“କ୍ୟାବିନେଟ୍ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ପଛରେ କୋଇଲା ଟ୍ରାନ୍ସପୋର୍ଟ ମାଫିଆଙ୍କ ହାତ ଅଛି । ଝାରସୁଗୁଡ଼ାର ତତକାଳୀନ ଜିଲ୍ଲାପାଳ ଓ ଏସପିଙ୍କ ମାଧ୍ୟମରେ ନବଙ୍କୁ ଧମକ ଦିଆଯାଇଥିଲା । ଉଭୟ ଅଫିସରଙ୍କୁ ଜେରା କରାଗଲେ, କିଏ ସେମାନଙ୍କୁ ଏଭଳି ଧମକ ଦେବାକୁ କହିଥିଲା, ତାହା ଲୋକଲୋକଚନକୁ ଆସିପାରିବ ।” ଏଭଳି ବିସ୍ଫୋରକ ମନ୍ତବ୍ୟ ଦେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ନବଙ୍କ ଘନିଷ୍ଠ ବନ୍ଧୁ ସନ୍ତୋଷ ସିଂ ସାଲୁଜା । ଆଉ ସାଲୁଜାଙ୍କ ଏହି ବୟାନ ପରେ ନବଙ୍କ ହତ୍ୟା ପଛରେ ଷଡ଼ଯନ୍ତ୍ର ରହିଥିବା ନେଇ ଯେଉଁ ଚର୍ଚ୍ଚା ଆରମ୍ଭରୁ ଲାଗି ରହିଥିଲା ତାହା ମଧ୍ୟ ଧୀରେଧୀରେ ପ୍ରମାଣିତ ହେବାରେ ଲାଗିଛି । ବିଶେଷକରି କ୍ରାଇମବ୍ରାଂଚର ତଦନ୍ତ ଆଳରେ ଷଡ଼ଯନ୍ତ୍ରକାରୀଙ୍କୁ ଖସାଇ ଦେବା ପାଇଁ ସୁଚିନ୍ତିତ ଉଦ୍ୟମ ହୋଇଥିବା ନେଇ ମଧ୍ୟ ଅନେକ ଚାଂଚଲ୍ୟକର ତଥ୍ୟ ଏବେ ଆସିବାରେ ଲାଗିଛି ।
ତତକାଳୀନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟାକୁ ଆଉ ମାତ୍ର ୮ଦିନ ପରେ ଦୁଇବର୍ଷ ପୁରିବ । ନବଙ୍କ ହତ୍ୟାକାରୀ ପୁଲିସ ଏଏସଆଇ ଗୋପାଳ ଦାସ ଗିରଫ ହୋଇଛନ୍ତି। କିନ୍ତୁ ସେ କାହିଁକି ଏହି ହତ୍ୟା କଲେ ତା’ର ରହସ୍ୟଭେଦ କରିବାରେ କ୍ରାଇମବ୍ରାଂଚ ସକ୍ଷମ ହୋଇପାରିନି । ଏପରିକି ହତ୍ୟା ପଛର ଯେଉଁସବୁ କାରଣ ଗୋପାଳ ଦେଉଛି ତାକୁ ନେଇ ସନ୍ତୁଷ୍ଟ ନଥିବା ଖୋଦ୍ ତଦନ୍ତକାରୀ ଅଫିସର କୋର୍ଟରେ ସ୍ୱୀକାର ମଧ୍ୟ କରିଛନ୍ତି । ତେବେ ଏସବୁ ମଧ୍ୟରେ ରାଜନୀତିକ ଓ ବ୍ୟବସାୟିକ ଷଡ଼ଯନ୍ତ୍ର ଦିଗରେ ତଦନ୍ତ ନକରି ଘଟଣାର ୧୨୦ଦିନ ମଧ୍ୟରେ ଚାର୍ଜସିଟ୍ ଦାଖଲ କରିଥିବା କ୍ରାଇମବ୍ରାଂଚର ପାରିବାପଣିଆ ଉପରେ ପ୍ରଶ୍ନ ଉଠିବାରେ ଲାଗିଲାଣି ।
