Advertisment

ବର୍ଷେ ତଳେ ପ୍ରେମ ବିବାହ କରିଥିଲେ, ଘରୁ ମିଳିଲା ମୃତଦେହ

ନରେଶଙ୍କ ବାପା ରାଜେନ୍ଦ୍ର ଏନେଇ କୋରାପୁଟ ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ଥାନା ଅଧିକାରୀ ରୁନୁ ମାଝୀ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଥିଲେ। ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।

author-image
Manoranjan Sial
Couple

Couple

ବର୍ଷେ ତଳେ ଘରୁ ପଳାଇ ଯାଇ ମନ୍ଦିରରେ ପ୍ରେମ ବିବାହ କରିଥିଲେ। ପରବର୍ତ୍ତୀ ସମୟରେ ଘରକୁ ଫେରିଥିଲେ। ଦୁଇ ପରିବାର ଭିତରେ ଥିବା ସବୁ ରାଗ ଓ ରୋଷର ପରିସମାପ୍ତି ଘଟିଥିଲା। ସବୁକିଛି ଠିକ୍‌ଠାକ୍‌ ଚାଲିଥିବା ବେଳେ ଆଜି ସକାଳେ ଘରୁ ମିଳିଛି ନବ ଦମ୍ପତିଙ୍କ ମୃତଦେହ। ପତ୍ନୀଙ୍କ ମୃତଦେହ ଖଟରେ ପଡ଼ିଥିବା ବେଳେ ପଛ ପାର୍ଶ୍ୱରୁ ହାତ ବନ୍ଧା ହୋଇଥିବା ସ୍ୱାମୀଙ୍କ ମୃତଦେହ ଝୁଲୁଥିବା ଦେଖିବାକୁ ମିଳିଛି। ତେଣୁ ହତ୍ୟା ଅଭିଯୋଗ ଆଣିଛନ୍ତି ପରିବାର ଲୋକ। କୋରାପୁଟ ସଦର ଥାନା ପୁଲିସ୍‌ ଘଟଣାର ତଦନ୍ତ ଚଳାଇଛି।

Advertisment

ଦଶମନ୍ତପୁର ବ୍ଲକ ପୋଡ଼ାଗଡ଼ ପଞ୍ଚାୟତ ଅଧିନସ୍ଥ ମାଲିଙ୍ଗଯୋଡ଼ି ଗାଁର ନରେଶ ନାୟକ ଦୀର୍ଘ ଦିନ ଧରି ଭବାନୀଙ୍କୁ ପ୍ରେମ କରୁଥିଲେ। ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ହେଲେ ପ୍ରେମରେ ପ୍ରତିବନ୍ଧକ ସାଜିଥିଲେ ଉଭୟ ପରିବାର। ତେଣୁ ଘର ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲେ ନରେଶ ଓ ଭବାନୀ। ଉଭୟ ଏକ ମନ୍ଦିରରେ ବିବାହ କରିଥିଲେ। ବିବାହ ପରେ ଉଭୟଙ୍କୁ ପରିବାର ଲୋକେ ଗ୍ରହଣ କରିନଥିଲେ। ତେଣୁ କିଛି ଦିନ ଭଡ଼ା ଘରେ ରହୁଥିଲେ। ପରବର୍ତ୍ତୀ ସମୟରେ ସବୁ ରାଗ ଓ ରୋଷ ଭୁଲି ଯାଇ ନରେଶ ଓ ଭବାନୀଙ୍କୁ ଗ୍ରହଣ କରିଥିଲେ ପରିବାର ଲୋକ।

ସବୁ ବିବାଦର ଅବସାନ ଘଟିବା ପରେ ଭବାନୀଙ୍କ ବାପ ଘର ଲୋକେ ଯିବାଆସିବା କରୁଥିଲେ। ଏପରିକି ବାହାଘର ସମୟରେ ଦିଆଯାଉଥିବା ଆସବାବପତ୍ର ପ୍ରଦାନ କରିଥିଲେ। ଶାଶୁ ଘରେ ବୋହୂର ସବୁ କର୍ତ୍ତବ୍ୟ ସମ୍ପାଦନ କରୁଥିଲେ ଭବାନୀ। ସବୁଦିନ ପରି ମଙ୍ଗଳବାର ରାତିରେ ଖାଇପିଇ ନିଜ ଘରେ ଶୋଇଥିଲେ ନରେଶ ଓ ଭବାନୀ। ହେଲେ ଆଜି ସକାଳେ ଘରର କବାଟ ଖୋଲିନଥିଲା। ତେଣୁ ପରିବାର ଓ ସେହି ପଡ଼ିଶାଙ୍କ ମନରେ ନାନା ସନ୍ଦେହ ସୃଷ୍ଟି ହୋଇଥିଲା। ତେଣୁ କବାଟ ଭାଙ୍ଗି ଘର ଭିତରେ ପଶିଥିଲେ। ସେତେବେଳେ ଖଟ ଉପରେ ପଡ଼ିଥିଲା ଭବାନୀଙ୍କ ମୃତଦେହ। ଆଉ ନରେଶଙ୍କ ମୃତଦେହ ଝୁଲୁଥିଲା। ତାଙ୍କ ହାତ ପଛ ପାର୍ଶ୍ୱରୁ ବନ୍ଧା ଯାଇଥିବା ଦେଖିବାକୁ ମିଳିଥିଲା। ତେଣୁ ଏହା ଆତ୍ମହତ୍ୟା ନୁହେଁ, ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ମତପ୍ରକାଶ ପାଉଛି।

Advertisment

ନରେଶଙ୍କ ବାପା ରାଜେନ୍ଦ୍ର ଏନେଇ କୋରାପୁଟ ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ଥାନା ଅଧିକାରୀ ରୁନୁ ମାଝୀ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଥିଲେ। ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ହେଲେ ମୃତ୍ୟୁର କାରଣ ଜଣାପଡ଼ି ନାହିଁ। ପୁଲିସ ବିଭିନ୍ନ ଦିଗରୁ ତଦନ୍ତ ଚଳାଇଥିବା ଜଣାପଡ଼ିଛି।

ରିପୋର୍ଟ-ଲକ୍ଷ୍ମୀପୁରରୁ ଗିରିଧାରି ଖରା

Crime Love Koraput