Advertisment

ଚାକିରିର ଶେଷ ଦିନରେ ବନ୍ଧା ହେଲେ ମୁଖ୍ୟଯନ୍ତ୍ରୀ

ଶେୟାର ମାର୍କେଟରେ ଶ୍ରୀ ଷଡ଼ଙ୍ଗୀ ୨କୋଟି ୭୦ ଲକ୍ଷ ଟଙ୍କା ନିବେଶ କରିଛନ୍ତି। ସେହିପରି ତାଙ୍କର ଦେଢ଼ କୋଟି ଟଙ୍କାର ବ୍ୟାଙ୍କ ଓ ବୀମା ଜମା ଠାବ କରାଯାଇଛି। ତାଙ୍କ ପାଖରୁ ୧ କେଜି ୧୪୧ ଗ୍ରାମ ସୁନା ଅଳଙ୍କାର ଓ ୧୫ଟି ଦାମୀ ଘଣ୍ଟା ଜବତ କରାଯାଇଛି।

ଅଦ୍ୟତନ ହୋଇଛି
Baikuntha Nath Sarangi and Seizure notes

Baikuntha Nath Sarangi and Seizure notes

Advertisment

ଆଜି ଚାକିରିରୁ ଅବସର ନେଇଥା’ନ୍ତେ ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟଯନ୍ତ୍ରୀ (ପ୍ଲାନ୍ ରୋଡ୍‌ସ) ବୈକୁଣ୍ଠନାଥ ଷଡ଼ଙ୍ଗୀ। ଅଫିସରେ ପାଇଥା’ନ୍ତେ ବିଦାୟ ସମ୍ବର୍ଦ୍ଧନା। ଫୁଲତୋଡ଼ା ଓ କିଛି ଉପହାର ନେଇ ଘରକୁ ଫେରିଥା’ନ୍ତେ। କିନ୍ତୁ ତାହା ତାଙ୍କ ଭାଗ୍ୟରେ ନଥିଲା। ଅବସର ପୂର୍ବଦିନ ଅର୍ଥାତ୍ ଗତକାଲି ଭିଜିଲାନ୍ସ ତାଙ୍କ ଘରେ କରିଥିଲା ଚଢ଼ାଉ। ଆଉ ଆଜି ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ। ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ତାଙ୍କ ପତ୍ନୀଙ୍କ ନାଁରେ ମଧ୍ୟ ମାମଲା ରୁଜୁ କରିଛି ଭିଜିଲାନ୍ସ। 

Advertisment

ଗତକାଲି ଚଢ଼ାଉ ବେଳେ ବୈକୁଣ୍ଠନାଥ ଷଡ଼ଙ୍ଗୀଙ୍କର ବିପୁଳ ସଂପତ୍ତି ଠାବ କରିଛି ଭିଜିଲାନ୍ସ, ଯାହା ତାଙ୍କ ଆୟ ତୁଳନାରେ ଖୁବ୍ ଅଧିକ। ସେ ତାଙ୍କ ଆୟଠାରୁ ୪୮୩% ଅଧିକ ସଂପତ୍ତି ଠୁଳ କରିଛନ୍ତି। ତାଙ୍କର ମୋଟ ସଂପତ୍ତିର ମୂଲ୍ୟ ୧୦ କୋଟି ଟଙ୍କାରୁ ଅଧିକ ବୋଲି ସୂଚନା ମିଳିଛି। 

ତାଙ୍କ ଘରୁ କେବଳ ନଗଦ ୨ କୋଟି ୫୬ ଲକ୍ଷ ୨୯ ହଜାର ୨୯୯ ଟଙ୍କା ମିଳିଛି। ସେଥିରୁ ୧ କୋଟି ୨୧ ଲକ୍ଷ ୯୫ ହଜାର ଟଙ୍କା ଭୁବନେଶ୍ୱରର ଡୁମଡୁମା ସ୍ଥିତ ଫ୍ଲାଟ୍‌ରୁ ମିଳିଥିବା ବେଳେ ବାକି ୧ କୋଟି ୩୪ ଲକ୍ଷ ୩୪ ହଜାର ୨୯୯ ଟଙ୍କା ଅନୁଗୋଳର କରଡ଼ାଗାଡ଼ିଆ ସ୍ଥିତ ତାଙ୍କର ଦୁଇ ମହଲା ବିଶିଷ୍ଟ ଘରୁ ମିଳିଛି। ଏହି ୧ କୋଟି ୩୪ ଲକ୍ଷ ୩୪ ହଜାର ୨୯୯ ଟଙ୍କାରୁ ୩୦ ଲକ୍ଷ ଟଙ୍କା ଗୋଟିଏ ଛୋଟ ପେଟିରେ ରଖାଯାଇଥିଲା।

