ଚାଲ୍ବାଜ୍ ଦମ୍ପତି। ସିସିଟିଭିରେ ଖେଳ କରି ହିମାଳୟରୁ ତ୍ରିକାଳ ଦର୍ଶୀବାବାଙ୍କଠାରୁ ହୁକୁମ ଆସୁଛି କହି ଲୁଟୁଥିଲେ। ତାହା ପୁଣି ରାଜଧାନୀ ଭୁବନେଶ୍ୱରରୁ ଏପରି ଅଭିଯୋଗ। ଏନେଇ ଅଭିଯୋଗ ହେବା ପରେ କମିଶନରେଟ୍ ପୁଲିସ୍ ମାମଲା ରୁଜୁ କରି ଅଭିଯୁକ୍ତ ଦମ୍ପତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ହେଲେ ତ୍ରିକାଳ ଦର୍ଶୀବାବାଙ୍କ ସମ୍ପର୍କରେ ପତ୍ତା ମିଳୁନି ବୋଲି ଭୁବନେଶ୍ୱର ଜୋନ୍-୪ ଏସିପି ଏସ୍.ଏନ. ମୁଦୁଲି କହିଛନ୍ତି।
ପୁରୀ ଜିଲ୍ଲା ନିମାପଡ଼ାରେ ସ୍ପର୍ଶକାନ୍ତ ସାହୁଙ୍କର ଗୋଟିଏ ଲୁଗା ଦୋକାନ ରହିଛି। ଆଉ ତାଙ୍କ ସ୍ତ୍ରୀ ହେଉଛନ୍ତି ରୀନି ସାହୁ। ସେ ଭୁବନେଶ୍ୱର ଓସ୍କାର ବିହାରରେ ଘର ଭଡ଼ା ନେଇ ରୁହନ୍ତି। ନିଜ ପିଲାଙ୍କ ପାଠ ପଢ଼ା ପାଇଁ ସେ ଏଠାରେ ରହୁଛନ୍ତି। ୨୦୨୨ ଫେବ୍ରୁଆରୀ ମାସରେ ରୀନି ଭୁବନେଶ୍ୱର ମଙ୍ଗରାଜ ନଗରରେ ଥିବା କୃପାସିନ୍ଧୁ ଦାସଙ୍କ ଗ୍ରୋସରୀ ମାର୍ଟକୁ ଯାଇଥିଲେ। ସେଠାରେ କିଣାକିଣା କରିବା ପରେ କୃପାସିନ୍ଧୁଙ୍କ ସହିତ କଥାବାର୍ତ୍ତା ହୋଇଥିଲେ। ତା’ପରେ ରୀନି ତାଙ୍କ ଦୋକାନକୁ ବାରମ୍ୱାର ଆସୁଥିଲେ ଓ କିଣାକିଣି କରିଥିଲେ। ଏହାରି ଭିତରେ ଉଭୟଙ୍କ ଭିତରେ ଆତ୍ମିୟତା ବଢ଼ିଥିଲା।
ରୀନା ପରବର୍ତ୍ତୀ ସମୟରେ ତାଙ୍କ ସ୍ୱାମୀ ସ୍ପର୍ଶକାନ୍ତଙ୍କୁ କୃପାସିନ୍ଧୁଙ୍କ ଦୋକାନକୁ ନେଇଥିଲେ। ସେଠାରେ ତାଙ୍କ ସହିତ ପରିଚିତ କରାଇଥିଲେ। ଏହା ପରେ ଉଭୟ(ରୀନି ଓ କୃପାସିନ୍ଧୁ)ଙ୍କ ମଧ୍ୟ ପାରିବାରିକ ସମ୍ପର୍କ ଗଢ଼ି ଉଠିଥିଲା। ନିୟମିତ କୃପାସିନ୍ଧୁଙ୍କ ଘରକୁ ଯିବା ଆସିବା କରୁଥିଲେ ରୀନି। ଆଉ ମଧୁର କଥା କହି କୃପାସିନ୍ଧୁ ଓ ତାଙ୍କ ପତ୍ନୀ ଚିନ୍ମୟୀଙ୍କ ମନ କିଣିଥିଲେ। ଖାଲି ମନ କିଣିନଥିଲେ, କୃପାସିନ୍ଧୁଙ୍କ ପ୍ରତି ଘରର କୋଣ ଅନୁକୋଣକୁ ନିଜ ଆଖିରେ କଏଦ କରୁଥିଲେ। ଆଉ ଘରେ ଲାଗୁଥିବା ସିସିଟିଭି କ୍ୟାମେରାର ପାସ୍ୱାର୍ଡକୁ ହାତେଇଥିଲେ। ପରେ ନିଜ ମୋବାଇଲ୍ରେ କୃପାସିନ୍ଧୁଙ୍କ ଘରେ ଲାଗିଥିବା ସିସିଟିଭିକୁ ଆକ୍ସେସ୍ କରିଥିଲେ। ଆଉ କୃପାସିନ୍ଧୁ ଓ ଚିନ୍ମୟୀଙ୍କ ଯିବା ଆସିବା ଉପରେ ତୀକ୍ଷିଣ ନଜର ରଖୁଥିଲେ।
