/odisha-reporter/media/post_attachments/uploadimage/library/16_9/16_9_0/IMAGE_1758369511.jpg)
Prithviraj Kamila
ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ସୁନ୍ଦରଗଡ଼ ଜିଲ୍ଲା ବଣାଇର ରୁକୁରା ଜଳସେଚନ ପ୍ରକଳ୍ପର ଜମି ଅଧିଗ୍ରହଣ ଓ ପୁନର୍ବାସ କାର୍ଯ୍ୟାଳୟର କିରାଣି ତଥା କ୍ୟାସିୟର ପୃଥ୍ୱୀରାଜ କାମିଲା। ତାଙ୍କଠାରୁ ୭ ହଜାର ଟଙ୍କାର ଲାଞ୍ଚ ଅର୍ଥ ଜବତ କରାଯାଇଛି।
ଜଣେ ବ୍ୟକ୍ତିଙ୍କର ଜମି ଅଧିଗ୍ରହଣ କରାଯାଇଥିବା ବେଳେ କ୍ଷତିପୂରଣ ବାବଦକୁ ସେ ୨.୦୭ ଲକ୍ଷ ଟଙ୍କା ପାଇବାର ଅଛି। କ୍ଷତିପୂରଣ ଟଙ୍କା ପାଇଁ ଗଲା ୬ ମାସ ହେଲାଣି ସେ କିରାଣି ତଥା କ୍ୟାସିୟର ପୃଥ୍ୱୀରାଜ କାମିଲାଙ୍କୁ ଅନୁରୋଧ କରିଆସୁଥିଲେ। ହେଲେ ଶ୍ରୀ କାମିଲା ତାଙ୍କୁ ୨୦ ହଜାର ଟଙ୍କା ମାଗିଥିଲେ। ଜମି ହରାଇଥିବା ସେହି ବ୍ୟକ୍ତି ଜଣଙ୍କ ପ୍ରଥମ କିସ୍ତିରେ ତାଙ୍କୁ ୧୦ ହଜାର ଟଙ୍କା ଦେଇଥିଲେ। ତଥାପି ଶ୍ରୀ କାମିଲା ତାଙ୍କ କାମ କରି ନଥିଲେ। ପୂରା ଟଙ୍କା ନମିଳିବା ପର୍ଯ୍ୟନ୍ତ କାମ ହେବନି ବୋଲି ସେ ସଫା ସଫା ଶୁଣାଇ ଦେଇଥିଲେ।
ହିତାଧିକାରୀ ଜଣଙ୍କ ଆଉ ୧୦ ହଜାର ଟଙ୍କା ଦେବାକୁ ସକ୍ଷମ ନୁହନ୍ତି ବୋଲି ତାଙ୍କୁ କହିଥିଲେ। ଏହା ପରେ ଶ୍ରୀ କାମିଲା ତାଙ୍କୁ ୭ ହଜାର ଟଙ୍କା ଦେବାକୁ କହିଥିଲେ। ଫଳରେ ଅନ୍ୟକୌଣସି ଉପାୟ ନପାଇ ହିତାଧିକାରୀ ଜଣଙ୍କ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଯୋଜନା ପ୍ରକାରେ ଆଜି ତାଙ୍କଠାରୁ କିରାଣି ତଥା କ୍ୟାସିୟର ପୃଥ୍ୱୀରାଜ କାମିଲା ୭ ହଜାର ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ।
ଲାଞ୍ଚ ନେଇ ଧରାପଡ଼ିବା ପରେ ଶ୍ରୀ କାମିଲାଙ୍କର ୪ଟି ଠିକଣାରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ସେ ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ସନ୍ଦେହରେ ଏହି ଚଢ଼ାଉ କରାଯାଇଛି। ରାଉରକେଲା ଭିଜିଲାନ୍ସ ଥାନାରେ ତାଙ୍କ ନାଁରେ ମାମଲା ରୁଜୁ ହୋଇଥିବା ବେଳେ ତଦନ୍ତ ଜାରି ରହିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
