାପାତ୍ରଙ୍କୁ ଗିରଫ କରିଛି ସିବିଆଇ।

Advertisment

ଶନିବାର, ରାତି ପ୍ରାୟ ୯ଟା ୪୫ ମିନିଟରେ ଭୁବନେଶ୍ୱରସ୍ଥିତ ଏକ ତାରକା ହୋଟେଲ୍ ସାମ୍ନାରେ ହଠାତ୍ ଏକ ଦାମୀ କାର ଉପରେ ହୋଇଥିଲା ସିବିଆଇ ରେଡ୍। ଦିଲ୍ଲୀରୁ ଆସିଥିବା ୬ ଜଣିଆ ସିବିଆଇ ଟିମ୍ ଏହି ଦାମୀ କାର ପାଖରେ ପହଞ୍ଚି ଚଳାଇଥିଲେ ଛାନଭିନ୍। ସାଙ୍ଗରେ ଥିଲେ କାର ମାଲିକଙ୍କ ସହ ୪ ଜଣ ବ୍ୟକ୍ତି। ବହୁ ଟଣାଭିଡ଼ା ପରେ ଖୋଲାଗଲା କାର୍, ଆଉ ଭିତରୁ ମିଳିଲା ବଣ୍ଡଲ ବଣ୍ଡଲ୍ ନୋଟ୍। ବନେଟ୍ ଉପରେ ଟଙ୍କାକୁ ଥୋଇ ଗଣିବା ପରେ ଜଣାପଡ଼ିଲା, କାରରେ ଥିଲା ପ୍ରାୟ ୧୦ ଲକ୍ଷ ଟଙ୍କା। କେବଳ ଏତିକି ନୁହେଁ, କିଛି ସୁନା ବି ମିଳିଥିବା କୁହାଯାଉଛି।

ଏହାପରେ ଗାଡ଼ିରେ ଥିବା ୪ ଜଣଙ୍କୁ ହେପାଜତକୁ ନେଇ ଖୋଳତାଡ଼ କରିଥିଲା ସିବିଆଇ। ଆଜି ଦିନତମାମ୍ ବ୍ରିଜ୍ ଆଣ୍ଡ୍ ରୁଫ୍ କୋ’ର ବ୍ରାଞ୍ଚ ଅଫିସ୍ ଏବଂ ସୁପରକ୍ଲାସ୍ କଣ୍ଟ୍ରାକ୍ଟର ଦେବଦତ୍ତ ମହାପାତ୍ରଙ୍କ ଘରେ ରେଡ୍ ଚାଲିଥିଲା। ଚଢ଼ାଉ ବେଳେ ଦେବଦତ୍ତ ମହାପାତ୍ରଙ୍କ ଘରୁ ଜବତ ହୋଇଛି ବିପୁଳ ଟଙ୍କା ଆଉ ସୁନା ଅଳଙ୍କାର। ମିଳିଛି ଲକର୍ ସହ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍। ଭୁବନେଶ୍ୱରର ୨ଟି, କଟକ, ଭଦ୍ରକ ଏବଂ ଗଞ୍ଜାମ ଛତ୍ରପୁରର ଗୋଟିଏ ଲେଖାଏଁ ସ୍ଥାନରେ ସିବିଆଇ ଆକସ୍ମିକ ଛାପା ମାରିଛି। ଆଜି ଧଳା ରଙ୍ଗର ଆଉ ଏକ ଦାମୀ କାରକୁ ଜବତ କରିଛି ସିବିଆଇ। ତେବେ କେବଳ ଓଡ଼ିଶା ନୁହେଁ, ଦିଲ୍ଲୀ ଓ କୋଲକାତା ସହ ଦେଶର ମୋଟ ୧୧ଟି ସ୍ଥାନରେ ହୋଇଛି ଏହି ମେଗା ରେଡ୍।

Advertisment

ଏଠି ପ୍ରଶ୍ନ ଉଠୁଛି, କେନ୍ଦ୍ର ସରକାରଙ୍କ ଭାରିଶିଳ୍ପ ମନ୍ତ୍ରାଳୟ ଅଧିନରେ ଆସୁଥିବା ବ୍ରିଜ୍ ଆଣ୍ଡ୍ ରୁଫ୍ କୋ ଲିମିଟେଡ୍ ଅଫିସ ଏବଂ ତା’ଲିଙ୍କରେ ଥିବା ବ୍ୟକ୍ତିଙ୍କ ଉପରେ କାହିଁକି ଜାରି ରହିଛି ଏତେ ବଡ଼ ଧରପଗଡ଼? ରେଡ୍ ପଛର ରହସ୍ୟ କ’ଣ? ବଡ଼ଧରଣର ଟେଣ୍ଡର ଫିକ୍ସିଂ ପାଇଁ ଚାଲିଥିଲା କି ମହାଡିଲ୍? ସିବିଆଇ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, କଂପାନୀର ଓଡିଶା ମୁଖ୍ୟ ତଥା GGM ଚଞ୍ଚଲ୍ ମୁଖାର୍ଜୀଙ୍କ ସହ ଗତକାଲି ଚାଲିଥିଲା କୋଟିଏ ଟଙ୍କାର ଟେଣ୍ଡର୍ ଡିଲ୍। ଏଥିପାଇଁ ଦିଆଯାଉଥିଲା ୧୦ ଲକ୍ଷ ଟଙ୍କାର ଅଗ୍ରୀମ ଲାଞ୍ଚ। ଠିକ୍ ଏହି ସମୟରେ ଆଗୁଆ ସୂଚନା ପାଇଥିବା ସିବିଆଇ ଟିମ୍ ମାଡ଼ିବସିଲା ହୋଟେଲ୍ ସାମ୍ନାରେ। କାରଣ କୋଟି କୋଟି ଟଙ୍କାର ହେରଫେର୍ ଓ ଟେଣ୍ଡର ଫିକ୍ସିଂ ନେଇ କମ୍ପାନୀ ବିରୋଧରେ ଦିଲ୍ଲୀ ସିବିଆଇ ପାଖରେ ଆଗରୁ ଏକ ମାମଲା ରୁଜୁ ହୋଇଥିଲା।

ତେବେ ଅଧିକ ଖୋଳତାଡ଼ ପାଇଁ ଗିରଫ ୩ ଅଭିଯୁକ୍ତ ଚଞ୍ଚଲ ମୁଖାର୍ଜୀ, ସନ୍ତୋଷ ମହାରଣା ଓ ଦେବଦତ୍ତ ମହାପାତ୍ରଙ୍କୁ ୩ ଦିନିଆ ରିମାଣ୍ଡରେ ନେଇଛି ସିବିଆଇ। ଅନ୍ୟପଟେ ତମାମ ଘଟଣା ସଂପର୍କରେ ବ୍ରିଜ୍ ଆଣ୍ଡ୍ ରୁଫ୍ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

Cbi Raid CBI Raid In Bhubaneswar Bridge And Roof Company Tender Fixing