Advertisment

୭୦୦ କୋଟିର ସାଇବର ଠକେଇ, ୧୫ ହଜାର ଲୋକଙ୍କୁ ଲଗାଇଛନ୍ତି ଚୂନ

ପ୍ରଥମେ ସେମାନେ ୫ ହଜାର ଟଙ୍କା ଯାଏ ନିବେଶ କରିଥିଲେ। ଏହା ବଦଳରେ ସେମାନଙ୍କୁ ଦୁଇ ଗୁଣ ଟଙ୍କା ମଧ୍ୟ ମିଳିଥିଲା। ଏହି ଟଙ୍କା ପାଇବା ପରେ ଠକମାନେ ସେମାନଙ୍କୁ ଅଧିକ ଅର୍ଥ ନିବେଶ କରିବାକୁ ଉସକାଉଥିଲେ।

ଅଦ୍ୟତନ ହୋଇଛି
Cyber Fraud

Cyber Fraud

Advertisment

ଗୋଟିଏ ବର୍ଷରୁ କମ ଦିନ ମଧ୍ୟରେ ୧୫ ହଜାର ଲୋକଙ୍କୁ ୭୦୦ କୋଟି ଟଙ୍କାର ଚୂନ ଲଗାଇଥିବା ଗୋଟିଏ ସାଇବର ଠକ ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି ହାଇଦ୍ରାବାଦ ପୁଲିସ୍‌। ଏହି ବଡ଼ ସାଇବର ଠକେଇ ପଛରେ ଚାଇନିଜ ହ୍ୟାଣ୍ଡେଲର୍ସଙ୍କ ହାତ ରହିଛି। ଭାରତୀୟଙ୍କୁ ଅନଲାନରେ ଚୂନ ଲଗାଇ ଠକେଇ ଟଙ୍କା ଦୁବାଇ ରୁଟରେ ଚାଇନା ଯାଇଛି। ସେହିପରି ଲେବାନନର ଆତଙ୍କୀ ସଂଗଠନ ହେଜବୁଲ୍ଲା ଦ୍ୱାରା ପରିଚାଳିତ କିଛି ଆକାଉଣ୍ଟକୁ ମଧ୍ୟ ଭାରତୀୟଙ୍କ ଟଙ୍କା ଯାଇଥିବା ପୁଲିସ୍‌ କହିଛି।

Advertisment

ହାଇଦ୍ରାବାଦ ପୁଲିସ୍‌ କମିଶନ ସିଭି ଆନନ୍ଦ କହିଛନ୍ତି, “ଆମେ କେନ୍ଦ୍ରୀୟ ଏଜେନ୍ସିକୁ ଏ ସମ୍ପର୍କରେ ସୂଚନା ଦେଇଛୁ ଓ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ସାଇବର କ୍ରାଇମ ୟୁନିଟ ପୂରା ବିସ୍ତୃତ ତଥ୍ୟ ଦେଇଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟ କରିବା ଭଳି କଥା ହେଉଛି ଯେ ଅଧିକ ଦରମା ଓ ଦକ୍ଷତା ରଖିଥିବା ସଫ୍ଟୱେୟାର ପ୍ରଫେସନାଲ୍ସମାନେ ମଧ୍ୟ ସାଇବର ଠକର ଶିକାର ହୋଇ ୮୨ ଲକ୍ଷ ଟଙ୍କା ହରାଇଛନ୍ତି।”

ପୁଲିସ୍‌ ତଦନ୍ତରୁ ଜାଣିବାକୁ ପାଇଛି ଯେ ସାଇବର ଠକେଇରୁ ମିଳିଥିବା ବିପୁଳ ଅର୍ଥରୁ କିଛି ଟଙ୍କା କ୍ରିପ୍ଟୋକରେନ୍ସିରେ ପରିବର୍ତ୍ତନ କରାଯାଇଥିଲା ଓ ଏହାକୁ ହେଜବୁଲ୍ଲ ଦ୍ୱାରା ପରିଚାଳିତ ୱାଲେଟରେ ଜମା କରାଯାଇଛି। ଏହି ଘଟଣାରେ ୯ ଜଣଙ୍କୁ ଗିରଫ କରାଯାଇଛି। ଏମାନଙ୍କ ମଧ୍ୟରେ ୪ ଜଣ ହାଇଦ୍ରାବାଦରୁ ରହିଥିବା ବେଳେ ୩ ଜଣ ମୁମ୍ବାଇର ଓ ୨ ଜଣ ଅହମଦାବାଦର। ଏବେ ପୁଲିସ୍‌ ପୂରା ସାଇବର ଠକେଇ ନେଟୱର୍କରେ ସାମିଲ ଥିବା ଆଉ ୬ ଜଣଙ୍କୁ ଖୋଜୁଛି।

