Advertisment

ସକାଳେ ମହିଳାଙ୍କ ବେକରୁ ଝାମ୍ପି ନେଉଥିଲେ ଶଳା ଭିଣୋଇ...

ଗତ ୩ ସପ୍ତାହରେ ଏହି ଗ୍ୟାଙ୍ଗ କଟକ ଓ ଭୁବନେଶ୍ୱରରେ ୬ଟି ଲୁଟ୍‌ କରିଥିଲେ। ଲୁଟ୍‌ର ତରିକା ପ୍ରାୟତଃ ସମାନ ଥିଲା। ଏ ନେଇ ଅଭିଯୋଗ ହେବା ପରେ ତତ୍ପର ହୋଇଥିଲା କମିଶନରେଟ୍‌ ପୁଲିସ୍‌।

ଅଦ୍ୟତନ ହୋଇଛି
Lootera

Lootera

Advertisment

ଶଳା ଓ ଭିଣୋଇଙ୍କ ଆତଙ୍କରାଜ। ସକାଳେ ସକାଳେ ମର୍ଣ୍ଣିଂୱାକ୍‌ କରୁଥିବା ମହିଳାଙ୍କୁ ଟାର୍ଗେଟ କରୁଥିଲେ। ଆଉ ସୁଯୋଗ ଦେଖି ଆଖି ପିଛୁଳାକେ ମହିଳାଙ୍କ ବେକରୁ ଝାମ୍ପି ନେଉଥିଲେ ସୁନା ଚେନ୍‌। ଲୁଟ୍‌ ପରେ ବିଜୁଳି ବେଗରେ ଚମ୍ପଟ ମାରୁଥିଲେ। କଟକ-ଭୁବନେଶ୍ୱରରେ ଏମିତି ଏକ ଶଳା ଓ ଭିଣୋଇ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି କମିଶନରେଟ୍‌ ପୁଲିସ୍‌। ଏଥିସହ ପୁଲିସ୍‌ ସେମାନଙ୍କଠାରୁ ବହୁ ସୁନା ଚେନ୍‌ ଜବତ କରିଛି।

Advertisment

ଭୁବନେଶ୍ୱର ବାଣୀବିହାରରେ ଏକ ବସ୍ତିରେ ରୁହନ୍ତି ଗଣେଶ ପୂର୍ତ୍ତି ଓ ଶଙ୍କର ଦାସ। ଉଭୟ ସମ୍ପର୍କରେ ଶଳା ଓ ଭିଣୋଇ। ଏହି ଶଳା-ଭିଣୋଇଙ୍କ ପେଶା ହେଲା ଲୁଟ୍‌ପାଟ କରିବା। ସକାଳେ ପ୍ରାତଃ ଭ୍ରମଣ କରୁଥିବା ବୟସ୍କ ମହିଳାଙ୍କୁ ସେମାନେ ଟାର୍ଗେଟ କରୁଥିଲେ। ଆଉ ସମୟ ସୁବିଧା ଦେଖି ମହିଳାଙ୍କ ବେକରୁ ଝାମ୍ପି ନେଉଥିଲେ ସୁନା ଚେନ୍‌। ଦରକାର ପଡ଼ିଲେ କଟୁରୀରେ ଆକ୍ରମଣ ମଧ୍ୟ କରୁଥିଲେ। ଗଣେଶ ଓ ଶଙ୍କରଙ୍କୁ ଲୁଟ୍‌ରେ ସହଯୋଗ କରୁଥିଲେ ସେକ୍‌ ନିମୟାର। ସେକଙ୍କ ଘର ପଶ୍ଚିବମଙ୍ଗରେ ହୋଇଥିବା ବେଳେ ସହିଦ୍‌ ନଗରରେ ଏକ ବସ୍ତିରେ ରହୁଥିଲେ।

ସବୁଠାରୁ ମଜାଦାର କଥା ହେଉଛି ଜେଲ୍‌ରେ ସେକ୍‌ ନିମୟାରଙ୍କ ସହିତ ଗଣେଶ ଓ ଶଙ୍କରଙ୍କ ଦେଖା ହୋଇଥିଲା। ତା’ପରେ ଉଭୟଙ୍କ ଭିତରେ ବନ୍ଧୁତା ଗଢ଼ି ଉଠିଥିଲା। ଜେଲ୍‌ରେ ଥିବା ବେଳେ ଲୁଟ୍‌ ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ। ହାଇକୋର୍ଟରୁ ବେଲ୍‌ ମିଳିବା ପରେ ଗଣେଶ ଓ ଶଙ୍କର ଜେଲରୁ ବାହାରିଥିଲେ। ପରେ ସେକ୍‌ ବାହାରିଥିଲେ। ତା’ପରେ ଲୁଟ୍‌ରେ ଲାଗିପଡ଼ିଥିଲେ।

Advertisment

ଗତ ୩ ସପ୍ତାହରେ ଏହି ଗ୍ୟାଙ୍ଗ କଟକ ଓ ଭୁବନେଶ୍ୱରରେ ୬ଟି ଲୁଟ୍‌ କରିଥିଲେ। ଲୁଟ୍‌ର ତରିକା ପ୍ରାୟତଃ ସମାନ ଥିଲା। ଏ ନେଇ ଅଭିଯୋଗ ହେବା ପରେ ତତ୍ପର ହୋଇଥିଲା କମିଶନରେଟ୍‌ ପୁଲିସ୍‌। ଭୁବନେଶ୍ୱର ଡିସିପି ପ୍ରତୀକ ସିଂଙ୍କ ନେତୃତ୍ୱରେ ଗଠନ ହୋଇଥିଲା ସ୍ୱତନ୍ତ୍ର ଟିମ୍‌। ଏହି ଟିମ୍‌ ଲୁଟ୍‌ ହୋଇଥିବା ଅଞ୍ଚଳରେ ଲାଗିଥିବା ସିସିଟିଭିକୁ ଯାଞ୍ଚ କରିଥିଲେ। ତା’ପରେ ସେମାନଙ୍କ ପତ୍ତା ପାଇଥିଲା। ଶେଷରେ ସେମାନଙ୍କୁ ଧରିବାରେ ସଫଳ ହୋଇଛି ପୁଲିସ୍‌। ଶଳା ଭିଣୋଇଙ୍କ ସମେତ ସେକଙ୍କୁ ଗିରଫ କରିଛି ପୁଲିସ୍‌। ସେମାନଙ୍କଠାରୁ ୪ଟି ସୁନା ଚେନ୍‌, ୩ଟି ଇମିଟେସନ୍‌, ୩ଟି ମୋବାଇଲ୍‌, ଲୁଟ୍‌ରେ ବ୍ୟବହାର ହେଉଥିବା ଗୋଟିଏ ବାଇକ୍‌ ଓ ଗୋଟିଏ କଟୁରୀ ପୁଲିସ୍‌ ଜବତ କରିଛି।

ପୁଲିସ୍‌ କମିଶନର ସଞ୍ଜୀବ ପଣ୍ଡାଙ୍କ କହିବା ଅନୁସାରେ ଗଣେଶ ଓ ଶଙ୍କର ସମ୍ପର୍କରେ ଶଳା ଭିଣୋଇ। ଏମାନେ ପେଶାଦାର ଲୁଟେରା। ରାଜ୍ୟର ବିଭିନ୍ନ ଥାନାରେ ଏମାନଙ୍କ ନାଁରେ ମାମଲା ରହିଛି। ତେବେ ଭୁବନେଶ୍ୱରରେ ବିଭିନ୍ନ ଥାନାରେ ଗଣେଶଙ୍କ ନାଁରେ ୩୯ଟି ମାମଲା ଥିବା ବେଳେ ଶଙ୍କର ନାମରେ ୨୯ଟି ମାମଲା ରହିଛି। ଏମାନେ ବହୁବାର ଜେଲ୍‌ ଯାଇଛନ୍ତି। ଏକ ମାମଲାରେ ଉଭୟ ୭ ବର୍ଷ ଜେଲ୍‌ ଯାଇଥିଲେ। ହାଇକୋର୍ଟରୁ ବେଲ୍‌ ମିଳିବା ପରେ ଗତ ମେ’ରେ ଉଭୟ ଜେଲ୍‌ରୁ ବାହାରିଥିଲେ। ସେହିପରି ସେକ୍‌ଙ୍କ ନାଁରେ ବାଲେଶ୍ୱରରେ ବହୁ ମାମଲା ଥିବା ଜଣାପଡ଼ିଛି। ତଥାପି ଘଟଣାର ତଦନ୍ତ ଚାଲିଛି ବୋଲି ପୁଲିସ୍‌ କମିଶନର କହିଛନ୍ତି।

Bhubaneswar Bhubaneswar News Loot
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe