/odisha-reporter/media/post_attachments/uploadimage/library/16_9/16_9_0/CM_Meeting_1755097984.jpg)
CM Meeting
ରାଜ୍ୟରେ ଅପରାଧ ନିୟନ୍ତ୍ରଣ ଓ ଆଇନଶୃଙ୍ଖଳା ପରିସ୍ଥିତିକୁ ସୁଦୃଢ଼ କରି ସାଧାରଣ ଲୋକଙ୍କୁ ସୁରକ୍ଷିତ ଅନୁଭବ କରାଇବା ନିମନ୍ତେ ଆବଶ୍ୟକ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହିତ ପୁଲିସକୁ ମାସେ ମହଲତ ଦେଇ ପୁଣିଥରେ ଆଇନଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରିବେ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ବୈଠକରେ ସ୍ପଷ୍ଟ କରାଇ ଦେଇଛନ୍ତି । ତେବେ ରାଜ୍ୟବ୍ୟାପୀ ଅଗଷ୍ଟ ୧ରୁ ୧୪ତାରିଖ ପର୍ଯ୍ୟନ୍ତ ଚାଲିଥିବା ଓଡ଼ିଶା ପୁଲିସର ‘ଅପରେସନ୍ ଗରୁଡ଼’ ସମ୍ପର୍କରେ ଏହି ସମୀକ୍ଷା ବୈଠକରେ କୌଣସି ସୂଚନା ଦିଆଯାଇନଥିଲା ବୋଲି ଜଣାପଡ଼ିଛି ।
ମାସକ ପରେ ପୁଣିଥରେ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ
ରାଜ୍ୟରେ ଅପରାଧ ନିୟନ୍ତ୍ରଣ ଓ ଆଇନଶୃଙ୍ଖଳା ପରିସ୍ଥିତିରେ ସୁଧାର ଆଣି ସାଧାରଣ ଲୋକଙ୍କ ମନରେ ସୁରକ୍ଷିତ ଭାବନା ସୃଷ୍ଟି ଦିଗରେ ଓଡ଼ିଶା ପୁଲିସ କ’ଣ ସବୁ ପଦକ୍ଷେପ ନେଇଛି ତା’ର ସମୀକ୍ଷା ପୁଣିଥରେ ଆସନ୍ତା ମାସରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କରିବେ ବୋଲି ସୂଚନା ମିଳିଛି । ମୁଖ୍ୟମନ୍ତ୍ରୀଙ୍କ ଏଭଳି ଆଭିମୁଖ୍ୟ ପରେ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଓ ମହିଳାବିରୋଧୀ ହିଂସା ଉପରେ ତୁରନ୍ତ ଲଗାମ ଦେବା ପୁଲିସ ପାଇଁ ଚ୍ୟାଲେଞ୍ଜ ହୋଇଛି । ରାଜ୍ୟର ଅପରାଧ ନିୟନ୍ତ୍ରଣ ଓ ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଗତକାଲି ପ୍ରାୟ ୨ଘଣ୍ଟା ଧରି ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ ।
ସବୁବେଳେ ଆକ୍ସନ ମୋଡ଼ରେ ରହୁ ପୁଲିସ୍
ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ନାରୀ ସୁରକ୍ଷା କ୍ଷେତ୍ରରେ ସରକାରଙ୍କ ଜିରୋ ଟଲେରାନ୍ସ ନୀତିକୁ ଗୁରୁତ୍ୱ ଦେଇ ପୁଲିସ ଯେଭଳି ସବୁବେଳେ ‘ଆକ୍ସନ ମୋଡ୍’ରେ ରହିବ ତାହା ସୁନିଶ୍ଚିତ କରିବାକୁ କହିଛନ୍ତି । ସ୍କୁଲ ଓ କଲେଜ ଅଂଚଳରେ ନିୟମିତ ପାଟ୍ରୋଲିଂ କରି ଛାତ୍ରଛାତ୍ରୀଙ୍କ ସୁରକ୍ଷା ପ୍ରଦାନ, ଟ୍ରାଫିକ ବ୍ୟବସ୍ଥାକୁ ସୁନିୟନ୍ତ୍ରିତ ଓ ପାଟ୍ରୋଲିଂ ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ସହ ବରିଷ୍ଠ ପୁଲିସ ଅଧିକାରୀମାନେ ନିୟମିତ ଏସବୁର ତଦାରଖ କରିବାକୁ ମଧ୍ୟ କହିଛନ୍ତି ।