Advertisment

ଜଣେ ବ୍ୟକ୍ତି ପ୍ରଥମେ ୨୮ ଲକ୍ଷ ଟଙ୍କାର ଠକେଇ ଅଭିଯୋଗ ନେଇ ହାଇଦ୍ରାବାଦ ପୁଲିସ୍‌ର ଦ୍ୱାରସ୍ଥ ହୋଇଥିଲେ। ଏପ୍ରିଲ ମାସରୁ ହାଇଦ୍ରାବାଦ ପୁଲିସ୍‌ର ସାଇବର କ୍ରାଇମବ୍ରାଞ୍ଚ ଏହାର ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ବେଳେ ସାଇବର ଠକମାନେ ଅନେକ ଲୋକଙ୍କୁ ପାର୍ଟ ଟାଇମ ଚାକିରି ସହ ପୁଞ୍ଜିନିବେଶ କଥା କହି ପ୍ରଲୋଭିତ କରିଥିଲେ।

ବିଶେଷ କରି ସେମାନେ ପ୍ରଥମେ ୟୁଟ୍ୟୁବ ଭିଡିଓକୁ ଲାଇକ କରିବା କିମ୍ବା ଗୁଗଲ ରିଭ୍ୟୁ ଲେଖିବା ପାଇଁ କହିଥିଲେ। ଏହା ବଦଳରେ କିଛି ଟଙ୍କା ମଧ୍ୟ ଦେଉଥିଲେ। ଶେଷରେ ସେମାନଙ୍କୁ ଅଧିକ ଟଙ୍କା ପାଇବାର ଲୋଭ ଦେଖାଇ ପୁଞ୍ଜିନିବେଶ କରିବାକୁ କହୁଥିଲେ। ଯେଉଁ ଲୋକମାନେ ହାରାହାରି ୫ରୁ ୬ ଲକ୍ଷ ଟଙ୍କା ହରାଇଛନ୍ତି, ସେମାନଙ୍କୁ ଟେଲିଗ୍ରାମ ଓ ହ୍ୱାଟସଆପ୍‌ରେ ଠକ ମାନେ ଯୋଗାଯୋଗ କରିଥିଲେ।

ପ୍ରଥମେ ସେମାନେ ୫ ହଜାର ଟଙ୍କା ଯାଏ ନିବେଶ କରିଥିଲେ। ଏହା ବଦଳରେ ସେମାନଙ୍କୁ ଦୁଇ ଗୁଣ ଟଙ୍କା ମଧ୍ୟ ମିଳିଥିଲା। ଏହି ଟଙ୍କା ପାଇବା ପରେ ଠକମାନେ ସେମାନଙ୍କୁ ଅଧିକ ଅର୍ଥ ନିବେଶ କରିବାକୁ ଉସକାଉଥିଲେ। ୭ରୁ ୮ଟି ଟ୍ରାଞ୍ଜାକସନ କରିବା ପରେ ଠକମାନେ ସବୁ ଟଙ୍କା ନେଇ ଫେରାର ହେଇ ଯାଉଥିଲେ।

ସବୁଠାରୁ ‌ଆଶ୍ଚର୍ଯ୍ୟର କଥା ହେଉଛି ଯେ ସାଇବର ଠକମାନେ ଗୋଟିଏ ନକଲି ୱାଲେଟ ନିବେଶକାରୀଙ୍କ ନାଁରେ ତିଆରି କରୁଥିଲେ। ସେମାନେ ପୁଞ୍ଜିନିବେଶ କରିବା ପରେ ସେମାନଙ୍କ ଆୟକୁ ୱାଲେଟରେ ଦୁଇ ଗୁଣ କରି ଦେଖାଯାଉଥିଲା। ହେଲେ ସେମାନଙ୍କୁ ଏହାକୁ ଉଠାଇବା ପାଇଁ ଦିଆଯାଉ ନଥିଲା। ଏପରି ସ୍ଥିତିରେ ଲୋକମାନେ ୱାଲେଟରେ ଟଙ୍କା ରହିଥିବା ଭାବି ଲକ୍ଷାଧିକ ଟଙ୍କା ନିବେଶ କରି ଚାଲିଥିଲେ।

ଶିବା ନାମକ ବ୍ୟକ୍ତି ୨୮ ଲକ୍ଷ ଟଙ୍କାର ଠକେଇ ଅଭିଯୋଗ ଆଣିବା ପରେ ହାଇଦ୍ରାବାଦ ସାଇବର କ୍ରାଇମବ୍ରାଞ୍ଚ ତଦନ୍ତ କରି ୪୮ଟି ଆକାଉଣ୍ଟ ଠାବ କରିଥିଲା। ଏହି ଆକାଉଣ୍ଟ ଗୁଡ଼ିକ ଶେଲ କମ୍ପାନୀଗୁଡ଼ିକ ନାଁରେ ରହିଥିଲା। ସେହି ସମୟରେ ତଦନ୍ତକାରୀ ସଂସ୍ଥା ଭାବିଥିଲା ଯେ ଠକେଇର ପରିମାଣ ୫୮୪ କୋଟି। କିନ୍ତୁ ଅଧିକ ତଦନ୍ତ ପରେ ଠକମାନେ ଆଉ ୧୨୮ କୋଟି ଟଙ୍କା ଲୋକଙ୍କ ଠାରୁ ଠକେଇ କରିଥିବା ଜଣାପଡ଼ିଥିଲା।

