Advertisment

କ୍ରାଇମ ଶୋ’ ଦେଖି ହତ୍ୟାକାରୀ ସାଜିଲେ ୩ ନାବାଳକ, ଛୁଟି ପାଇଁ ୫ ବର୍ଷୀୟ ଛାତ୍ରଙ୍କୁ ମାରିଦେଲେ

ଅଭିଯୁକ୍ତ ୩ ପିଲାଙ୍କ ମଧ୍ୟରୁ ୨ ଜଣଙ୍କ ବୟସ ୧୧ ବର୍ଷ ଓ ଜଣଙ୍କର ବୟସ ୯ ବର୍ଷ।

author-image
Hemant Lenka
Crime

Crime

ସାମ୍ନାକୁ ଆସିଛି ଗୋଟିଏ ଭୟଙ୍କର ଘଟଣା। ଜଣେ ୫ ବର୍ଷୀୟ ଛାତ୍ରଙ୍କୁ ହତ୍ୟା କରିଛନ୍ତି ୩ ଜଣ ନାବାଳକ। ୪ ଜଣ ଯାକ ଉତ୍ତର ପୂର୍ବ ଦିଲ୍ଲୀରେ ଥିବା ଗୋଟିଏ ମଦ୍ରାସାରେ ପଢ଼ୁଥିଲେ। ଟିଭିରେ ଦେଉଥିବା ଗୋଟିଏ କ୍ରାଇମ ଶୋ’ ଦେଖି ୩ ନାବାଳକ ହତ୍ୟା କରିବାକୁ ଯୋଜନା କରିଥିଲେ। ଛାତ୍ରଙ୍କୁ ମାରିଲେ ମଦ୍ରାସା ଛୁଟି ଘୋଷଣା ହେବ ଓ ସମସ୍ତେ ନିଜ ନିଜ ଘରକୁ ବୁଲିବାକୁ ଯାଇ ପାରିବେ ବୋଲି ଆଶା ରଖି ୩ ଜଣ ନାବାଳକ ଏପରି ଜଘନ୍ୟକାଣ୍ଡ ଘଟାଇଛନ୍ତି।

Advertisment

ଅଭିଯୁକ୍ତ ୩ ପିଲାଙ୍କ ମଧ୍ୟରୁ ୨ ଜଣଙ୍କ ବୟସ ୧୧ ବର୍ଷ ଓ ଜଣଙ୍କର ବୟସ ୯ ବର୍ଷ। ପୁଲିସ୍‌ କହିଛି ଯେ ଶୁକ୍ରବାର ରାତି ପ୍ରାୟ ୧୦ଟା ବେଳେ ପୁଲିସ୍‌ କଣ୍ଟ୍ରୋଲ ରୁମକୁ ଜଣେ ମହିଳା ଫୋନ କରିଥିଲେ। ମହିଳା ଜଣଙ୍କ ଦିଲ୍ଲୀର ଦୟାଲପୁର ଅଞ୍ଚଳରେ ଥିବା ମଦ୍ରାସା ତଲୀମୁଲ କୁରାନ ବାହାରୁ ଏପରି ଫୋନ କରିଥିଲେ। ସେ ଫୋନରେ ପୁଲିସ୍‌କୁ କହିଥିଲେ ଯେ ମଦ୍ରାସାରେ ପଢ଼ୁଥିବା ତାଙ୍କ ପୁଅ ଅତ୍ୟନ୍ତ ଗୁରୁତର ଅଛି ଓ ତା’ ସହ କିଛି ଅଘଟଣ ଘଟିଛି।