ଡ୍ରଗ୍ସ ଚାଲାଣ ଓ ଗଞ୍ଜେଇ ଚାଷକୁ ନିୟନ୍ତ୍ରଣକୁ ଆଣ
ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପଡେ଼ାଶୀ ରାଜ୍ୟ ସୀମା ଦେଇ ଓଡ଼ିଶାକୁ ଆସୁଥିବା ବ୍ରାଉନସୁଗାର ଚାଲାଣ ଏବଂ ବେଆଇନ ଗଞ୍ଜେଇ ଚାଷକୁ ରୋକିବା ପାଇଁ କଡ଼ା ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବୈଠକରୁ ଜଣାପଡ଼ିଛି ଯେ, ଗତ ବର୍ଷକ ମଧ୍ୟରେ ୮୦୩୫ ମହିଳା ଓ ୩୩୦୬ ଜଣ ବାଳିକାଙ୍କୁ ଉଦ୍ଧାର କରାଯାଇଛି । ଗତ ୧୫ ବର୍ଷର ତଥ୍ୟ ଅନୁଯାୟୀ, ବିଗତ ଏକ ବର୍ଷରେ ଅଧିକାଂଶ କ୍ଷେତ୍ରରେ ଅପରାଧ ହ୍ରାସ ପାଇଥିବା ବୈଠକରେ ପୁଲିସ ପକ୍ଷରୁ ସୂଚନା ଦିଆଯାଇଥିଲା । ବେଆଇନ ଅସ୍ତ୍ରଶସ୍ତ୍ର କାରବାର, ବାଲି ଚୋରାଚାଲାଣ ଏବଂ ଜାମିନ୍ ବିହୀନ ୱାରେଂଟ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ପୁଲିସର କାର୍ଯ୍ୟରେ ମୁଖ୍ୟମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଥିଲେ ।
ପୁଲିସ ନିଯୁକ୍ତି ବୋର୍ଡ ଗଠନ ପାଇଁ ନିଷ୍ପତ୍ତି
ପୁଲିସ ବିଭାଗରେ ଖାଲି ପଡ଼ିଥିବା ପଦବୀ ଗୁଡ଼ିକୁ ଯଥାଶୀଘ୍ର ପୂରଣ କରିବା ପାଇଁ ଏକ ସ୍ୱତନ୍ତ୍ର ପୋଲିସ ନିଯୁକ୍ତି ବୋର୍ଡ ଗଠନ କରିବାକୁ ନିଷ୍ପତ୍ତି ନିଆଯାଇଛି । ନେଇଛନ୍ତି । ଏହା ପୋଲିସ ବିଭାଗକୁ ଆହୁରି ସଶକ୍ତ କରିବ ଏବଂ ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତିକୁ ସୁଧାରିବାରେ ସହାୟକ ହେବ ।
୬ ମାସ ପରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ
ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପ୍ରାୟ ୬ମାସ ବ୍ୟବଧାନରେ ପୁଲିସର କାର୍ଯ୍ୟର ସମୀକ୍ଷା କରିଛନ୍ତି । ଗତ ଜାନୁୟାରୀ ମାସରେ ଗୃହ ବିଭାଗର ସମୀକ୍ଷା କରି କେତେକ ନିର୍ଦ୍ଦେଶ ଦେଇଥିଲେ । ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ପ୍ରଥମଥର ପାଇଁ ଶ୍ରୀ ମାଝୀ ବରିଷ୍ଠ ଅଧିକାରୀମାନଙ୍କ ଉପସ୍ଥିତିରେ ଆନୁଷ୍ଠାନିକ ଭାବେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଥିଲେ । ଯେଉଁଥିରେ ମୁଖ୍ୟମନ୍ତ୍ରୀଙ୍କ ଉପଦେଷ୍ଟା ପ୍ରକାଶ ମିଶ୍ର, ଆଡଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟଙ୍କ ସମେତ ମୁଖ୍ୟ ସଚିବ, ଗୃହ ସଚିବ, ପୁଲିସ ଡିଜି, କ୍ରାଇମବ୍ରାଂଚ ଡିଜି, ଗୁଇନ୍ଦା ଡିଜି, ଗୃହ ବିଭାଗର ସ୍ୱତନ୍ତ୍ର ଡିଜିଙ୍କ ସମେତ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଓ ବ୍ୟକ୍ତିଗତ ସଚିବ ଉପସ୍ଥିତ ଥିଲେ ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