ଏସବୁ ମଧ୍ୟରେ କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜା ଆଜି ଗଣମାଧ୍ୟମକୁ ବିସ୍ଫୋରକ ବୟାନ ଦେଇ କହିଛନ୍ତି ଯେ, “ ନବ ଦାସଙ୍କ ସହ ଏକାଠି ଗୋଟିଏ ଟେବୁଲରେ ଏକାଠି ଖାଇବାବେଳେ ଝାରସୁଗୁଡ଼ା ଜିଲ୍ଲାର କୋଇଲା ପରିବହନରୁ ତାଙ୍କୁ ଦୂରେଇ ଯିବା ପାଇଁ ଜିଲ୍ଲାପାଳ ଓ ଏସପି ଚାପ ପକାଇଥିବା ତାଙ୍କୁ କହିଥିଲେ । କିନ୍ତୁ ସେ ଉପରେ କଥା ହୋଇ ସାରିଛନ୍ତି । ୨୯ଟି ଜିଲ୍ଲାର ଟ୍ରାନ୍ସପୋର୍ଟ ବ୍ୟାପାର ସେମାନେ ବୁଝନ୍ତୁ କିନ୍ତୁ ଝାରସୁଗୁଡ଼ା ଦାୟିତ୍ୱ ସେ ନିଜେ ବୁଝିବେ ବୋଲି ଉପରେ କଥା ହୋଇଥିବା ନେଇ ନବ ତାଙ୍କୁ ସୂଚନା ଦେଇଥିଲେ । ଯଦି ତତକାଳୀନ ଜିଲ୍ଲାପାଳ ଓ ପୁଲିସ ଏସପିଙ୍କୁ ଜେରା କରାଯିବ ତା’ହେଲେ ସେମାନଙ୍କୁ କିଏ ଜଣେ ମନ୍ତ୍ରୀଙ୍କ ଉପରେ ଚାପ ପକାଇବାକୁ କହୁଥିଲା ତାହା ଜଣାପଡ଼ିବ ।”
ସାଲୁଜାଙ୍କ ଏହି ବୟାନ ଉପରେ ପ୍ରତିକ୍ରିୟା ରଖି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ, ନବ ଦାସଙ୍କ ପରିବାର ଲୋକେ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଲେଖିକି ଦେବେ ବୋଲି ଜଣାପଡ଼ୁଛି । ସେମାନେ ଲେଖିକି ଦେବା ପରେ ତଦନ୍ତ ରିଓପନ ହେବ । କଂଗ୍ରେସ ନେତା ସାଲୁଜା ଚାର୍ହିଲେ ସେତେବେଳେ ତଦନ୍ତକାରୀ ଅଫିସରଙ୍କ ଆଗରେ କେଉଁ ଦୁଇଜଣ ଅଫିସର ନବ ଦାସଙ୍କୁ କୋଲ ବ୍ଲକରୁ ଦୂରେଇ ରହିବାକୁ କହିଥିଲେ ଓ କିଏ ପରାମର୍ଶ ଦେଇଥିଲେ ତାହା କହିପାରିବେ । ଏହା ତଦନ୍ତର ଏକ ସାଧାରଣ ପ୍ରକ୍ରିୟା ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।
ଏପଟେ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର କହିଛନ୍ତି ଯେ, “ ନବ ଦାସ ହତ୍ୟାର ତଦନ୍ତ ଯେଭଳି ହେଉଥିଲା ସେ ଆରମ୍ଭରୁ କହିସାରିଛନ୍ତି ତଦନ୍ତ ଅପରାଧୀଙ୍କୁ ଧରିବା ପାଇଁ ନୁହେଁ ବରଂ ଅପରାଧୀଙ୍କୁ ସୁରକ୍ଷା ଦେବା ଦିଗରେ ହେଉଛି । ବିଜେଡି ନେତାମାନେ ଏହି ହତ୍ୟା ଷଡ଼ଯନ୍ତ୍ରରେ ଅଛନ୍ତି । ନବଙ୍କ ହତ୍ୟା ପରେ ସମ୍ବଲପୁର ପୁଲିସ ଆଇଜିଙ୍କ କାର୍ଯ୍ୟାଳୟକୁ ସବୁ ବିଜେଡି ନେତାଙ୍କୁ ଡକାଯାଇଥିଲା । ସେଠାରେ ବିଜେଡି ନେତାମାନେ ପିଟାପିଟି ହୋଇଥିଲେ । ଥାନାରେ ଏନେଇ ମାମଲା ବି ହୋଇଥିଲା ବୋଲି ଶ୍ରୀ ମିଶ୍ର କହିଛନ୍ତି ।