କଲ୍‌ ପାଇବା ପରେ ଗୋଟିଏ ପୁଲିସ ଟିମ ଘଟଣାସ୍ଥଳରେ ପହଞ୍ଚିଥିଲା। ଏହି ସମୟରେ ମହିଳା ଜଣଙ୍କ ତାଙ୍କ ପୁଅକୁ କୋଳରେ ଧରି ବସି ରହିଥିଲେ। ପିଲାଟିର ବେକ, ପିଠି ଓ ଅଣ୍ଟାରେ ଛାଲ ଉତିରି ଯିବା ସହ ପଚା ପଡ଼ି ଯାଇଥିଲା। ପୁଲିସ୍‌ ତୁରନ୍ତ ପିଲାଟିକୁ ହସ୍ପିଟାଲକୁ ନେଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ତା’ର ମୃତ୍ୟୁ ହୋଇଛି। ମା’ଙ୍କ ବୟାନ ଆଧାରରେ ପୁଲିସ୍‌ ପିଲାଟିର ଶବକୁ ବ୍ୟବଚ୍ଛେଦ କରିଥିଲା।

Advertisment

ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି ଯେ ପିଲାଟି କୌଣସି ରୋଗ ନୁହେଁ, ବରଂ ଗୁରୁତର ଆଭ୍ୟନ୍ତରୀଣ ଆଘାତ ଯୋଗୁ ପ୍ରାଣ ହରାଇଛି। ପୁଲିସ୍‌ ତୁରନ୍ତ ଏନେଇ ଗୋଟିଏ ହତ୍ୟା ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଥିଲା।

ମଦ୍ରାସାର ସିସିଟିଭି ଫୁଟେଜକୁ ପୁଲିସ୍‌ ଯାଞ୍ଚ କରିବା ସହ ପିଲାଟିର ସାଙ୍ଗ ଓ ଅନ୍ୟ ଛାତ୍ରମାନଙ୍କୁ ପଚରାଉଚରା କରିଥିଲା। ପଚରାଉଚରା ବେଳେ ପୁଲିସ୍‌ ୩ ଜଣ ଛାତ୍ରଙ୍କୁ ସନ୍ଦିଗ୍ଧ ଭାବେ ଚିହ୍ନଟ କରିଥିଲା। ସେମାନଙ୍କୁ ଅଧିକ ଜେରା କରାଯିବାରୁ ସେମାନେ ପୂରା ଅପରାଧ ସମ୍ପର୍କରେ ଖୁଲାସା କରିଥିଲା।

୩ ଜଣ ଯାକ ଛୁଟି ଚାହୁଁଥିଲେ ଓ ଘରକୁ ଯିବାକୁ ଲକ୍ଷ୍ୟ ରଖିଥିଲେ। ତେଣୁ ସେମାନେ ୫ ବର୍ଷର ପିଲାଟିକୁ ଟାର୍ଗେଟ କରି ମାଡ଼ ମାରିଥିଲେ ବୋଲି ପୁଲିସ୍‌କୁ କହିଛନ୍ତି। ତେବେ କ’ଣ ପାଇଁ ସେହି ପିଲାକୁ ଟାର୍ଗେଟ କରାଗଲା ପ୍ରଶ୍ନରେ ସେମାନେ କହିଛନ୍ତି ଯେ ପିଲାଟିର ବୟସ ୫ ବର୍ଷ। କିନ୍ତୁ ସେ ତା’ ଠାରୁ ବଡ଼ ୩ ଜଣଙ୍କୁ ନାଁ ଧରି ସବୁବେଳେ ଡାକୁଥିଲା।

ଛୁଟି ପାଇଁ ହତ୍ୟା କରିବାର କୌଶଳ ବା ଯୋଜନା ସେମାନେ ଟିଭିରେ ପ୍ରସାରିତ ହେଉଥିବା କ୍ରାଇମ ଶୋ’ ଦେଖି ଶିଖିଥିଲେ ବୋଲି ପୁଲିସ୍‌କୁ କହିଛନ୍ତି। ଘଟଣା ପରେ ମଦ୍ରାସାକୁ ବନ୍ଦ କରାଯାଇଛି ଓ ପିଲାମାନଙ୍କୁ ଘରକୁ ପଠାଇ ଦିଆଯାଇଛି।

Delhi Crime