ଗୋ ସୁରକ୍ଷା ନାଁରେ ଗୁଣ୍ଡାଗର୍ଦ୍ଦି ସହ ହତ୍ୟା ଓ ଦଙ୍ଗା ପାଇଁ ଲୋକଙ୍କୁ ଉସକାଇବା ଘଟଣାର ଅଭିଯୁକ୍ତ ମନୁ ମାନେସରର ଖେଳ ଖେତମ। ତାକୁ ଶେଷରେ ହରିଆଣା ପୁଲିସ୍ ଗିରଫ କରିବାକୁ ସକ୍ଷମ ହୋଇଛି।
ରାଜସ୍ଥାନର ଦୁଇ ଜଣ ମୁସଲିମ ଯୁବକଙ୍କୁ ଜୀବନ୍ତ ପୋଡ଼ି ହତ୍ୟା କରିବା ଘଟଣାରେ ମନୁ ସାମିଲ ଥିଲା। ସେହିପରି ହରିଆଣାର ନୁହରେ ଗତ ଜୁଲାଇ ମାସରେ ଦେଖାଯାଇଥିବା ଭୟଙ୍କର ସାଂପ୍ରଦାୟିକ ଦଙ୍ଗା ପଛରେ ମନୁ ରହିଥିବା ଅଭିଯୋଗ ହୋଇଛି।
ହରିଆଣାରେ ଗତ ଫେବୃଆରୀ ମାସରେ ଦୁଇ ଜଣ ମୁସଲିମ ବ୍ୟକ୍ତିଙ୍କ ଅଧା ପୋଡ଼ା ମୃତଦେହ ଗୋଟିଏ ଗାଡ଼ିରୁ ମିଳିଥିଲା। ମୃତ ନାସିର ଓ ଜୁନେଦଙ୍କୁ କିଛି ତଥାକଥିତ ଗୋ ରକ୍ଷାକାରୀ ଫେବୃଆରୀ ୧୫ରେ ଅପହରଣ କରି ନେଇଥିଲେ। ଦିନକ ପରେ ହରିଆଣାର ଭିୱାନି ଠାରୁ ସେମାନଙ୍କ ପୋଡ଼ା ମୃତଦେହ ମିଳିଥିଲା।
ଏହା ପଛରେ ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତା ମନୁର ହାତ ଥିବା ଅଭିଯୋଗ ହୋଇଥିଲା। କିନ୍ତୁ ମନୁ ଘଟଣା ପରଠାରୁ ଫେରାର ହୋଇ ଯାଇଥିଲା। ସେ ଫେରାର ଥିଲେ ମଧ୍ୟ ବିଭିନ୍ନ ପ୍ରକାରର ଉସକାଇବା ଭଳି ଭିଡିଓ ରିଲିଜ କରୁଥିଲା। ଏପରି କି ଜୁଲାଇ ମାସରେ ନୁହରେ ହୋଇଥିବା ଦଙ୍ଗା ପଛରେ ମନୁ ସକ୍ରିୟ ଭୂମିକା ଗ୍ରହଣ କରିଥିଲା। ଏତେ ସବୁ ଘଟଣା ପରେ ମଧ୍ୟ ଏଯାଏ ପୁଲିସ୍ ତା’କୁ ଧରିବାକୁ ସକ୍ଷମ ହୋଇ ନଥିଲା।
ହେଲେ ଏବେ ହରିଆଣା ପୁଲିସ୍ ତାକୁ ଗିରଫ କରିଛି। ମଙ୍ଗଳବାର ଭୋର ସମୟରୁ ତାକୁ ଧରା ଯାଇଥିଲେ ହେଁ ତା’ ନାଁରେ ଜାମିନ ଯୁକ୍ତ ଦଫା ଲାଗିଛି। ସନ୍ଧ୍ୟା ସୁଦ୍ଧା ମନୁକୁ ଜାମିନ ମିଳିଯିବ। ହେଲେ ରାଜସ୍ଥାନ ପୁଲିସ୍ ତା’କୁ ଡବଲ ମର୍ଡର କେସ୍ରେ ଗିରଫ କରିପାରେ।
ରାଜସ୍ଥାନର ଭରତପୁର ଏସ୍ପି ମ୍ରିଦୃଳ କାଚାୱା କହିଛନ୍ତି, “ହରିଆଣା ପୁଲିସ୍ରେ ଥିବା ଆମର ସହକର୍ମୀ ସୂଚନା ଦେଇଛନ୍ତି ଯେ ମନୁ ମାନେସର ଧରା ପଡ଼ିଛି। ସେମାନେ ଆଇନଗତ ପ୍ରକ୍ରିୟା ଶେଷ କରିବା ପରେ ଆମେ ପରବର୍ତ୍ତୀ ପଦକ୍ଷେପ ନେବୁ।”
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।