ରୀନି ଜଣେ ଧ୍ରୁତ ଥିଲେ। କୃପାସିନ୍ଧୁଙ୍କ ବ୍ୟବସାୟକୁ ହଡ୍ପ କରିବା ପାଇଁ ପୂରା ପ୍ଲାନ୍ କରିଥିଲେ। ଆଉ ତାଙ୍କ ମନରେ ଅର୍ଥ ଲୋଭ ଦେଖାଇଥିଲେ। ଘରେ ଯାହା ଯାହା ଘଟୁଥିଲା, ତାହା ଟିକିନିକି ଖବର କହୁଥିଲେ। ଏକଥା ଜାଣିବା ପରେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ କୃପାସିନ୍ଧୁ। ଏ ସମ୍ପର୍କରେ ପଚାରିଲେ ହିମାଳୟରେ ଧ୍ୟାନ କରୁଥିବା ତ୍ରିକାଳ ଦର୍ଶୀ ବାବାଙ୍କ ମଧ୍ୟମରେ ଜାଣିପାରୁଥିବା ରୀନି କହିଥିଲେ। ଯାହାଫଳରେ କୃପାସିନ୍ଧୁ ଓ ଚିନ୍ମୟୀଙ୍କ ଭିତରେ ଉତ୍ସାହ ବଢ଼ିବାରେ ଲାଗିଥିଲା। ତାଙ୍କ କଥା ସହଜରେ ବିଶ୍ୱାସ କରିନଥିଲେ। ତ୍ରିକାଳ ଦର୍ଶୀ ବାବାଙ୍କ ବିଷୟରେ ଅଧିକ କିଛି ଜାଣିବା କୃପାସିନ୍ଧୁ ଓ ଚିନ୍ମୟୀଙ୍କ ଭିତରେ ଉତ୍ସାହ ବଢ଼ିଥିଲା। ଆଉ ଏହାର ସୁଯୋଗ ନେଇ ରୀନି ଆହୁ ରୋମାଞ୍ଚକ କଥା କହିଥିଲେ।
ତ୍ରିକାଳ ଦର୍ଶୀ ବାବା କାହାକୁ ଦେଖାଦିଅନ୍ତି ନାହିଁ, ଶୂନ୍ୟବାଣୀ କରନ୍ତି ବୋଲି ରୀନି କହିଥିଲେ। ବାବାଙ୍କ ଆଶୀର୍ବାଦ ମିଳିଲେ ବ୍ୟବସାୟରେ ଉନ୍ନତି ହେବ, ସନ୍ତାନ ପ୍ରାପ୍ତି, ବଢ଼ିଲା ଝିଆର ବାହାଘର ଭଲ ଘରେ ହେବ, ରୋଗରୁ ମୁକ୍ତି ମିଳିବ। ଏମିତି କେତେକଣ କଥା କହି କୃପାସିନ୍ଧୁଙ୍କ ବ୍ୟବସାୟକୁ ନିଜ ହାତମୁଠାକୁ ନେଇଥିଲେ ରୀନି ଓ ତାଙ୍କ ସ୍ୱାମୀ। ଖାଲି ବ୍ୟବସାୟକୁ ହଡ୍ପ କରିନଥିଲେ, ତାଙ୍କଠାରୁ ନଗଦ ୪ରୁ ୫ ଲକ୍ଷ ଟଙ୍କା ନେଇଥିବା ଅଭିଯୋଗ ହୋଇଥିଲା। ଝଡ଼ାଫୁଙ୍କା କରାଉଥିବା ଅଭିଯୋଗ ହୋଇଛି। ହେଲେ କିଛି ଲାଭ ମିଳିନଥିଲା।
୨୦୨୩ ମସିହା ଅଗଷ୍ଟ ୨୫ ତାରିଖରେ ଚିନ୍ମୟୀ ଦାସ ଏନେଇ ବଡ଼ଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି କମିଶନରେଟ୍ ପୁଲିସ୍ ଆରମ୍ଭ କରିଥିଲା। ପୁଲିସ ବିଭିନ୍ନ ଦିଗରୁ ତଦନ୍ତ କରି ଗତ ୨୧ ତାରିଖରେ ସ୍ପର୍ଶକାନ୍ତ ସାହୁଙ୍କୁ ଗିରଫ କରିଥିବା ବେଳେ ମଙ୍ଗଳବାର ରୀନିଙ୍କୁ କୋର୍ଟ ଚାଲାଣ କରିଛି। ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଜୋନ୍-୪ର ଏସିପି ଏସ୍.ଏନ. ମୁଦୁଲି।
ସେ କହିଛନ୍ତି, ଅଭିଯୋଗରେ ଏହି ଦୁଇ ଜଣ ମୁଖ୍ୟ ଅଭିଯୁକ୍ତ ବୋଲି ସ୍ପଷ୍ଟ ହୋଇଛି। ତେବେ ବାବା କିଏ ଜଣାପଡ଼ି ନାହିଁ। ବାବାଙ୍କ ବିଷୟରେ ତଦନ୍ତ ଚାଲିଛି। ବାବା କିଏ ଜଣାପଡ଼ିଲେ, ତଦନ୍ତ ଆଗକୁ ବଢ଼ିବ ବୋଲି ଏସିପି କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।