Advertisment

ରାଞ୍ଚିରେ ୫ଟି ସିମ୍‌ ବକ୍ସ ଜବତ କଲା କମିଶନରେଟ୍‌ ପୁଲିସ୍‌

ବାଂଲାଦେଶରେ ବସିଥିବା ମାଷ୍ଟର ମାଇଣ୍ଡ୍ ଆଶାଦ୍ଦୁର ଜମାନକୁ ଗିରଫ କରିବା ପାଇଁ ଇଣ୍ଟରପୋଲର ସହାୟତା ନେଇଛି କମିଶନରେଟ୍ ପୁଲିସ। ଆତଙ୍କୀ ଲିଙ୍କ ତଦନ୍ତ ନେଇ ଜାତୀୟ ତଦନ୍ତକାରୀ ସଂସ୍ଥା NIA ମଧ୍ୟ ଆସି ଭୁବନେଶ୍ୱର ପହଞ୍ଚିଥିବା ସୂଚନା ମିଳିଛି।

author-image
Manoranjan Sial
Sim Box

Sim Box

ଖୋଲୁଛି ସିମ୍‌ ବକ୍ସ ଗୁମର। ଭୁବନେଶ୍ୱର, କଟକ ପରେ ରାଞ୍ଚିରେ ସିମ୍ ବକ୍ସ ଗୁମର ଖୋଲିଛି କମିଶନରେଟ୍ ପୁଲିସ୍‌। ଝାଡଖଣ୍ଡର ରାଞ୍ଚିର ମୌଲାନା ଆଜାଦ କଲୋନୀ ଗଳି ନମ୍ବର- ୧୫ରେ ଥିବା ୪ ମହଲା କୋଠାର ଉପର ମହଲାରେ ଲାଗିଥିଲା ସିମ୍‌ ବକ୍ସ। ଗୋଟିଏ କି ଦୁଇଟି ନୁହେଁ, ପାଞ୍ଚ ପାଞ୍ଚଟି ସିମ୍‌ ବକ୍ସ ଲାଗିଥିଲା। ଯାହାକୁ ଇନଷ୍ଟଲ୍‌ କରିଥିଲା ବାଂଲାଦେଶୀ ରିଙ୍ଗ ମାଷ୍ଟର ଆଶାଦ୍ଦୁର ଜମାନ। କମିଶନରେଟ ପୁଲିସର ସ୍ପେଶାଲ ସ୍କ୍ୱାର୍ଡ ଆଗରେ ସିମ୍‌ ବକ୍ସ ଆଣିବା ଠାରୁ ଲଗାଇବା ଯାଏଁ ସବୁ ଗୁମର ଖୋଲିଛି ରାଜୁ ମଣ୍ଡଳ। ସେପଟେ ପୁଲିସର ନାକତଳେ ଜନବହୁଳ ଅଂଚଳରେ ଏଭଳି ସିମ୍ ବକ୍ସ ନେଟୱର୍କ ଦେଖି ଆଶ୍ଚର୍ଯ୍ୟ ଚକିତ ହୋଇଯାଇଛି ଝାଡଖଣ୍ଡ ପୁଲିସ।

Advertisment

ପୁଲିସ୍‌ ସିମ୍‌ ବକ୍ସ ଜବତ କରିବା ସହ ମାଲିକଙ୍କୁ ଜେରା କରୁଛି। କିଏ, କେତେ ଥର ଏଠାକୁ ଆସିଛି, ପୂର୍ବରୁ ଆଶାଦ୍ଦୁର କି ରାଜୁ ମଣ୍ଡଳକୁ ଏଠାରେ ଦେଖିଛନ୍ତି କି, ବିଦେଶୀ ସନ୍ଦିଗ୍ଧ ଘରକୁ ଆସିଥିଲେ କି, ଏଭଳି ଅନେକ ପ୍ରଶ୍ନର ଉତ୍ତର ଖୋଜିଛି ପୁଲିସ। ସେପଟେ ସିମ୍‌ ବକ୍ସ ଅପରେଟିଂ ଜାରି ରହିଥିବାରୁ ଦେଶଦ୍ରୋହ ରଚାଯିବା ନେଇ ଆଶଙ୍କା କରିଛି ଓଡ଼ିଶା ଓ ଝାଡଖଣ୍ଡ ପୁଲିସ ସହ ତଦନ୍ତରେ ସାମିଲ ଥିବା ରିଜର୍ଭ ବାଟାଲିୟନ୍। ଜନଗହଳି ଅଂଚଳରେ ଏଭଳି ବେଆଇନ୍ କାର୍ଯ୍ୟକଳାପ ଚାଲିଥିଲେ ମଧ୍ୟ ପାଖ ପଡୋଶୀ ଏହାର ଗନ୍ଧ ବାରିପାରିନଥିବା କହିଛନ୍ତି।

ରାଜୁ ମଣ୍ଡଳକୁ ୫ ଦିନିଆ ରିମାଣ୍ଡରେ ଆଣିଛି ପୁଲିସ। ଏହା ଭିତରେ ତିନି ଦିନ ମଧ୍ୟରେ ପ୍ରଥମେ ଭୁବନେଶ୍ୱର, ପରେ କଟକ ଓ ଆଜି ରାଂଚିରୁ ମିଳିଛି ସିମ୍ ବକ୍ସ ସେଟଅପ୍‌। ସୂଚନା ଅନୁସାରେ, ପଶ୍ଚିମବଙ୍ଗରେ ମଧ୍ୟ ବସିଛି ଆଉ ଏକ ସିମ୍‌ ବକ୍ସ। ପ୍ରଥମ ପର୍ଯ୍ୟାୟ ରିମାଣ୍ଡ ସରିବା ପରେ ପୁଣି ରିମାଣ୍ଡ ଆବେଦନ କରି ରାଜୁ ମଣ୍ଡଳକୁ ସେଠାକୁ ନେବାକୁ ପୁଲିସର ଯୋଜନା ରହିଛି। ସେପଟେ ବାଂଲାଦେଶରେ ବସିଥିବା ମାଷ୍ଟର ମାଇଣ୍ଡ୍ ଆଶାଦ୍ଦୁର ଜମାନକୁ ଗିରଫ କରିବା ପାଇଁ ଇଣ୍ଟରପୋଲର ସହାୟତା ନେଇଛି କମିଶନରେଟ୍ ପୁଲିସ। ଆତଙ୍କୀ ଲିଙ୍କ ତଦନ୍ତ ନେଇ ଜାତୀୟ ତଦନ୍ତକାରୀ ସଂସ୍ଥା NIA ମଧ୍ୟ ଆସି ଭୁବନେଶ୍ୱର ପହଞ୍ଚିଥିବା ସୂଚନା ମିଳିଛି।

Advertisment
Bhubaneswar Bhubaneswar News Commissionerate Police