Advertisment

ଶେୟାର ମାର୍କେଟରେ ଶ୍ରୀ ଷଡ଼ଙ୍ଗୀ ୨କୋଟି ୭୦ ଲକ୍ଷ ଟଙ୍କା ନିବେଶ କରିଛନ୍ତି। ସେହିପରି ତାଙ୍କର ଦେଢ଼ କୋଟି ଟଙ୍କାର ବ୍ୟାଙ୍କ ଓ ବୀମା ଜମା ଠାବ କରାଯାଇଛି। ଏହା ସହିତ ତାଙ୍କର ଏକାଧିକ ଆବାସିକ ଘର ଓ ପ୍ଲଟ୍ ଠାବ କରାଯାଇଛି। ଭୁବନେଶ୍ୱରର ଡୁମଡୁମା ସ୍ଥିତ PDN Exotica ନାମକ କୋଠାରେ ତାଙ୍କର ଏକ ୧୫୩୦ ବର୍ଗଫୁଟର ଫ୍ଲାଟ୍‌ ଅଛି। ପୁରୀ ଜିଲ୍ଲା ପିପିଲି ଥାନା ସିଉଳାରେ ତାଙ୍କର ଆଉ ଏକ ଫ୍ଲାଟ୍ ଅଛି। ଏହି ଫ୍ଲାଟ୍‌ଟି ୧୧୦୦ ବର୍ଗଫୁଟ୍‌ର। ଅନୁଗୋଳରେ ତାଙ୍କର ଦୁଇଟି ଦୁଇ ମହଲା ବିଶିଷ୍ଟ ଘର ଅଛି। ସେଥିରୁ ଗୋଟିଏ କରଡ଼ାଗାଡ଼ିଆରେ ଓ ଅନ୍ୟ କୋଟି ମାଟିସାହିରେ ଅଛି। ମାଟିସାହିରେ ଥିବା ଘରଟି ତାଙ୍କର ପୈତୃକ ଘର।

ଶ୍ରୀ ଷଡ଼ଙ୍ଗୀଙ୍କର ୭ଟି ପ୍ଲଟ ରହିଛି। ଏଥିରୁ ୩ଟି ଅନୁଗୋଳରେ ଥିବା ବେଳେ ୪ଟି ପିପିଲିରେ ଅଛି। ଅନୁଗୋଳରେ ଯେଉଁ ୩ଟି ପ୍ଲଟ୍ ଅଛି, ସେଥିରୁ ୨ଟି କରଡ଼ାଗାଡ଼ିଆରେ ଥିବା ବେଳେ ଗୋଟିଏ ମାଳି ସାହିରେ ଅଛି। ସେହିପରି ପିପିଲିରେ ତାଙ୍କର ଥିବା ୪ଟି ଯାକ ପ୍ଲଟ ସିଉଳାରେ ରହିଛି। ତାଙ୍କ ପାଖରୁ ୧ କେଜି ୧୪୧ ଗ୍ରାମ ସୁନା ଅଳଙ୍କାର ଓ ୧୫ଟି ଦାମୀ ଘଣ୍ଟା ଜବତ କରାଯାଇଛି। ତାଙ୍କର ଗୋଟିଏ କାର, ଗୋଟିଏ ଦୁଇ ଚକିଆ ଗାଡ଼ି ଓ ୧୫ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ଆସବାବପତ୍ର ଠାବ କରାଯାଇଛି। ଏତେ ସବୁ ସଂପତ୍ତି ସେ କେମିତି ଆହରଣ କଲେ, ସେ ନେଇ ଭିଜିଲାନ୍ସକୁ ସନ୍ତୋଷଜନକ ଉତ୍ତର ଦେଇ ପାରି ନଥିଲେ। ଏହା ପରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଥିଲା।

