/odisha-reporter/media/post_attachments/uploadimage/library/16_9/16_9_0/IMAGE_1748596657.jpg)
Baikuntha Nath Sarangi and Seizure notes
ଆସନ୍ତାକାଲି ଚାକିରିରୁ ଅବସର ନେଇଥା’ନ୍ତେ। ଆଜି ଚଢ଼ାଉ କଲା ଭିଜିଲାନ୍ସ। ଭିଜିଲାନ୍ସ ଅଧିକାରୀମାନଙ୍କୁ ଦେଖି ଝରକା ଦେଇ ଫିଙ୍ଗି ଦେଲେ ବିଡ଼ା ବିଡ଼ା ଟଙ୍କା। ହେଲେ କିଛି ଲାଭ ହେଲା ନାହିଁ। ଭିଜିଲାନ୍ସ ସବୁ ନଗଦ ଟଙ୍କା ଜବତ କଲା ଓ ଅନ୍ୟାନ୍ୟ ସଂପତ୍ତି ଠାବ କଲା। ଆଜି ଭିଜିଲାନ୍ସ ଜାଲରେ ପଡ଼ିଥିବା ଏହି ସରକାରୀ ଚାକିରିଆଙ୍କ ନାଁ ବୈକୁଣ୍ଠନାଥ ଷଡ଼ଙ୍ଗୀ। ଭୁବନେଶ୍ୱରରେ ଗ୍ରାମ୍ୟ ଉନ୍ନୟନ ବିଭାଗରେ ମୁଖ୍ୟଯନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି ସେ।
ବୈକୁଣ୍ଠନାଥ ଷଡ଼ଙ୍ଗୀଙ୍କର ଚାକିରି ଆସନ୍ତାକାଲି ଶେଷ ହେଉଥିବା ବେଳେ ସେ ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ଅଭିଯୋଗରେ ଆଜି ଭିଜିଲାନ୍ସ ତାଙ୍କର ଭୁବନେଶ୍ୱର ସ୍ଥିତ ଫ୍ଲାଟ୍ ସମେତ ମୋଟ ୭ଟି ସ୍ଥାନରେ ଚଢ଼ାଉ କରିଛି। ଭୁବନେଶ୍ୱରର ଡୁମଡୁମା ସ୍ଥିତ ଫ୍ଲାଟରେ ଭିଜିଲାନ୍ସ ଚଢ଼ାଉ କରିବାକୁ ଯାଇଥିବା ବେଳେ ବୈକୁଣ୍ଠନାଥ ଷଡ଼ଙ୍ଗୀ ଝରକା ଦେଇ ବିଡ଼ା ବିଡ଼ା ନୋଟ୍ ତଳକୁ ଫୋପାଡ଼ି ଦେଇଥିଲେ। ସେଗୁଡ଼ିକ ସବୁ ୫୦୦ ଟଙ୍କିଆ ନୋଟ୍ ବିଡ଼ା ଥିଲା। ଭିଜିଲାନ୍ସ ଅଧିକାରୀମାନେ ସେହି ଟଙ୍କାକୁ ଜବତ କରିଛନ୍ତି। ମୋଟ ୩୭ ଲକ୍ଷ ଟଙ୍କା ସେ ଝରକା ଦେଇ ଫୋପାଡ଼ି ଦେଇଥିଲେ, ଯାହା ପାଖରେ ଥିବା ଏକ ଘରର ଆଜବେଷ୍ଟସ ଛାତରେ ପଡ଼ିଥିଲା। ତାଙ୍କର ଭୁବନେଶ୍ୱର ସ୍ଥିତ ଏହି ଫ୍ଲାଟ୍ରୁ ୧.୨୧ କୋଟି ନଗଦ ଟଙ୍କା ଜବତ କରାଯାଇଛି। ସେହିପରି ତାଙ୍କର ଅନୁଗୋଳର କରଡ଼ାଗାଡ଼ିଆ ସ୍ଥିତ ଦୁଇ ମହଲା ବିଶିଷ୍ଟ ଘରୁ ଭିଜିଲାନ୍ସ ୧.୩୦ କୋଟି ନଗଦ ଟଙ୍କା ଜବତ କରିଛି। ତାଙ୍କ ପାଖରୁ ମୋଟ ୨.୫୧ କୋଟି ନଗଦ ଟଙ୍କା ଜବତ କରିଛି ଭିଜିଲାନ୍ସ। ଏହା ବାଦ୍ ତାଙ୍କର ଆହୁରି ଅନେକ ସଂପତ୍ତି ଠାବ କରାଯାଇଛି।
