କଲେଜ ଅଧ୍ୟକ୍ଷଙ୍କୁ ନିଜ ସମସ୍ୟା ଜଣାଇବାକୁ ଯାଇଥିଲେ ୨ ଛାତ୍ରୀ। ହେଲେ ଛାତ୍ରୀମାନଙ୍କ ସମସ୍ୟା ସମାଧାନ କରିବା ପରିବର୍ତ୍ତେ ସେମାନଙ୍କ ଉପରେ ପକାଇଲେ ଲୋଲୁପ ଦୃଷ୍ଟି। ଏପରିକି ତୁମେ ମୋ’ କଥା ବୁଝିଲେ ମୁଁ ବି ତୁମ କଥା ବୁଝିବି କହି ଗାଲକୁ ଚିମୁଟି ଦେଲେ। ଶେଷରେ କଥା ପଦାକୁ ଆସି ଥାନାରେ ପହଞ୍ଚିବା ପରେ ବନ୍ଧା ହେଲେ ରସିକିଆ କଲେଜ ଅଧ୍ୟକ୍ଷ ।
ଏପରି ଲଜ୍ଜାଜନକ ଘଟଣା ନୟାଗଡ଼ ଜିଲ୍ଲା ଇଟାମାଟି ଥାନା କେନ୍ଦୁଢିପି ନବ ଚୌଧୁରୀ ମହାବିଦ୍ୟାଳୟରେ ଘଟିଛି। ଗୁରୁ ନାଁରେ କଳଙ୍କ ସାଜିଥିବା ଏହି ଶିକ୍ଷକଙ୍କ ନାଁ ପ୍ରଦୀପ୍ତ ହାତୀ ବୋଲି ଜଣାଯାଇଛି। ଯୁକ୍ତ ୨ ର ଦୁଇ ଜଣ ଛାତ୍ରୀଙ୍କ ଅଭିଯୋଗ ଆଧାରରେ ପୁଲିସ୍ ତାଙ୍କୁ ବାନ୍ଧିଛି।
ଛାତ୍ରୀଦ୍ୱୟଙ୍କ ଅଭିଯୋଗ ଅନୁଯାୟୀ, ଆମେ ଏହି କଲେଜରେ ନାଁ ଲେଖାଇଥିବା ବେଳେ ଏଠାରେ ପାଠର ନାଁ ଗନ୍ଧ ନାହିଁ। କ୍ଲାସ ହେଉନି । ପ୍ରାକ୍ଟିକାଲ ହେଉନି। ଉପସ୍ଥାନ ବି ପଡ଼ୁନି। ଏହି ସମସ୍ୟା ସମ୍ପର୍କରେ ଜଣାଇବାକୁ ଆମେ କଲେଜ ଅଧ୍ୟକ୍ଷଙ୍କ ନିକଟକୁ ଯାଇଥିଲେ। ମାତ୍ର ସେ ଏକୁଟିଆ ଥିବା ବେଳେ ଆମ କଥା ଶୁଣି ହସିଥିଲେ। ଏପରିକି ମୋ’ କଥା ବୁଝିଲେ ମୁଁ ବି ତୁମ କଥା ବୁଝିବି ବୋଲି କହିବା ସହ ଗାଲକୁ ଚିମୁଟି ଦେଇଥିଲେ। ଏହା ଶୁଣି ଆମେ ଦୌଡ଼ି ପଳାଇଯିବାରୁ ସେ ବି ଆମକୁ ପିଛା କରି ଆସିଥିଲେ। ଏଥିସହ ଏହି କଥା ବାହାରେ ପ୍ରଘଟ କଲେ ପରୀକ୍ଷାରେ ଫେଲ୍ କରି ଦେବାର ଧମକ ଦେଇଥିଲେ।
ଏ ନେଇ ଦୁଇ ନାବାଳିକା କଲେଜ ଛାତ୍ରୀ ଇଟାମାଟି ଥାନାରେ ଲିଖିତ ଭାବେ ଅଭିଯୋଗ କରିବା ସହ ଜିଲ୍ଲା ଶିଶୁମଙ୍ଗଳ ଅଧିକାରୀଙ୍କ ନିକଟରେ ମଧ୍ୟ ଅଭିଯୋଗ କରିଛନ୍ତି। ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କଲେଜ ଅଧ୍ୟକ୍ଷ ପ୍ରଦୀପ୍ତ କୁମାର ହାତୀ ଏବଂ ଦୁଇ ନାବାଳିକାଙ୍କ ଡାକ୍ତରୀ ମାଇନା ହୋଇଛି l କଲେଜ ଅଧ୍ୟକ୍ଷଙ୍କୁ ଗିରଫ କରି ପୁଲିସ କୋର୍ଟଚାଲାଣ କରିଛି l
ଏହି ଘଟଣା ନେଇ ଅଧ୍ୟକ୍ଷ କୌଣସି ମତାମତ ଦେଇ ନାହାନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।