Advertisment

ସନ୍ଦେହ ବୁଣିଥିଲା ବିଷ ମଞ୍ଜି; ସେଥିପାଇଁ ଫୁଟିଥିଲା ଗୁଳି

ପରସ୍ପରକୁ ଚିହ୍ନିଥିବାରୁ ଚିନ୍ତାମଣୀଙ୍କ ଘରକୁ ଜଗନ ବାରମ୍ବାର ଯିବା ଆସିବା କରୁଥିଲା। ଏମିତିକି ତାଙ୍କ ପତ୍ନୀ ଓ ପରିବାର ଲୋକଙ୍କ ସହ ମିଳା ମିଶା କରୁଥିଲା। ଜଗନଙ୍କ ଏହି ମିଳା ମିଶାକୁ ବିରୋଧ କରିଥିଲେ ଚିନ୍ତାମଣୀ। କାହିଁକି ବାରମ୍ବାର ମୋ’ ଘରକୁ ଆସୁଛୁ ବୋଲି କହୁଥିଲେ।

author-image
Manoranjan Sial
Cuttack

Cuttack

ସନ୍ଦେହ ବୁଣିଥିଲା ବିଷ ମଞ୍ଜି। ଆଉ ଯେଉଁଥିପାଇଁ ସାଙ୍ଗ ସାଜିଥିଲା ସାଙ୍ଗର ବୈରୀ। ଆଉ ରାସ୍ତାରୁ ହଟାଇଥିଲା। ପରିବାର ଲୋକଙ୍କ ଉପସ୍ଥିତିରେ ଅତି ନିକଟରୁ ଗୁଳି କରି ହତ୍ୟା କରିଥିଲା। କଟକ ରାଜମିସ୍ତ୍ରୀ ହତ୍ୟାକାଣ୍ଡ ମାମଲାରେ ଏମିତି ଚାଞ୍ଚଲ୍ୟକର ଖୁଲା କରିଛି କମିଶରେଟ୍‌ ପୁଲିସ୍‌। ରାଜମିସ୍ତ୍ରୀ ଚିନ୍ତାମଣୀ ସାହୁ ହତ୍ୟା ମାମଲାରେ ପୁଲିସ୍‌ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି।

Advertisment

କଟକ ସଦର ଥାନା ଶୁଭଦ୍ରାପୁର ଗାଁର ଚିନ୍ତାମଣୀ ସାହୁ ହେଉଛନ୍ତି ଜଣେ ରାଜମିସ୍ତ୍ରୀ। ତାଙ୍କର ବନ୍ଧୁ ହେଉଛନ୍ତି ଜଗନ ପ୍ରଧାନ ଓ ଶମ୍ଭୁ ଓରଫ ସଂଗ୍ରାମ ଭୋଳ। ତିନି ଜଣଙ୍କ ଭଲ ବନ୍ଧୁତା ଥିଲା। ଏକାଠି ରାଜମିସ୍ତ୍ରୀ ଭାବେ କାମ କରୁଥିଲେ। ସାଙ୍ଗ ହୋଇ ବୁଲା ବୁଲି କରୁଥିଲେ ଓ ମଦ ମଧ୍ୟ ପିଆପିଇ କରୁଥିଲେ।

ପରସ୍ପରକୁ ଚିହ୍ନିଥିବାରୁ ଚିନ୍ତାମଣୀଙ୍କ ଘରକୁ ଜଗନ ବାରମ୍ବାର ଯିବା ଆସିବା କରୁଥିଲା। ଏମିତିକି ତାଙ୍କ ପତ୍ନୀ ଓ ପରିବାର ଲୋକଙ୍କ ସହ ମିଳା ମିଶା କରୁଥିଲା। ଜଗନଙ୍କ ଏହି ମିଳା ମିଶାକୁ ବିରୋଧ କରିଥିଲେ ଚିନ୍ତାମଣୀ। କାହିଁକି ବାରମ୍ବାର ମୋ’ ଘରକୁ ଆସୁଛୁ ବୋଲି କହୁଥିଲେ। ଏପରିକି ଘରକୁ ନଆସିବା ପାଇଁ କହିଥିଲେ। ଏହା ସତ୍ତ୍ୱେ ଜଗନ ଆସୁଥିଲା। ଯାହାକୁ ନେଇ ଚିନ୍ତାମାଣୀଙ୍କ ମନରେ ସନ୍ଦେହ ଜାତ ହୋଇଥିଲା। କିଛି ମନ୍ଦ ଉଦ୍ଦେଶ୍ୟ ରଖି ଜଗନ ଆସୁଥିବା ସନ୍ଦେହ କରିଥିଲେ ଚିନ୍ତାମଣୀ।

Advertisment

ଚିନ୍ତାମଣୀଙ୍କ ଏପରି ଆଚରଣକୁ ନେଇ କ୍ଷୁବ୍ଧ ହୋଇଥିଲା ଜଗନ। ଗତ ୮ ତାରିଖରେ ଏହାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏହା ପରେ ଚିନ୍ତାମଣୀଙ୍କୁ ରାସ୍ତାରୁ ହଟାଇବା ପାଇଁ ଜଗନ ପ୍ଲାନ୍‌ କରିଥିଲା। ଆଉ ଶମ୍ଭୁର ସହଯୋଗ ଲୋଡ଼ିଥିଲା। ସେହି ଦିନ ଅର୍ଥାତ ୮ ତାରିଖ ଅପରାହ୍ନ ପ୍ରାୟ ୪ଟା ବେଳେ ଜଗନ ଓ ଶମ୍ଭୁ ବନ୍ଧକ ଧରି ଚିନ୍ତାମଣୀଙ୍କ ଘରକୁ ଯାଇଥିଲେ। ସମସ୍ତଙ୍କ ସମ୍ମୁଖରେ ଅତି ନିକଟରୁ ଚିନ୍ତାମଣୀଙ୍କ ମୁଣ୍ଡକୁ ଫାୟାରିଂ କରିଥିଲେ ଜଗନ। ଆଉ ଘଟଣାସ୍ଥଳରେ ଚିନ୍ତାମଣୀଙ୍କ ମୃତ୍ୟୁ ଘଟିଥିଲା।

ହତ୍ୟାକାଣ୍ଡ ପରେ ଜଗନ ଓ ଶମ୍ଭୁ ଭୁବନେଶ୍ୱର ପଳାଇ ଯାଇଥିଲେ। ସେଠାରେ ଜଗନର ଭାଇ ରାକେଶ ପ୍ରଧାନଙ୍କ ଘରେ ରହିଥିଲେ। ତା’ପର ଦିନ ତିନି ଜଣ(ଜଗନ, ଶମ୍ଭୁ ଓ ରାକେଶ) ମିଶି ବେଙ୍ଗାଲୁରୁ ପଳାଇ ଯାଇଥିଲେ। ସେପଟେ କମିଶନରେଟ୍‌ ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ହତ୍ୟାକାଣ୍ଡରେ ଜଗନ ଓ ଶମ୍ଭୁଙ୍କ ସମ୍ପୃକ୍ତି ଥିବା ପୁଲିସ୍‌ ଜାଣିବାକୁ ପାଇଥିଲା।

ଏହା ପରେ ଖାନତଲାସି ଅଭିଯାନ ଆରମ୍ଭ କରିଥିଲା ପୁଲିସ୍‌। ଜଗନ ଓ ଶମ୍ଭୁ ଧରିବା ପାଇଁ ପୁଲିସ୍‌ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଥିଲା। ତେବେ ତଦନ୍ତ ବେଳେ ଉଭୟ ବେଙ୍ଗାଲୁରୁରେ ଥିବା ଜାଣିବାକୁ ପାଇଥିଲା ପୁଲିସ୍‌। ଏହାପରେ ପୁଲିସ୍‌ର ଏକ ଟିମ୍‌ ବେଙ୍ଗାଲୁରୁ ଯାଇଥିଲା। ସ୍ଥାନୀୟ ପୁଲିସ୍‌ ସହାୟତାରେ କମିଶନରେଟ୍‌ ପୁଲିସ୍‌ ୟାଲାହଙ୍କା ରେଲୱେ ଷ୍ଟେସନରୁ ଜଗନ, ଶମ୍ଭୁ ଓ ରାକେଶ କୁ ଗିରଫ କରି ଟ୍ରାଞ୍ଜିଟ ରିମାଣ୍ଡରେ ଓଡ଼ିଶା ଆଣିଥିଲା। ଆଜି କୋର୍ଟ ଚାଲାଣ କରିଛି ପୁଲିସ। ଏନେଇ ସୂଚନା ଦେଇଛନ୍ତି କଟକ ଆଡିସିନାଲ୍‌ ଡିସିପି ଅନୀଲ କୁମାର ମିଶ୍ର।

ଆଡିସିନାଲ୍‌ ଡିସିପି ଅନୀଲ କୁମାର ମିଶ୍ରଙ୍କ କହିବା ଅନୁସାରେ ଗିରଫ ହୋଇଥିବା ୩ ଅଭିଯୁକ୍ତଙ୍କ ନାଁରେ ବହୁ ଅପରାଧୀକ ମାମଲା ରହିଛି। ମୁଖ୍ୟ ଅଭିଯୁକ୍ତ ଜଗନ ନାଁରେ ୯ଟି ମାମଲା ଥିବା ବେଳେ ତାଙ୍କ ଭାଇ ରାକେଶ ନାଁରେ ୮ରୁ୧୦ ଓ ଶମ୍ଭୁ ନାଁରେ ୨୫ଟି ମାମଲା ରହିଛି। ଏହାଛଡ଼ା ଚିନ୍ତାମଣୀ ହତ୍ୟାକାଣ୍ଡରେ ବ୍ୟବହୃତ ବନ୍ଧୁକ, ଅଭିଯୁକ୍ତ ବ୍ୟବହାର କରୁଥିବା ୨ଟି ହେଲ୍‌ମେଟ୍‌, ଗୋଟିଏ ଏମ୍ପଟି କ୍ୟାଟ୍ରିଜ୍‌, ଆପାଚି ବାଇକ୍‌ ପ୍ରମୁଖ ଜବତ କରାଯାଇଛି ବୋଲି ଶ୍ରୀ ମିଶ୍ର କହିଛନ୍ତି।

Murder Cuttack Crime