/odisha-reporter/media/post_attachments/uploadimage/library/16_9/16_9_0/Rathore_1748875011.jpg)
Rathore
ରାତାରାତି ବଡ଼ ଲୋକ ହେବାର ନିଶା ସଂସାର ଉଜାଡ଼ି ଦେଇଛି। ଅନଲାଇନ ଗେମରୁ କିଏ କୋଟି ପତି ହେଉଛନ୍ତି ତ ପୁଣି କିଏ ସର୍ବସ୍ୱ ହରାଉଛନ୍ତି। ଏହାର ଏକ ଜ୍ୱଳନ୍ତ ଉଦାହରଣ ରାଜସ୍ଥାନରୁ ଆସିଛି। ଅନଲାଇନ ଗେମର ଋଣ ଭାର ବଢ଼ି ଯିବାରୁ ଜୀବନ ହାରିଛନ୍ତି ଦମ୍ପତି। ଅନଲାଇନ ନିଶାରେ ଦମ୍ପତି ପଡ଼ିବା ଯୋଗୁ ସେମାନଙ୍କ ଉପରେ ଋଣ ଭାର ବଢ଼ି ଚାଲିଥିଲା। ଶେଷରେ ସେମାନେ ଚାପ ସମ୍ଭାଳି ନ ପାରି ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଛନ୍ତି।
କୋଟାରେ ରହୁଥିବା ଦୀପକ ରାଠୋର ମୋବାଇଲ ଫୋନରେ ନିୟମିତ ଅନଲାଇନ ଗେମ ଖେଳନ୍ତି। ରାତାରାତି ବଡ଼ ଲୋକ ହେବା ନିଶାରେ ସେ ଗୋଟିଏ ପରେ ଗୋଟିଏ ଅନଲାଇନ ଗେମରେ ଅଭ୍ୟସ୍ତ ହୋଇ ଚାଲିଥିଲେ। ବାରମ୍ବାର ହାରିବା ସତ୍ତ୍ୱେ ସେ ଆଶା ଛାଡ଼ି ନଥିଲେ। ଶେଷରେ ତାଙ୍କ ମୁଣ୍ଡ ଉପରେ ଋଣର ପାହାଡ଼ ଛିଡ଼ା ହୋଇ ଯାଇଥିଲା।
ତାଙ୍କ ପତ୍ନୀ ରାଜେଶ ରାଠୋର ମଧ୍ୟ ଅନଲାଇନରେ ଗେମ ଖେଳୁଥିଲେ। ଦିନ ବିତିବା ସହ ଉଭୟଙ୍କ ମୁଣ୍ଡରେ ଋଣ ବୋଝ ମଧ୍ୟ ବଢ଼ିବାରେ ଲାଗିଥିଲା। ଆତ୍ମହତ୍ୟା କରିବାର ଦିନ ପୂର୍ବରୁ ଦୀପକ ରାଠୋର ତାଙ୍କ ଭଉଣୀଙ୍କୁ କହିଥିଲେ ଯେ ସେ ଓ ତାଙ୍କ ପତ୍ନୀ ଅନଲାଇନରେ ଗେମ ଖେଳନ୍ତି। ସେମାନଙ୍କ ମୁଣ୍ଡରେ ୪ରୁ ୫ ଲକ୍ଷ ଟଙ୍କା ଋଣ ରହିଛି। ସେ କହିଥିଲେ, “ମୋ ପାଖରେ ଆତ୍ମହତ୍ୟା କରିବା ଛଡ଼ା ଆଉ କୌଣସି ବିକଳ୍ପ ନାହିଁ।”
ଦୀପକଙ୍କୁ ତାଙ୍କ ବଡ଼ ଭଉଣୀ ବୁଝାସୁଝା କରିବା ସହ ଋଣ ପରିଶୋଧ ପାଇଁ ଟଙ୍କା ଯୋଗାଡ଼ ହୋଇଯିବ ବୋଲି ପରାମର୍ଶ ଦେଇଥିଲେ। ଏଥିସହ ବ୍ୟସ୍ତ ନ ହେବାକୁ କହିଥିଲେ। ବଡ଼ ଭଉଣୀଙ୍କ ପରାମର୍ଶ ସତ୍ତ୍ୱେ ଦମ୍ପତି ନିଜ ରୁମର ଫ୍ୟାନରେ ବେଡ ଶିଟ ବାନ୍ଧି ଝୁଲି ପଡ଼ିଥିଲେ।
ଉଭୟ ଆତ୍ମହତ୍ୟା କରିଥିଲେ ହେଁ ଏକଥା କାହାକୁ ଜଣା ନଥିଲେ। ଘଟଣା ବେଳେ ରୁମରେ ଉଭୟଙ୍କ ୫ ବର୍ଷର ଝିଅ ମଧ୍ୟ ରହିଥିଲେ। ସମ୍ଭବତଃ ସେ ଶୋଇ ଯିବା ପରେ ଦମ୍ପତି ଝୁଲି ପଡ଼ିଥିଲେ। ଦୀର୍ଘ ସମୟ ଧରି କବାଟ ବନ୍ଧ ରହିଥିବାରୁ ଦୀପକଙ୍କ ବାପା ସତ୍ୟନାରାୟଣ ଏହାକୁ ବାଡ଼େଇ ଥିଲେ। କିନ୍ତୁ ଭିତରୁ କୌଣସି ଜବାବ ମିଳି ନଥିଲା। କିଛି ମିନିଟ ପରେ ଦମ୍ପତିଙ୍କ ୫ ବର୍ଷର ଝିଅ କବାଟ ଖୋଲି ଥିଲେ। ସେତେବେଳେକୁ ଦୀପକ ଓ ରାଜେଶ ଝୁଲନ୍ତା ଅବସ୍ଥାରେ ରହିଥିଲେ।
ଯଦିଓ ଅନଲାଇନ ଗେମର ଋଣ ଭାର ଯୋଗୁ ଦମ୍ପତି ଆତ୍ମହତ୍ୟା କରିଥିବା କୁହାଯାଉଛି, ତଥାପି ପୁଲିସ୍ ସବୁ ଦିଗରୁ ତଦନ୍ତ କରୁଛି। ଏହି ଦମ୍ପତି ୬ ବର୍ଷ ତଳେ ବିବାହ କରିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
