ଦେଶର ରାଜଧାନୀ ଦିଲ୍ଲୀ ଏବେ ପାଲଟିଛି କୋକେନ ଚାଲାଣର ଗଡ଼। ପୁଣିଥରେ ଦିଲ୍ଲୀରୁ ଜବତ ହୋଇଛି ୨୦୦ କେଜିର କୋକେନ। ଏହାର ବଜାର ମୂଲ୍ୟ ପ୍ରାୟ ୨ ହଜାର କୋଟି ଟଙ୍କା ହେବ। ଦିଲ୍ଲୀ ପୁଲିସ୍ର ସ୍ପେଶାଲ ସେଲ୍ ରମେଶ ନଗର ଅଞ୍ଚଳରେ ଥିବା ଗୋଟିଏ ଗୋଦାମରୁ ଏତେ ପରିମାଣର କୋକେନକୁ ଜବତ କରିଛି।
ଯେଉଁ କାର୍ରେ ଏହି କୋକେନକୁ ଚାଲାଣ କରାଯିବାର ଥିଲା, ସେଥିରେ ଜିପିଏସ୍ ଲାଗିଥିଲା। ସ୍ପେଶାଲ ସେଲ ଉକ୍ତ ଜିପିଏସ୍କୁ ଟ୍ରାକ କରି ଅପରେସନ ଆରମ୍ଭ କରିଥିଲା। କାର୍ଟି ଗୋଦାମ ନିକଟରୁ ମିଳିବା ପରେ ପୁଲିସ୍ ୨୦୦ କେଜି କୋକେନ ସେଠାରୁ ଜବତ କରିଛି।
ତେବେ ଦେଶର ରାଜଧାନୀକୁ ଏତେ ପରିମାଣର କୋକେନ ଆଣିଥିବା ବ୍ୟକ୍ତି ଜଣଙ୍କୁ ପୁଲିସ୍ ଧରିବାକୁ ସକ୍ଷମ ହୋଇନାହିଁ। ପୁଲିସ ତା’ ପାଖରେ ପହଞ୍ଚିବା ପୂର୍ବରୁ ସେ ଲଣ୍ଡନ ଫେରାର ହୋଇଯାଇଛି।
ପୂର୍ବରୁ ଅକ୍ଟୋବର ୨ରେ ଦକ୍ଷିଣ ଦିଲ୍ଲୀର ମହିପାଲପୁର ସ୍ଥିତ ଗୋଟିଏ ଗୋଦାମରୁ ୫,୬୨୦ କୋଟି ଟଙ୍କାର କୋକେନ ଓ ହାଇଡ୍ରୋପୋନିକ ଗଞ୍ଜେଇ ଜବତ ହୋଇଥିଲା। ୫୬୦ କେଜି କୋକେନ ଓ ୪୦ କେଜି ଗଞ୍ଜେଇ ଦିଲ୍ଲୀ ପହଞ୍ଚିବା ପଛରେ ଯେଉଁ ସିଣ୍ଡିକେଟ କାମ କରୁଥିଲା ସେମାନଙ୍କ ଲିଙ୍କ ଆଜି ଜବତ ହୋଇଥିବା ୨୦୦୦ କୋଟି ଟଙ୍କାର କୋକେନ ସହ ରହିଛି।
କୋକେନ ଚାଲାଣର ଏହି ସିଣ୍ଡିକେଟ ଦେଶର ବିଭିନ୍ନ ରାଜ୍ୟକୁ ବ୍ୟାପିଛି। ଏହି ଘଟଣାରେ ପୁଲିସ୍ ଘଟଣା ସ୍ଥଳରୁ ୪ ଜଣଙ୍କୁ ଗିରଫ କରିଥିବା ବେଳେ ଅମୃତସର ଓ ଚେନ୍ନାଇରୁ ୨ ଜଣଙ୍କୁ ଧରାଯାଇଛି। ସେହିପରି ଉତ୍ତର ପ୍ରଦେଶର ହାପୁରରେ ଜଣଙ୍କୁ ଅଟକ ରଖାଯାଇଛି।