ଶେୟାର ମାର୍କେଟରେ ଶ୍ରୀ ଷଡ଼ଙ୍ଗୀ ୨କୋଟି ୭୦ ଲକ୍ଷ ଟଙ୍କା ନିବେଶ କରିଛନ୍ତି। ସେହିପରି ତାଙ୍କର ଦେଢ଼ କୋଟି ଟଙ୍କାର ବ୍ୟାଙ୍କ ଓ ବୀମା ଜମା ଠାବ କରାଯାଇଛି। ଏହା ସହିତ ତାଙ୍କର ଏକାଧିକ ଆବାସିକ ଘର ଓ ପ୍ଲଟ୍ ଠାବ କରାଯାଇଛି। ଭୁବନେଶ୍ୱରର ଡୁମଡୁମା ସ୍ଥିତ PDN Exotica ନାମକ କୋଠାରେ ତାଙ୍କର ଏକ ୧୫୩୦ ବର୍ଗଫୁଟର ଫ୍ଲାଟ୍ ଅଛି। ପୁରୀ ଜିଲ୍ଲା ପିପିଲି ଥାନା ସିଉଳାରେ ତାଙ୍କର ଆଉ ଏକ ଫ୍ଲାଟ୍ ଅଛି। ଏହି ଫ୍ଲାଟ୍ଟି ୧୧୦୦ ବର୍ଗଫୁଟ୍ର। ଅନୁଗୋଳରେ ତାଙ୍କର ଦୁଇଟି ଦୁଇ ମହଲା ବିଶିଷ୍ଟ ଘର ଅଛି। ସେଥିରୁ ଗୋଟିଏ କରଡ଼ାଗାଡ଼ିଆରେ ଓ ଅନ୍ୟ କୋଟି ମାଟିସାହିରେ ଅଛି। ମାଟିସାହିରେ ଥିବା ଘରଟି ତାଙ୍କର ପୈତୃକ ଘର।
ଶ୍ରୀ ଷଡ଼ଙ୍ଗୀଙ୍କର ୭ଟି ପ୍ଲଟ ରହିଛି। ଏଥିରୁ ୩ଟି ଅନୁଗୋଳରେ ଥିବା ବେଳେ ୪ଟି ପିପିଲିରେ ଅଛି। ଅନୁଗୋଳରେ ଯେଉଁ ୩ଟି ପ୍ଲଟ୍ ଅଛି, ସେଥିରୁ ୨ଟି କରଡ଼ାଗାଡ଼ିଆରେ ଥିବା ବେଳେ ଗୋଟିଏ ମାଳି ସାହିରେ ଅଛି। ସେହିପରି ପିପିଲିରେ ତାଙ୍କର ଥିବା ୪ଟି ଯାକ ପ୍ଲଟ ସିଉଳାରେ ରହିଛି। ଏହି ସବୁ ଘର ଓ ଜାଗାର ମୂଲ୍ୟ ଜାଣିବା ପାଇଁ ଭିଜିଲାନ୍ସର ବୈଷୟିକ ଶାଖା ପକ୍ଷରୁ ଆବଶ୍ୟକ ମାପଚୁପ କରାଯାଉଛି।
ବୈକୁଣ୍ଠନାଥ ଷଡ଼ଙ୍ଗୀଙ୍କ ପତ୍ନୀଙ୍କ ନାଁରେ ଅନୁଗୋଳ ସ୍ଥିତ ଆକ୍ସିସ୍ ବ୍ୟାଙ୍କରେ ଗୋଟିଏ ଲକର ଅଛି। ଖବର ଲେଖାଯିବା ବେଳକୁ ଏହି ଲକରକୁ ଭିଜିଲାନ୍ସ ଖୋଲି ନଥିଲା। ତାଙ୍କର ଗୋଟିଏ ଚାରି ଚକିଆ (ମାରୁତି ସ୍ୱିଫ୍ଟ ଜେଡ୍ଏକ୍ସଆଇ) ଗାଡ଼ି ଅଛି। ରେଡ୍ ବେଳେ ତାଙ୍କ ଘରୁ ବହୁ ପରିମାଣର ସୁନା ଗହଣା ମିଳିଛି। ଆଲମୀରାରୁ ବହୁ ସଂଖ୍ୟାରେ ଦାମୀ ଶାଢ଼ି, ଦାମୀ ବ୍ୟାଗ୍ ଓ ପର୍ସ ମିଳିଛି।