ଏତେ ପରିମାଣର ଠକେଇ ପାଇଁ ମୋଟ ୧୧୩ଟି ଭାରତୀୟ ଆକାଉଣ୍ଟ ବ୍ୟବହାର ହୋଇଥିଲା। ଏକାଧିକ ଆକାଉଣ୍ଟ ଦ୍ୱାରା ଠକେଇ ଟଙ୍କା ଟ୍ରାଞ୍ଜାକସନ ହେଉଥିଲା। ଏହାପରେ ଏହାକୁ କ୍ରିପ୍ଟୋକରେନ୍ସିରେ କନର୍ଭଟ କରାଯାଉଥିଲା। ଶେଷରେ ଦୁବାଇ ଦେଇ ଏହାକୁ ଚାଇନା ପଠାଯାଉଥିଲା।

ଭାରତୀୟ ସିମ କାର୍ଡ ଦ୍ୱାରା ଆକାଉଣ୍ଟଗୁଡ଼ିକ ଭାରତରେ ଖୋଲା ଯାଉଥିଲା। ହେଲେ ଏହାକୁ ଦୁବାଇରୁ ହିଁ ପରିଚାଳନା କରାଯାଉଥିଲା। ସାଇବର ଠକମାନେ ନିୟମିତ ଭାବେ ଚାଇନିଜ ହ୍ୟାଣ୍ଡେଲର୍ସମାନଙ୍କ ଯୋଗାଯୋଗରେ ରହିଥିଲେ। ଚାଇନାରେ ହିଁ ପୂରେ ଠକେଇର ମାଷ୍ଟରମାଇଣ୍ଡମାନେ ରହିଛନ୍ତି।

ଠକେଇରେ ବ୍ୟବହାର ହୋଇଥିବା ଗୋଟିଏ ଆକାଉଣ୍ଟ ହାଇଦ୍ରାବାଦ ଭିତ୍ତିକ ରାଧିକା ମାର୍କେଟିଂ କମ୍ପାନୀ ନାଁରେ ରହିଥିଲା। ଏହା ସହ ଜଡ଼ିତ ଥିବା ମୋବାଇଲ ନମ୍ବର ମୁନାବର ନାମକ ଜଣେ ଯୁବକଙ୍କ ନାଁରେ ପଞ୍ଜୀକରଣ ହୋଇଥିଲା। ମୁନାବର ତାଙ୍କର ୩ ସହଯୋଗୀଙ୍କ ସହ ଲକ୍ଷ୍ନୌ ଯାଇଥିଲେ।

ସେମାନେ ହେଲେ ଅରୁଲ ଦାସ, ଶାହ ସୁମୈର ଓ ସମୀର ଖାନ। ସେମାନେ ୩୩ଟି ଶେଲ କମ୍ପାନୀ ନାଁରେ ୬୫ଟି ଆକାଉଣ୍ଟ ଖୋଲିଥିଲେ। ସେମାନଙ୍କୁ ଗୋଟିଏ ଆକାଉଣ୍ଟ ପିଛା ୨ ଲକ୍ଷ ଟଙ୍କା ଲେଖାଏ ମିଳିଥିଲା। ପୁଲିସ ମୁନାବରଙ୍କୁ ଧରିବା ପରେ ବାକି ୩ ଜଣଙ୍କୁ ଗିରଫ କରିଛି।

ଜେରା ବେଳେ ସେମାନେ କହିଛନ୍ତି ଯେ ଠକେଇରେ ସାମିଲ ଥିବା ଆଉ ୩ ଜଣଙ୍କ ନିର୍ଦ୍ଦେଶରେ ଆକାଉଣ୍ଟଗୁଡ଼ିକ ଖୋଲା ଯାଇଥିଲା। ସେମାନେ ହେଲେ ମନୀଷ, ବିକାଶ ଓ ରାଜେଶ। ପୁଲିସ୍‌ ଏବେ ସେମାନଙ୍କୁ ଖୋଜିବା ଆରମ୍ଭ କରିଛି।

ଖୋଲା ଯାଉଥିବା ୬୫ଟି ଆକାଉଣ୍ଟକୁ ଚାଇନିଜ ମାଷ୍ଟରମାଇଣ୍ଡ କେଭିନ ଜୁନ, ଲି ଲୋଉ ଲାଙ୍ଗଝୋଉ ଓ ଶାଶା ବ୍ୟବହାର କରୁଥିଲେ। ସେମାନେ ୧୨୮ କୋଟି ଟଙ୍କା ଏହିସବୁ ଆକାଉଣ୍ଟ ଦ୍ୱାରା ଠକେଇ କରିଛନ୍ତି। ଦୁବାଇରେ ଥିବା ୬ ଜଣ ସମ୍ପର୍କରେ ପୁଲିସ୍‌ ସୂଚନା ପାଇଥିଲେ ମଧ୍ୟ ସେମାନଙ୍କୁ ଗିରଫ କରିବାକୁ ସକ୍ଷମ ହୋଇନି।

Cyber Crime Cyber Fraud Hyderabad
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe