/odisha-reporter/media/post_attachments/uploadimage/library/16_9/16_9_0/IMAGE_1753446583.jpg)
Amaresh Jena
ଭୁବନେଶ୍ୱର ମହାନଗର ନିଗମ (BMC)ର କର୍ପୋରେଟର ଅମରେଶ ଜେନା (ବାଇଁଆ)ଙ୍କୁ ରବିବାର ଗିରଫ କରିଛି କମିଶନରେଟ୍ ପୁଲିସ୍। ଜଣେ ୧୯ ବର୍ଷୀୟା ଯୁବତୀଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ସେ ଗିରଫ ହେବା ପରେ ବିଜେଡି ତାଙ୍କୁ ଦଳରୁ ନିଲମ୍ବନ କରିଛି।
୪ ଦିନ ତଳେ ଯୁବତୀ ଜଣଙ୍କ ଲକ୍ଷ୍ମୀସାଗର ଥାନାରେ ଏନେଇ ଅଭିଯୋଗ କରିଥିଲେ। ବିବାହର ପ୍ରତିଶ୍ରୁତି ଦେଇ କର୍ପୋରେଟର ଅମରେଶ ଜେନା ତାଙ୍କ ସହିତ ଶାରୀରକ ସଂପର୍କ ରଖିଥିବା, ତାଙ୍କୁ ଦୁଷ୍କର୍ମ କରିଥିବା ତଥା ତାଙ୍କୁ ଧମକଚମକ ଓ ଗାଳିଗୁଳଜ ଆଦି କରିଥିବା ଯୁବତୀ ଜଣଙ୍କ ଅଭିଯୋଗ କରିଥିଲେ। ସେ ନାବାଳିକା ଥିବା ସମୟରୁ ଅମରେଶ ଜେନା ତାଙ୍କ ସହିତ ଶାରୀରିକ ସଂପର୍କ ରଖି ଆସୁଥିଲେ ବୋଲି ଯୁବତୀ ଜଣଙ୍କ ଅଭିଯୋଗ କରିଥିଲେ।
ଥାନାରେ ଅଭିଯୋଗ ହେବା ପରେ କର୍ପୋରେଟ ଅମରେଶ ଜେନା ଫେରାର ହୋଇଯାଇଥିଲେ। ତାଙ୍କୁ ଫେରାର ହେବାରେ ସହଯୋଗ କରିଥିବା ଅଭିଯୋଗରେ ଗତକାଲି କମିଶନରେଟ ପୁଲିସ ତାଙ୍କର ୫ ଜଣ ସହଯୋଗୀ- ବିବେକ କୁମାର ସ୍ୱାଇଁ, ବିକ୍ରମ ମହାନ୍ତି, ଦେବେନ୍ଦ୍ର ଭୋଳ, ସୁମନ କୁମାର ସାହୁ ଓ ରାଜୀବ ଚମ୍ପତ୍ତିଙ୍କୁ ଗିରଫ କରିଥିଲା। ଏହା ପରେ ଆଜି ଅମରେଶ ଜେନାଙ୍କୁ ବାଲେଶ୍ୱର ଜିଲ୍ଲା ନୀଳଗିରିର ବରହମପୁର ଥାନା ଅଞ୍ଚଳରୁ ଗିରଫ କରିଛି ପୁଲିସ।
ଅମରେଶ ଜେନାଙ୍କୁ ଗିରଫ କରି କମିଶନରେଟ୍ ପୁଲିସ ଭୁବନେଶ୍ୱର ଆଣିବା ପରେ କୋର୍ଟରେ ହାଜର କରିଥିଲା। କୋର୍ଟ ତାଙ୍କ ଜାମିନ ନାମଞ୍ଜୁର କରି ଦେଇଥିଲେ। ତା’ପରେ ତାଙ୍କୁ ଝାରପଡ଼ା ଜେଲ୍ ପଠାଇ ଦିଆଯାଇଥିଲା।
ଭୁବନେଶ୍ୱର ଜୋନ୍-୪ ଏସିପି କହିଛନ୍ତି, ଯୁବତୀଙ୍କ ଅଭିଯୋଗ ଅନୁସାରେ ଯଥେଷ୍ଟ ତଥ୍ୟ ଓ ପ୍ରମାଣ ମିଳିବା ପରେ ଅମରେଶ ଜେନାଙ୍କୁ ଗିରଫ କରାଯାଇଛି। ତାଙ୍କ ବିରୋଧରେ ଦୁଷ୍କର୍ମ, ଗାଳିଗୁଲଜ ଓ ଧମକଚମକ ଆଦି ପରି ଦଫା ଲାଗିଛି। ତାଙ୍କ ବିରୋଧରେ ପୋକ୍ସୋ ଆକ୍ଟରେ ମଧ୍ୟ ମାମଲା ରୁଜୁ କରି ତଦନ୍ତ କରାଯାଉଛି। ସେହିପରି ଅମରେଶଙ୍କୁ ଖସାଇବାରେ ସହଯୋଗ କରିଥିବାରୁ ୫ ଜଣଙ୍କୁ ଗିରଫ କରାଯାଇଛି।
ଗିରଫ ହେବା ପରେ ସସ୍ପେଣ୍ଡ
କର୍ପୋରେଟର ଅମରେଶ ଜେନାଙ୍କୁ ଦଳରୁ ସସ୍ପେଣ୍ଡ କରିଛି ବିଜେଡି। ଦଳର ସଭାପତିଙ୍କ ନିର୍ଦ୍ଦେଶରେ ତାଙ୍କୁ ସସ୍ପେଣ୍ଡ କରାଯାଇଥିବା ନେଇ ଦଳ ପକ୍ଷରୁ ସୂଚନା ଜାରି କରାଯାଇଛି।
ବିଜେଡିର ଭୁବନେଶ୍ୱର ଜିଲ୍ଲା ସଭାପତି ଅଶୋକ ଚନ୍ଦ୍ର ପଣ୍ଡା କହିଛନ୍ତି, ଏହି ଘଟଣାକୁ ନେଇ ଜିଲ୍ଲା ସଭାପତି ଭାବେ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲି। ତେଣୁ ଗିରଫ ହେବା ମାତ୍ରେ ଦଳ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛି। ମହିଳାଙ୍କ ସୁରକ୍ଷାକୁ ବିଜେଡି ସର୍ବଦା ଗୁରୁତ୍ୱ ଦେଇ ଆସିଛି। ଅମରେଶ ଜେନାଙ୍କ ନିଲମ୍ବନ ଦଳ ଉପରେ କୌଣସି ପ୍ରଭାବ ପକାଇବ ନାହିଁ।
ବିଜେପି ରାଜ୍ୟ ଉପସଭାପତି ବିରଞ୍ଚି ତ୍ରିପାଠୀ କହିଛନ୍ତି ଯେ ପୀଡ଼ିତାଙ୍କ ସହିତ ୨୦୨୩ରୁ ଅତ୍ୟାଚାର ହୋଇଥିଲା। ଏବେ ନ୍ୟାୟ ମିଳିବ ଜାଣି ସେ ଅଭିଯୋଗ କରିଛନ୍ତି।
‘ଅର୍ଚ୍ଚନା ଫସାଇ ଦେଇଛନ୍ତି’
ଝାରପଡ଼ା ଜେଲ୍ ଯିବା ବେଳେ ଅମରେଶ ଜେନା କହିଥିଲେ, ମୋତେ ଅର୍ଚ୍ଚନା ନାଗ୍ ଫସାଇ ଦେଇଛନ୍ତି। ଅର୍ଚ୍ଚନା ନାଗ୍ଙ୍କୁ ପଚାରିଲେ ସେ ସବୁ କହିପାରିବେ। ୧୦୦% ଅର୍ଚ୍ଚନା ନାଗ୍ ମୋତେ ଫସାଇ ଦେଇଛନ୍ତି।
‘ସୁଧୁରି ଯାଆନ୍ତୁ , ଅପନିନ୍ଦା ଦିଅନ୍ତୁନି’
ଗିରଫ ଅମରେଶଙ୍କ ଅଭିଯୋଗ ନେଇ ଅର୍ଚ୍ଚନା ନାଗ୍ଙ୍କ ପ୍ରତିକ୍ରିୟା ମିଳିଛି। ସେ କହିଛନ୍ତି, ମୁଁ ଏହି ଘଟଣାରେ ବିଷୟରେ ଜାଣିନି, କି ପୀଡ଼ିତାଙ୍କୁ ଚିହ୍ନି ନାହିଁ। ଏହି ଘଟଣାର ସତ୍ୟାସତ୍ୟ ସିଏ ଜାଣିଥିବେ, ପୀଡ଼ିତା ଜାଣିଥିବେ। ମାତ୍ର ସେ କୁକର୍ମରେ ଜଡ଼ିତଥିଲେ ବୋଲି ଓଡ଼ିଶାବାସୀଙ୍କୁ ଜଣାଇ ଦେଇଛନ୍ତି।ମୋ ଘଟଣା ପଛରେ ସେ ମାଷ୍ଟରମାଇଣ୍ଡ ଥିଲେ ବୋଲି ପ୍ରମାଣିତ କରିଛନ୍ତି। ବିଗତ ଦିନରେ କହୁଥିଲେ ଅର୍ଚ୍ଚନା ନାଗ୍ଙ୍କୁ ଜାଣି ନାହାନ୍ତି, ଆଜି ଜାଣିଗଲେ।ଆପଣ କରିଥିବା କର୍ମର ଫଳ ଭୋଗୁଛନ୍ତି, ସୁଧୁରି ଯାଆନ୍ତୁ , ଅପନିନ୍ଦା ଦିଅନ୍ତୁନି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
