Advertisment

ଚୌଦ୍ୱାର ଜେଲ୍‌କୁ ଗଲା ଠକ ମୌଲାନା, ୯୫ ଆକାଉଣ୍ଟରୁ ମିଳିଲା ପୁଳାପୁଳା ଟଙ୍କା

ପୁଲିସ ତା’ ନିକଟରୁ ୯୧ ଲକ୍ଷ ୮୨ ହଜାର ଟଙ୍କାର ସମ୍ପତ୍ତି ଜବତ କରିଛି। ସେ ବିଭିନ୍ନ ଲୋକଙ୍କ ଠାରୁ ୧ କୋଟି ୧୩ ଲକ୍ଷ ୯୫ ହଜାର ଟଙ୍କା ଠକିଛି।

ଅଦ୍ୟତନ ହୋଇଛି
Cuttack DCP Pinak Mishra

Cuttack DCP Pinak Mishra

Advertisment

ଚୌଦ୍ଵାର ଜେଲ ଗଲା ଠକ ମୌଲାନା କୈଫି ଖାନ। ସେ ତନ୍ତ୍ରମନ୍ତ୍ର ନାଁରେ କୋଟିଏରୁ ଉର୍ଦ୍ଧ୍ୱ ଟଙ୍କା ଠକି ମଙ୍ଗଳାବାଗ ଥାନା ପୁଲିସ ହାତରେ ଧରାପଡ଼ିଥିଲା। ପରେ ଗିରଫ ହୋଇ ୪ ଦିନିଆ ରିମାଣ୍ଡରେ ଯାଇଥିଲା। ଆଜି ରିମାଣ୍ଡ ଅବଧି ଶେଷ ହେବା ପରେ ତାକୁ ଜେଲକୁ ପଠାଇ ଦିଆଯାଇଛି। ସେ ବିଭିନ୍ନ ଲୋକଙ୍କ ଠାରୁ ୧ କୋଟି ୧୩ ଲକ୍ଷ ୯୫ ହଜାର ଟଙ୍କା ଠକିଛି। ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କଟକ ଡିସିପି ପିନାକ ମିଶ୍ର।

Advertisment

ସେ କହିଛନ୍ତି, ପୁଲିସ ତା’ ନିକଟରୁ ୯୧ ଲକ୍ଷ ୮୨ ହଜାର ଟଙ୍କାର ସମ୍ପତ୍ତି ଜବତ କରିଛି। ତା ନାଁରେ ମଙ୍ଗଳାବାଗ ଥାନାରେ ୫ଟି ଓ ସଦର ଥାନାରେ ଗୋଟିଏ ଏତଲା ପଞ୍ଜୀକୃତ ହୋଇଛି। ମୌଲାନାର ୯୫ଟି ବ୍ୟାଙ୍କ(ଏଫ୍‌ଡି ଓ ଆରଡି) ଆକାଉଣ୍ଟ ଜବତ କରାଯାଇଛି। ଯେଉଁଥିରେ ୨୯ ଲକ୍ଷ ୫୬ ହଜାର ଟଙ୍କା ରହିଛି। ଏହି ଟଙ୍କାକୁ ଫ୍ରିଜ କରାଯାଇଛି। ଏହାସହ ୫ ଏଲ୍‌ଆଇସି ବଣ୍ଡକୁ ମଧ୍ୟ ଜବତ କରାଯାଇଛି। ଯେଉଁଥିରେ ୧୨ ଲକ୍ଷରୁ ଅଧିକ ଟଙ୍କା ଜମା କରିଥିଲା। ଏହାକୁ ମଧ୍ୟ ଫ୍ରିଜ୍ କରାଯାଇଛି। ତେବେ ସେ ଠକେଇ ଟଙ୍କା ଏଥିରେ ବିନିଯୋଗ କରିଛି କି ନାହିଁ ସେନେଇ ତଦନ୍ତ ଚାଲିଛି।