ଭିଜିଲାନ୍ସ ପକ୍ଷରୁ ଶ୍ରୀ ଷଡ଼ଙ୍ଗୀଙ୍କର ଭୁବନେଶ୍ୱର ସ୍ଥିତ ଫ୍ଲାଟ୍ ସହିତ ଅନୁଗୋଳରେ ଥିବା ଦୁଇଟି ଘର, ପିପିଲିରେ ଥିବା ଫ୍ଲାଟ୍, ଅନୁଗୋଳ ଶିକ୍ଷକପଡ଼ାରେ ଥିବା ତାଙ୍କର ଜଣେ ସଂପର୍କୀୟଙ୍କ ଘର,ଅନୁଗୋଳ ତହସିଲର ଲୋକେଇପସିରେ ଥିବା ତାଙ୍କର ପୈତୃକ ଘର ଓ ଭୁବନେଶ୍ୱରରେ ଥିବା ତାଙ୍କ ଅଫିସ ଚାମ୍ବରରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି।
ଏହି ଚଢ଼ାଉରେ ୮ ଜଣ ଡିଏସ୍ପି, ୧୨ ଜଣ ଇନ୍ସପେକ୍ଟର, ୬ ଜଣ ଏଏସ୍ଆଇ ଓ ଅନ୍ୟାନ୍ୟ ସହଯୋଗୀ କର୍ମଚାରୀ ସାମିଲ ଅଛନ୍ତି। ଅନୁଗୋଳ ଭିଜିଲାନ୍ସର ସ୍ପେଶାଲ ଜଜ୍ଙ୍କ ଦ୍ୱାରା ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ ଏହି ଚଢ଼ାଉ କରାଯାଇଛି।
ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟ ଯନ୍ତ୍ରୀଙ୍କ ଘରୁ ବିପୁଳ ଟଙ୍କା ଓ ସମ୍ପତ୍ତି ତାଲିକା ମିଳିବା ପରେ ସେ କେଉଁ କେଉଁ ପ୍ରକଳ୍ପରେ କାର୍ଯ୍ୟ କରିଛନ୍ତି, ତାକୁ ତଦନ୍ତ ପରିସରଭୁକ୍ତ କରାଯିବ ବୋଲି ସୂଚନା ଦେଇଛନ୍ତି ଭିଜିଲାନ୍ସ ନିର୍ଦ୍ଦେଶକ। ଅନ୍ୟପକ୍ଷରେ ଗତ ଫେବ୍ରୁଆରୀରେ ଜଣେ ପୂର୍ବତନ ମନ୍ତ୍ରୀଙ୍କ ସୁପାରିସରେ ବୈକୁଣ୍ଠନାଥଙ୍କୁ ଭୁବନେଶ୍ୱର ମୁଖ୍ୟାଳୟକୁ ବଦଳି ହୋଇ ଆସିଥିବା କୁହାଯାଉଛି। ତେଣୁ ତାଙ୍କ ପଛରେ ଓ ସାଙ୍ଗରେ ଆଉ କିଏ ଅଛନ୍ତି, ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା।
ଆଜି ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟ ଯନ୍ତ୍ରୀ ଶ୍ରୀ ବୈକୁଣ୍ଠ ନାଥ ଷଡ଼ଙ୍ଗୀଙ୍କ ଆୟବର୍ହିଭୂତସମ୍ପତ୍ତି ଖାନତଲାସିରେ ବର୍ତ୍ତମାନସୁଦ୍ଧା ତାଙ୍କ ଘରୁ ₹୨.୫୧କୋଟି(ଭୁବନେଶ୍ୱର ଘରୁ ₹୧.୨୧କୋଟି ଓ ଅନୁଗୁଳରୁ ₹୧.୩୦ କୋଟି) ନଗଦ ଟଙ୍କା,୨ଟି ବହୁତଳକୋଠା,୨ ଟି ଫ୍ଲାଟ,୭ ଟି ପ୍ଲଟ,ସେୟାରରେ ନିବେଶ ₹୨.୭ କୋଟି,ଜମା ₹୧.୫ କୋଟି,ଆଦି ମିଳିଛି। pic.twitter.com/vzyLxzQ6W5
— Odisha Vigilance (@OdishaVigilance) May 30, 2025
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