ଅନ୍ୟପକ୍ଷରେ ଖୋଳତାଡ଼ରୁ ଜଣାପଡ଼ିଛି ଯେ, ୨୦୧୯ ମେ’ ୨୯ରେ ନବ ରାଜ୍ୟର କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଇଥିଲେ । ତା’ପରେ ୨୦୧୯ ସେପ୍ଟେମ୍ବର ୪ରୁ ୨୦୨୩ ଏପ୍ରିଲ ୬ତାରିଖ ପର୍ଯ୍ୟନ୍ତ ଝାରସୁଗୁଡ଼ାର ଜିଲ୍ଲାପାଳ ଭାବେ ବରିଷ୍ଠ ଓଏଏସ୍ ଅଫିସର(ଏବେ ଆଇଏଏସ) ସରୋଜ କୁମାର ସାମଲ ଏବଂ ଜିଲ୍ଲା ଏସପି ଭାବେ ଆଇପିଏସ୍ ରାହୁଲ ଜୈନ ୨୦୨୨ ଏପ୍ରିଲ ୨୮ରୁ ୨୦୨୩ ଜାନୁୟାରୀ ୩୧ତାରିଖ ପର୍ଯ୍ୟନ୍ତ ରହିଥିଲେ । ନବଙ୍କୁ ୨୦୨୩ ଜାନୁୟାରୀ ୨୯ରେ ଗୁଳି କରାଯାଇଥିଲା । ତେଣୁ ଯଦି ସାଲୁଜାଙ୍କ କଥାରେ ସତ୍ୟତା ଥାଏ ତା’ହେଲେ ଏହି ଦୁଇ ଅଫିସରଙ୍କୁ ଜେରା କରାଗଲେ କାହା କଥାରେ ସେମାନେ ଜଣେ କ୍ୟାବିନେଟ୍ ମନ୍ତ୍ରୀଙ୍କୁ କୋଇଲା ଟ୍ରାନ୍ସପୋର୍ଟ କାରବାରୁ ଦୂରେଇ ରହିବାକୁ କହିଥିଲେ ତାହା ଜଣାପଡ଼ିଯିବ । ଶ୍ରୀ ସାମଲ ଏବେ ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ଥିବାବେଳେ ରାହୁଲ ଜୈନ ଅନୁଗୁଳର ଜିଲ୍ଲା ଏସପି ଅଛନ୍ତି । ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି, କ୍ରାଇମବ୍ରାଂଚ ନିଜର ତଦନ୍ତ କରି ୫୪୪ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଥିଲେ ମଧ୍ୟ ତତକାଳୀନ ଜିଲ୍ଲାପାଳ କିମ୍ବା ଏସପିଙ୍କ ବୟାନ ରେକର୍ଡ କରିନଥିବା ଜଣାପଡ଼ିଛି । ଏପରିକି ଯେଉଁ ରାଜନୀତିକ ଓ ବ୍ୟବସାୟିକ ଷଡ଼ଯନ୍ତ୍ରକୁ ନେଇ ଆରମ୍ଭରୁ ଚର୍ଚ୍ଚା ହେଉଥିଲା ସେଦିଗକୁ ମଧ୍ୟ ତଦନ୍ତ ପ୍ରକ୍ରିୟାରୁ ବାଏଁବାଏଁ ଉଡ଼ାଇ ଦେଇ କେବଳ ଗୋପାଳ ଉପରେ ତଦନ୍ତକୁ କେନ୍ଦ୍ରିତ ରଖିଥିଲା । ଏପରିକି ଫିଲ୍ମ କାହାଣୀ ଭଳି ନବଙ୍କ ହତ୍ୟାର ୩ଦିନ ପରେ ‘ଗୋପାଳର ହାତଲେଖା ଚିଠିକୁ ଝାରସୁଗୁଡ଼ା ବିମାନ ବନ୍ଦରର ସେପଟିକ୍ ଟ୍ୟାଙ୍କରୁ ଖୋଜିବା’ର ନାଟକ କରି କେବଳ ଲୋକଙ୍କୁ ବିଭ୍ରାନ୍ତ କରିଥିବା ମଧ୍ୟ ଏବେ ସ୍ପଷ୍ଟ ହେବାରେ ଲାଗିଛି । ନବ ଦାସ ହତ୍ୟା ମାମଲାରେ କ୍ରାଇମବ୍ରାଂଚର ତଦନ୍ତରେ ଅନେକ ତ୍ରୁଟି ଏବେ ପଦାରେ ପଡ଼ିଥିବାବେଳେ ପ୍ରକୃତ ସତ୍ୟ ଲୋକଲୋଚନକୁ ଆଣିବା ଏବେ ରାଜ୍ୟର ବିଜେପି ସରକାର ପାଇଁ ଏକପ୍ରକାର ଚ୍ୟାଲେଞ୍ଜ ପାଲଟିଛି ।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।