Advertisment

ହୋଲିରେ ବ୍ରିଟ୍‌ କଲୋନୀରେ ଉତ୍ପାତ କରିଥିଲେ, ୮ ଜଣଙ୍କୁ ବାନ୍ଧିଲା ପୁଲିସ୍‌

ଫେରିବା ବେଳେ ବ୍ରିଟ୍‌ କଲୋନୀରେ ତାଣ୍ଡବ ରଚିଥିଲେ। ସ୍ଥାନୀୟ ଅଞ୍ଚଳର ଦୁର୍ଗା ପ୍ରସାଦ ବେହେରାଙ୍କୁ ଆକ୍ରମଣ କରିଥିଲେ। ସେ ଗୁରୁତର ଆହତ ହୋଇ ମେଡ଼ିକାଲ୍‌ରେ ଭର୍ତ୍ତି ହୋଇଥିଲେ। ଦୁର୍ବୃତ୍ତମାନେ କଲୋନୀବାସୀଙ୍କୁ ଧମକଚମକ ଦେଇଥିଲେ।

author-image
Manoranjan Sial
Police

Police

ରଙ୍ଗର ପର୍ବ ହୋଲିରେ ଭୁବନେଶ୍ୱର ବ୍ରିଟ୍‌ କଲୋନୀରେ ଉତ୍ପାତ କରିଥିଲେ। ଆଜି ସେମାନଙ୍କ ଭିତରୁ ୮ ଜଣଙ୍କୁ ମାଡ଼ି ବସିଲା କମିଶନରେଟ୍‌ ପୁଲିସ୍‌। ଗିରଫଙ୍କ ଭିତରେ ଜଣେ ନାବାଳକ ରହିଛି। ଅନ୍ୟମାନଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ କହିଛନ୍ତି।

Advertisment

ପୂରା ଘଟଣା ଏମିତି। ହୋଲି ଖେଳ ପରେ ନୟାପଲ୍ଲୀ ବ୍ରିଟ୍‌ କଲୋନୀର କେନ୍ଦୁ ଖୁଣ୍ଟିଆ ବାବା ବାଲୁକେଶ୍ୱର ମନ୍ଦିର ପାଖରେ ଥିବା ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ। ଗାଧୋଇବା ସମୟରେ ଗୋଟିଏ ଗୋଷ୍ଠୀ ସହିତ କଥା କଟାକଟି ହୋଇଥିଲା। ପରବର୍ତ୍ତୀ ସମୟରେ ଠେଲାପେଲା ହୋଇଥିଲା। ତା’ପରେ କେନ୍ଦୁ ଖୁଣ୍ଟିଆ ଘରକୁ ଫେରିଥିଲେ। ହେଲେ ପ୍ରତିଶୋଧ ପରାୟଣା ହୋଇପଡ଼ିଥିଲେ କେନ୍ଦୁ ଖୁଣ୍ଟିଆଙ୍କ ସହିତ ଗଣ୍ଡଗୋଳ କରିଥିବା ଗୋଷ୍ଠୀର ସଦସ୍ୟ। ସନ୍ଧ୍ୟା ବେଳେ ସେମାନେ ବ୍ରିଟ୍‌ କଲୋନୀକୁ ଯାଇଥିଲେ। କେନ୍ଦୁ ଖୁଣ୍ଟିଆଙ୍କୁ ଘରେ ନପାଇ ତାଙ୍କ ବାପା ଓ ମାଆଙ୍କ ସହିତ ଯୁକ୍ତିତର୍କ କରିଥିଲେ।

ଫେରିବା ବେଳେ ବ୍ରିଟ୍‌ କଲୋନୀରେ ତାଣ୍ଡବ ରଚିଥିଲେ। ସ୍ଥାନୀୟ ଅଞ୍ଚଳର ଦୁର୍ଗା ପ୍ରସାଦ ବେହେରାଙ୍କୁ ଆକ୍ରମଣ କରିଥିଲେ। ସେ ଗୁରୁତର ଆହତ ହୋଇ ମେଡ଼ିକାଲ୍‌ରେ ଭର୍ତ୍ତି ହୋଇଥିଲେ। ଦୁର୍ବୃତ୍ତମାନେ କଲୋନୀବାସୀଙ୍କୁ ଧମକଚମକ ଦେଇଥିଲେ। ଯେଉଁଥିପାଇଁ ସ୍ଥାନୀୟ ଲୋକମାନେ ଭୟରେ ଜୀବନ ବିକଳରେ ଘରେ ପଶି ଯାଇଥିଲେ। ଏ ନେଇ ସ୍ଥାନୀୟ ଲୋକ ନୟାପଲ୍ଲୀ ଥାନାକୁ ଖବର ଦେଇଥିଲେ। କମିଶନରେଟ୍‌ ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା।

Advertisment

ସ୍ଥାନୀୟ ଲୋକଙ୍କ ବୟାନ୍‌ ଓ ଭିଡିଓ ଫୁଟେଜ ତଥ୍ୟ ଆଧାରରେ କମିଶନରେଟ ପୁଲିସ ଅଭିଯୁକ୍ତଙ୍କୁ ଧରିବାକୁ ଉଦ୍ୟମ କରିଥିଲା। ଘଟଣା ଘଟିବାର ଦୁଇଦିନ ପରେ ଆଜି ପୁଲିସ୍‌ ୭ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଜଣେ ନାବାଳକକୁ ବାଳ ସୁଧାର ଗୃହକୁ ପଠାଇଦେଇଛି। ଗିରଫ ଅଭିଯୁକ୍ତମାନେ ହେଲେ କୁଶ ମୁଣ୍ଡା, ସୁଦର୍ଶନ, ରକି ନାୟକ, ରାଜକିଶୋର ଦିଗାଲ, ସୁମନ ପାତ୍ର, ସଞ୍ଜୟ କୁମାର ସାହୁ ଓ ବିଭୁ ନାୟକ। ଏମାନଙ୍କ ଭିତରୁ କିଛି ବ୍ୟକ୍ତିଙ୍କ ନାଁରେ ମାମଲା ରହିଛି। ଅନ୍ୟ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ କହିଛନ୍ତି। ଗିରଫ ଅଭିଯୁକ୍ତଙ୍କଠାରୁ ପୁଲିସ୍‌ ଗୋଟିଏ ସ୍କୁଟି, ଗୋଟିଏ କାର୍, ଧାରୁଆ ଅସ୍ତ୍ର ଇତ୍ୟାଦି ଜବତ କରାଯାଇଛି।

Bhubaneswar Bhubaneswar News