Marriage
ବାଲ୍ୟ ବିବାହ ଆଇନ ଅନୁଯାୟୀ ଅପରାଧ। ଏହାକୁ ରୋକିବା ପାଇଁ ବିଭିନ୍ନ ସଚେତନତା କରାଯାଉଛି। ହେଲେ ଏହାକୁ ମାନୁ ନାହିଁ ମଣିଷ ସମାଜ। ବିଭିନ୍ନ ସଚେତନତା ସତ୍ତ୍ୱେ ରୋକା ଯାଇପାରୁ ନାହିଁ ବାଲ୍ୟ ବିବାହ। ସବୁ ଆଇନ୍ କାନୁନକୁ ଜଳାଞ୍ଜଳି ଦେଇ କରାଯାଉଛି ବାଲ୍ୟବିବହ। ତାହା ପୁଣି କୌଣସି ଉପାନ୍ତ ଅଞ୍ଚଳରେ ନୁହେଁ, ଏପରି ଘଟଣା ଦେଖିବାକୁ ମିଳିଛି ସିଲଭର ସିଟି କଟକ ସହରରେ।
ଗତକାଲି କଟକ ଜିଲ୍ଲା ଗଡ଼ଗଡ଼ିଆ ମନ୍ଦିରରେ ଗୁରୁଡ଼ିଝାଟିଆ ଅଞ୍ଚଳର ଜଣେ ନାବାଳିକାଙ୍କୁ ତାଙ୍କ ପରିବାର ଲୋକେ ଜୋର ଜବରଦସ୍ତି ଉତ୍ତରପ୍ରଦେଶର ଜଣେ ଯୁବକଙ୍କ ସହ ବିବାହ କରାଇ ଦେଉଥିଲେ। ହେଲେ ନାବାଳିକାଙ୍କ ଅଜା ଏହାକୁ ବିରୋଧ କରିଥିଲେ। ନାତୁଣୀକୁ ଏତେ କମ୍ ବୟସରେ ନ ବିବାହ କରିବାକୁ ପରିବାର ଲୋକଙ୍କୁ କହିଥିଲେ। ହେଲେ ପରିବାର ଲୋକେ ଅଜାର କଥାକୁ ଶୁଣି ନଥିଲେ। ଶେଷରେ ନାତୁଣୀର ବିବାହ ଅଟକାଇବା ପାଇଁ ଚାଇଲ୍ଡଲାଇନରେ ଖବର ଦେଇଥିଲେ। ଚାଇଲ୍ହ ଲାଇନ ଅଜାଙ୍କ ଅଭିଯୋଗ ଆଧାରରେ ପୁଲିସ ଧରି ଘଟଣାସ୍ଥଳରେ ପହଞ୍ଚିଥିଲା।
ପୁଲିସକୁ ଦେଖି ବର ଫେରାର ହୋଇଯାଇଥିଲା। ପୁଲିସ ୨ଜଣ ଦଲାଲଙ୍କ ସହ ପରିବାର ଲୋକଙ୍କୁ ଥାନାକୁ ଆଣି ପଚରାଉଚରା କରିଥିଲା। ଏହା ସହିତ ନାବାଳିକାଙ୍କୁ ସିଡବ୍ଲୁସିରେ ହାଜର କରିଥିଲା। ଅଜା ନାତୁଣୀର ଭବିଷ୍ୟତ ଅନ୍ଧାର ହେଉଥିବା ଜାଣି ଏପରି ପଦକ୍ଷେପ ନେଇଥିବାରୁ ସମସ୍ତେ ତାଙ୍କୁ ପ୍ରଶଂସା କରିଥିଲେ।
ନାବାଳିକାଙ୍କ ଅଜା କହିଛନ୍ତ, ଆମ ଗାଁ ପାଖରେ ଜଣେ ଦଲାଲ ପରିବାର ଲୋକଙ୍କୁ କିଛି ପଇସା ଲୋଭ ଦେଖାଇ ଝିଅମାନଙ୍କୁ ବାହାର ରାଜ୍ୟର ଯୁବକ ସହ ବିବାହ କରି ଦେଉଛି। ମୋ ନାତୁଣୀକୁ ମଧ୍ୟ ଏପରି କରିଥିଲା। ମୁଁ ତା’ ବାପାମାକୁ ମନା କରିଥିଲି। ହେଲେ ସେମାନେ ମୋ କଥା ଶୁଣି ନଥିଲେ। ଶେଷରେ ମୁଁ ଏହି ବିଷୟରେ ଚାଇଲ୍ହ ଲାଇନକୁ ଜଣାଇଥିଲି।
ନାବାଳିକା ଜଣଙ୍କ କହିଛନ୍ତି, ମୁଁ ଏହି ବିବାହ କରିବାକୁ ରାଜି ନଥିଲି। ମୋ ବାପାମା ବି ରାଜି ନଥିଲେ। ମୋ ଜେଜେମା’ ଜୋରଜବରଦସ୍ତକରିବାରୁ ମୋ ବାପାମା’ ବିବାହ ପାଇଁ ରାଜି ହୋଇଥିଲେ। ଜଣେ ଦଲାଲ ମୋ ଜେଜେ ମା’କୁ ମୋ ବିବାହ ପାଇଁ କହିଥିଲା। ସେହି ଦଲାଲ ଆମ ଗାଁର କେତେକ ଝିଅକୁ ନେଇ ବାହାର ରାଜ୍ୟର ଯୁବକଙ୍କ ସହ ବିବାହ କରି ଦେଉଛି। ପରେ ସେହି ଝିଅମାନେ ଆଉ ଗାଁକୁ ଫେରୁ ନାହାନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us