ସୁପରଭାଇଜର ଅଭିଯୋଗ କରିଛନ୍ତି ସିଡିପିଓ ତାଙ୍କୁ ମାଡ଼ ମାରିଛନ୍ତି। ସେହିପରି ସିଡିପିଓ ଅଭିଯୋଗ କରିଛନ୍ତି ଯେ ସୁପରଭାଇଜର ତାଙ୍କୁ ପିଟିଛନ୍ତି। ଘଟଣାଟି ଘଟିଛି ଯାଜପୁର ଜିଲ୍ଲା ବଡ଼ଚଣାରେ।
ବଡ଼ଚଣା ଆଇସିଡିଏସ କାର୍ଯ୍ୟାଳୟରେ କାର୍ଯ୍ୟରତ ସୁପରଭାଇଜର ସୁବାସିନୀ ଦାସଙ୍କୁ ସିଡିପିଓ ଭଗବତୀ ଗୁରୁ ଗାଳିଗୁଲଜ କରିବା ସହ ମାଡ଼ ମାରିଥିବା ନେଇ ବଡ଼ଚଣା ଥାନାରେ ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ସିଡିପିଓ ମଧ୍ୟ ପାଲଟା ଅଭିଯୋଗ ଆଣି ସୁପରଭାଇଜରଙ୍କ ବିରୋଧରେ ଥାନାରେ ଏତଲା ଦେଇଛନ୍ତି।
ସୁପରଭାଇଜର ସୁବାସିନୀ ଦାସ କହିଛନ୍ତି, ଗୁରୁବାର ଦିନ ହେଲପର ମାନଙ୍କର ଏକ ଇଣ୍ଟରଭ୍ୟୁ ଥିଲା। ଇଣ୍ଟରଭ୍ୟୁ ଶେଷ ହେବା ପରେ ମୁଁ ଅଫିସ୍ ବାହାର ଛିଡ଼ା ହୋଇଥିଲି। ସେଠାରେ ଉପସ୍ଥିତ କିଛି ଗଣମାଧ୍ୟମ ପ୍ରତିନିଧିଙ୍କ ସହିତ କଥାବାର୍ତ୍ତା ହେଉଥିଲି। ସେହି ସମୟରେ ସିଡିପିଓ ଅଫିସ୍ ଭିତରକୁ ଆସିବାକୁ ମୋତେ ତାଗିଦ କରିଥିଲେ। ତା’ପରେ ଗେଟ୍ ଆଉଟ୍ କହିଲେ। କାଲିଠାରୁ ଅଫିସ୍ ନ ଆସିବାକୁ କହିଲେ। କାହିଁକି ଆସିବିନି ବୋଲି ମୁଁ ପାଲଟା ପ୍ରଶ୍ନ କରିବାରୁ ସେ ମୋ ଚୁଟି ଟାଣି ବିଧା ମାରି ଚାଲିଲେ। ସେତିକିରେ ତାଙ୍କ ମନ ସନ୍ତୁଷ୍ଟ ହୋଇ ନଥିଲା। ମୁଁ ଚୌକିରେ ବସି ପଡ଼ିବାରୁ ମୋତେ ଠିଆ ଗୋଇଠା ମାରିଥିଲେ।
ସେ ଅଭିଯୋଗ କରିଛନ୍ତି ଯେ ସିଡିପିଓ ଆକ୍ରୋଶ ରଖି ତାଙ୍କୁ ହଇରାଣ କରୁଛନ୍ତି। ଦିନକୁ ଦିନ ତାଙ୍କ ନିର୍ଯାତନା ଅସହ୍ୟ ହେଉଛି। ତାଙ୍କ ଆତ୍ମସମ୍ମାନ ହାନୀ ହୋଇଛି। ନ୍ୟାୟ ନ ମିଳିଲେ ସେ ଆଉ ବଞ୍ଚିବେନି ବୋଲି ସୁବାସିନୀ କହିଛନ୍ତି।
ଅନ୍ୟପକ୍ଷରେ ସିଡିପିଓ ଭଗବତୀ ଗୁରୁ କହିଛନ୍ତି, ସୁପରଭାଇଜର ସୁବାସିନୀ ଦାସଙ୍କୁ ଏକ୍ସପ୍ଲାନେସନ ରିପୋର୍ଟ ମାଗିବାରୁ ସେ ମୋ ଚୁଟି ଟାଣି ଆକ୍ରମଣ କରିଥିଲେ।
ବଡ଼ଚଣା ପୁଲିସ୍ ଘଟଣାର ତଦନ୍ତ କରୁଛି।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।