ଗିରଫ ହୋଇଥିବା ମୌଲାନାର ଡ୍ରାଇଭର ଶେଖ ଇସ୍ରାଏଲ ମୁଖ୍ୟ ସହଯୋଗୀ ଥିଲା ବୋଲି ପଚରାଉଚରା ସମୟରେ ସେ ସ୍ୱୀକାର କରିଛି। ଏନେଇ ପୁଲିସକୁ ପ୍ରମାଣ ମଧ୍ୟ ମିଳିଛି। ଏହା ବ୍ୟତୀତ ଆଉ କେଉଁମାନେ ତାହାର ସହଯୋଗୀ ଥିଲେ ସେମାନଙ୍କୁ ମଧ୍ୟ ପୁଲିସ ଖୋଜୁଛି। ସେମାନଙ୍କୁ ଖୁବ୍‌ଶୀଘ୍ର ତଥ୍ୟ ପ୍ରମାଣ ଆଧାରରେ ଗିରଫ କରାଯିବ। ସଚେତନତା ଅଭାବରୁ ଲୋକେ ଠକେଇର ଶିକାର ହେଉଥିଲେ। ଗୁପ୍ତଧନ ମିଳିବ ବୋଲି କୈଫ ଯେଉଁସ୍ଥାନକୁ ଚିହ୍ନଟ କରୁଥିଲା ଲୋକଙ୍କୁ ସେଠାରୁ ହଟାଇବା ଭିତରେ ଭୟର ବାତାବରଣ ସୃଷ୍ଟି କରୁଥିଲା। ପରେ ଏଠାରେ ବିଭିନ୍ନ ପ୍ରତାର ଧାତୁ ନିର୍ମିତ ଜିନିଷ ପୋତି ଦେଉଥିଲା। ଏହାକୁ ପରେ ବାହାର କରି ଲୋକଙ୍କୁ ଦେଉଥିଲା ଓ ଲୋକଙ୍କୁ ଏହାକୁ ଦାମୀ ରତ୍ନ ବୋଲି କହି ଟଙ୍କା ଠକି ନେଉଥିଲା। ସେହିପରି ବିଭିନ୍ନ ଲୋକଙ୍କୁ ତନ୍ତ୍ରବିଦ୍ୟା ପ୍ରୟୋଗ କରି ବାଦବିବାଦ ଓ କୋର୍ଟ ମାମଲା ସମାଧାନ କରିଦେବାର ପ୍ରଲୋଭନ ଦେଇ ଟଙ୍କା ଠକି ନେଉଥିଲା।

Advertisment

ପୁଲିସ ତଦନ୍ତ ବେଳେ କୈଫ ଘରୁ ବିଭିନ୍ନ ପ୍ରକାର ନକଲି ଜିନିଷ ସହ ଅଢ଼େଇ ଲକ୍ଷ ଟଙ୍କା, ଦାମୀ କାର୍‌ ଓ ବହୁ ବାଇକ୍ ଜବତ ହୋଇଥିଲା। ଯାହା ଠକେଇକୁ ସ୍ପଷ୍ଟ କରିଥିଲା। ଏହି ନକଲି ଜିନିଷକୁ ସେ ବଜାରରୁ କିଣିଥିଲା ଓ ଅସଲି ବୋଲି ଲୋକଙ୍କୁ କହି ଧୋକା ଦେଉଥିଲା।

ଏହାସହ ଗ୍ୟାଙ୍ଗଷ୍ଟର ସକିଲ ସହ ତା’ର ସମ୍ପର୍କ ଅଛି କି ନାହିଁ ଏବଂ ଟଙ୍କା ଠକେଇ ବାବଦରେ ସେ ଜାଣିଛି ନା ନାହିଁ ସେ ଦିଗରେ ମଧ୍ୟ ତଦନ୍ତ କରାଯିବ। ଯଦି ଆବଶ୍ୟକ ହୁଏ ପୁଣି ଥରେ ରିମାଣ୍ଡ ପାଇଁ ଯୋଜନା କରାଯିବା ସହ ଆବଶ୍ୟକ ସ୍ଥଳେ ଠକେଇ ଟଙ୍କାର ତଦନ୍ତ ପାଇଁ ଅନ୍ୟ କୌଣସି ତଦନ୍ତକାରୀ ସଂସ୍ଥାର ସହଯୋଗ ନିଆଯିବ ବୋଲି କଟକ ଡିସିପି କହିଛନ୍ତି।

ସେପଟେ ଠକ ମୌଲାନାର ଠକାମୀର ଶିକାର ଆଉ କିଏ ହୋଇଥିବେ ସେମାନେ ଆସି ଥାନାରେ ଅଭିଯୋଗ କରିବା ପାଇଁ ପୁଣି ଡିସିପି ଅପିଲ କରିଛନ୍ତି।

ସୂଚନା ଥାଉକି, ଠକ କୈଫ ତନ୍ତ୍ରବିଦ୍ୟା ପ୍ରୟୋଗ କରି ଲୋକଙ୍କୁ ମାଟି ତଳୁ ଗୁପ୍ତ ଧନ ମିଳିବାର ବିଭିନ୍ନ ପ୍ରଲୋଭନ ଦେଇ ଓ ବିଭିନ୍ନ ବିବାଦ ସମାଧାନ କରିବାର ପ୍ରତିଶ୍ରୁତି ଦେଇ ଲକ୍ଷାଧିକ ଟଙ୍କା ଠକେଇ କରୁଥିଲା।

Black Money Cuttack Odisha Crime Black Magic
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe