ଆଇଟି ସ୍କାନରରେ ଓଡ଼ିଶାର ହାୱାଲା ଅପରେଟର ଓ ଜାଲ୍ କମ୍ପାନୀ, ବଢ଼ିଲା ଅଡ଼ୁଆ

ଝାଡଖଣ୍ଡର କଂଗ୍ରେସ ସାଂସଦ ଧୀରଜ ସାହୁଙ୍କ ପରିବାରର ମାଲିକାନାରେ ଥିବା ମଦ କମ୍ପାନୀ ଉପରେ ଚଢ଼ଉ କରି ଆୟକର ବିଭାଗ ୩୫୧କୋଟି ଟଙ୍କା ଜବତ କରିବା ପରେ ଓଡ଼ିଶା, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗରେ ସକ୍ରିୟ ଥିବା ହାୱାଲା ଅପରେଟର ଓ ଶେଲ୍ କମ୍ପାନୀଗୁଡ଼ିକ ଉପରେ ଆୟକର ବିଭାଗର ନଜର ପଡ଼ିଛି।

ପୁଳା ପୁଳା ଟଙ୍କା ଜବତ

  • Published: Monday, 11 December 2023
  • , Updated: 11 December 2023, 09:37 PM IST

ଓଡ଼ିଶାରେ ହାୱାଲା ଅପରେଟର କାମ କରୁଥିବା କମ୍ପାନୀଗୁଡ଼ିକ ସାବଧାନ। ଶେଲ୍ କମ୍ପାନୀ ଖୋଲି ଆର୍ଥିକ ଦେଣନେଣ କରୁଥିବା କମ୍ପାନୀ ପାଇଁ ବି ସତର୍କଘଣ୍ଟି। ଝାଡଖଣ୍ଡର କଂଗ୍ରେସ ସାଂସଦ ଧୀରଜ ସାହୁଙ୍କ ପରିବାରର ମାଲିକାନାରେ ଥିବା ମଦ କମ୍ପାନୀ ଉପରେ ଚଢ଼ଉ କରି ଆୟକର ବିଭାଗ ୩୫୧କୋଟି ଟଙ୍କା ଜବତ କରିବା ପରେ ଓଡ଼ିଶା, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗରେ ସକ୍ରିୟ ଥିବା ହାୱାଲା ଅପରେଟର ଓ ଶେଲ୍ କମ୍ପାନୀଗୁଡ଼ିକ ଉପରେ ଆୟକର ବିଭାଗର ନଜର ପଡ଼ିଛି। ଏହି ଚଢ଼ଉବେଳେ ହାୱାଲା ଅପରେଟର ଓ ଶେଲ୍ କମ୍ପାନୀଗୁଡ଼ିକ ମଧ୍ୟରେ କିଭଳି କଳାଟଙ୍କା ଦେଣନେଣ ହୋଇଛି ତାହା ଆୟକର ବିଭାଗର ତଦନ୍ତ ପରିସରକୁ ଆସିଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ଆୟକର ବିଭାଗ ନିଜର ଏକ ଅନ୍ତରୀଣ ରିପୋର୍ଟ ଆଜି ଦିଲ୍ଲୀସ୍ଥିତ ସେଣ୍ଟ୍ରାଲ ବୋର୍ଡ ଅଫ ଡାଇରେକ୍ଟ ଟ୍ୟାକ୍ସ(ସିବିଡିଟି)କୁ ପଠାଇ ହାୱାଲା କାରବାରରେ ସମ୍ପୃକ୍ତ ବ୍ୟକ୍ତିବିଶେଷ ଓ ଶେଲ୍ କମ୍ପାନୀଗୁଡ଼ିକ ସମ୍ପର୍କରେ ଅଧିକ ତଦନ୍ତ ପାଇଁ ପ୍ରସ୍ତାବ ଦେଇଛି। ଏହି ଚଢ଼ଉବେଳେ ଆୟକର ବିଭାଗକୁ ଏଭଳି କିଛି ଦସ୍ତାବିଜ ମିଳିଛି ଯେଉଁଥିରେ ଓଡ଼ିଶାରେ ବହୁସଂଖ୍ୟକ ହାୱଲା ଅପରେଟର ସକ୍ରିୟ ଥିବା ଓ କିଛି ସନ୍ଦିଗ୍ଧ କମ୍ପାନୀ(ଶେଲ୍ କମ୍ପାନୀ)ର ଭୂମିକାର ଅଧିକ ତଦନ୍ତ ଜରୁରୀ ଥିବା ଆୟକର ଟିମ୍ ଅନୁଭବ କରିଛନ୍ତି।

ଆଜି ଷଷ୍ଠ ଦିନରେ ବୌଦ୍ଧ ଡିଷ୍ଟ୍ରିଲେରୀ ପ୍ରାଇଭେଟ୍ ଲିମିଟେଡ କମ୍ପାନୀ ସହ ଜଡ଼ିତ ୭ଟି ସ୍ଥାନରେ ଚଢ଼ଉ ହୋଇଥିଲା। ଡିସେମ୍ବର ୬ରୁ ଆରମ୍ଭ ହୋଇଥିବା ଏହି ଚଢ଼ଉ ଓଡ଼ିଶା, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର ପ୍ରାୟ ୩୦-୩୪ଟି ସ୍ଥାନରେ ଅନେକ ସ୍ଥାନରେ ହୋଇଛି। ବହୁ ପରିମାଣର ଆୟବର୍ହିଭୁତ ସମ୍ପତ୍ତି ମିଳିଛି। କର୍ମଚାରୀ ଓ ସାକ୍ଷୀଙ୍କ ବୟାନ ରେକର୍ଡ ଓ ସ୍ୱୀକାରୋକ୍ତି ସହ ଏହି ଚଢ଼ଉ ଖୁବଶୀଘ୍ର ଶେଷ ହେବ ବୋଲି ସୂଚନା ମିଳିଛି। ୬ତାରିଖରୁ ଆରମ୍ଭ ହୋଇଥିବା ଆଇଟି ଚଢ଼ଉ ଶେଷ ହୋଇଛି। ମୋଟ ୩୫୧କୋଟି ଟଙ୍କା ସହ ୩କିଲୋ ଓଜନର ସୁନା ଅଳଙ୍କାର ମଧ୍ୟ ଜବତ ହୋଇଥିବା ସୂଚନା ମିଳିଛି।

ସୂତ୍ର ଅନୁସାରେ, ୨୦୧୯ ସାଧାରଣ ନିର୍ବାଚନବେଳେ ଓଡ଼ିଶାରେ ଅଚାନକ ହାୱାଲା ଅପରେଟର ଅଧିକ ସକ୍ରିୟ ହୋଇ ଉଠିଥିଲେ। ଯେଉଁ ଅପରେଟରଙ୍କ ମାଧ୍ୟମରେ ଏକ ନିର୍ଦ୍ଦିଷ୍ଟ ରାଜନୀତିକ ଦଳ ନିଜର ପାଣ୍ଠି କାରବାର କରୁଥିଲା। ୨୦୨୪ ସାଧାରଣ ନିର୍ବାଚନରେ ଉକ୍ତ ଦଳ ଅନୁରୂପ ଭାବେ ହାୱାଲା କାରବାର କରୁଥିବା ଅପରେଟରଙ୍କ ଦ୍ୱାରା ନିର୍ବାଚନୀ ପାଣ୍ଠି ରାଜ୍ୟବ୍ୟାପୀ ନିଜର ପ୍ରାର୍ଥୀଙ୍କ ନିକଟରେ ପହଂଚାଇବାକୁ ରଣନୀତି କରିଛି। ଏହାସହିତ କିଛି ଶେଲ୍ କମ୍ପାନୀ ଦ୍ୱାରା ଏହି ଆର୍ଥିକ କାରବାର କରାଯିବାକୁ ଦୀର୍ଘଦିନରୁ ରଣନୀତି ପ୍ରସ୍ତୁତ ହୋଇଛି। ମାତ୍ର ଆଇଟି ବିଭାଗର ସ୍କାନରରେ ଏସବୁ ସନ୍ଦିଗ୍ଧ କମ୍ପାନୀ ଆସିିଯିବା ସହ ହାୱାଲା ଅପରେଟର ଚିହ୍ନଟ ହୋଇସାରିଥିବାରୁ ଆଗାମୀ ନିର୍ବାଚନବେଳେ ଏମାନଙ୍କ ମାଧ୍ୟମରେ ପାଣ୍ଠି କାରବାର ଆଉ ସହଜ ହୋଇନପାରେ।

ଆଉ ଯଦି ନିର୍ବାଚନ ପୂର୍ବରୁ ଆଇଟି ବିଭାଗ ଓଡ଼ିଶା ସମେତ ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡରେ ଥିବା ଏହି ହାୱାଲା ଅପରେଟରମାନଙ୍କୁ ନିଜର ତଦନ୍ତ ପରିସରକୁ ନିଏ ତା’ହେଲେ କିଛି ନିର୍ଦ୍ଦିଷ୍ଟ ରାଜନୀତିକ ଦଳର ମୋଟା ଅଙ୍କର ପାଣ୍ଠି ଜବତ ହେବାର ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ ବୋଲି ଚର୍ଚ୍ଚା ହେଉଛି ।
ସୂଚନାଯୋଗ୍ୟ, ଶାସକ ବିଜେଡିର ଜଣେ ପ୍ରଭାବଶାଳୀ ନେତା ନିଜର କର୍ମଚାରୀମାନଙ୍କ ନାଁରେ ୧୨ରୁ ୧୫ଟି ଶେଲ୍ କମ୍ପାନୀ କରି ଆର୍ଥିକ ଦେଣନେଣ କରୁଛନ୍ତି । ଏହାସହିତ କିଛି ବିଶ୍ୱସ୍ତ ସହଯୋଗୀଙ୍କ ମାଧ୍ୟମରେ ହାୱାଲା କାରବାରକୁ ମଧ୍ୟ ପ୍ରୋତ୍ସାହିତ କରୁଥିବା ରାଜନୀତିକ ମହଲରେ ଚର୍ଚ୍ଚା ।

Related story