ମାସିକ ୨୦୦୦ ଟଙ୍କା ଷ୍ଟାଇପେଣ୍ଡରେ ଆରମ୍ଭ କରିଥିଲେ ଚାକିରି

ବୈକୁଣ୍ଠନାଥ ଷଡ଼ଙ୍ଗୀଙ୍କ ସରକାରୀ ଚାକିରି ଜୀବନ ଆରମ୍ଭ ହୋଇଥିଲା ୧୯୯୧ ସେପ୍ଟେମ୍ବର ୩୦ ତାରିଖରୁ। ମାସିକ ୨୦୦୦ ଟଙ୍କାର ଷ୍ଟାଇପେଣ୍ଡରେ ସେ ପଞ୍ଚାୟତରାଜ ବିଭାଗ ଅଧୀନରେ ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକରୁ କାର୍ଯ୍ୟ ଆରମ୍ଭ କରିଥିଲେ। ଏହା ପରେ ସେ ୧୯୯୯ ଜୁଲାଇ ମାସ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ବ୍ଲକରେ ଜଣେ ଷ୍ଟାଇପେଣ୍ଡିଆରୀ ଇଞ୍ଜିନିୟର ଭାବେ କାର୍ଯ୍ୟ କରିଥିଲେ। ୧୯୯୯ ମସିହା ଜୁଲାଇ ୧୫ ତାରିଖରେ ତାଙ୍କ ଚାକିରି ନିୟମିତ ହୋଇଥିଲା ଓ ସେ ସହକାରୀ ଯନ୍ତ୍ରୀ ହୋଇଥିଲେ। ସହକାରୀ ଯନ୍ତ୍ରୀ ଭାବେ ସୁନ୍ଦରଗଡ଼ ପିଡବ୍ଲ୍ୟୁଡି ଡିଭିଜନରେ ତାଙ୍କୁ ନିଯୁକ୍ତି ମିଳିଥିଲେ। ପରବର୍ତ୍ତୀ ସମୟରେ ସେ ରାଜ୍ୟର ବିଭିନ୍ନ ପିଡବ୍ଲ୍ୟୁଡି ଡିଭିଜନରେ କାର୍ଯ୍ୟ କରିଥିଲେ। ୨୦୧୨ ପର୍ଯ୍ୟନ୍ତ ସେ ତାଳଚେର ଆରଡି ସବ୍‌-ଡିଭିଜନରେ କାର୍ଯ୍ୟ କରିଥିଲେ। ୨୦୧୪ରେ ସେ ସହକାରୀ ନିର୍ବାହୀ ଯନ୍ତ୍ରୀ ଭାବେ ପଦୋନ୍ନତି ପାଇ ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ଆରଡି ସବ୍‌ଡିଭିଜନରେ ନିଯୁକ୍ତ ହୋଇଥିଲେ। ୨୦୧୬ ଅକ୍ଟୋବରରେ ସେ ନିର୍ବାହୀ ଯନ୍ତ୍ରୀ ଭାବେ ପଦୋନ୍ନତି ପାଇଥିଲେ ଓ ଦେବଗଡ଼ ଆରଡି ଡିଭିଜନରେ ନିଯୁକ୍ତ ହୋଇଥିଲେ। ୨୦୨୩ ଜାନୁଆରୀ ମାସରେ ସେ ଅତିରିକ୍ତ ମୁଖ୍ୟଯନ୍ତ୍ରୀ ଭାବେ ପଦୋନ୍ନତି ପାଇଥିଲେ। ୨୦୨୫ ଫେବ୍ରୁଆରୀ ମାସରୁ ଏଯାବତ ସେ ଭୁବନେଶ୍ୱରରେ ଗ୍ରାମ୍ୟ ଉନ୍ନୟନ ବିଭାଗରେ ମୁଖ୍ୟଯନ୍ତ୍ରୀ (ପ୍ଲାନ୍ ରୋଡ୍‌ସ) ଭାବେ କାର୍ଯ୍ୟ କରୁଥିଲେ।

Vigilance Raid Odisha Vigilance Vigilance Net
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe