୩ ବର୍ଷ ହେଲା ଲୁଟୁଥିଲେ ଠକ! ଜାଣିପାରୁନଥିଲେ ବୁଢୀ ମାଉସୀ

ଏୟାରଟେଲ୍‌ ପେମେଣ୍ଟ ବ୍ୟାଙ୍କ କର୍ତ୍ତୃପକ୍ଷ ଉଲ୍ଲାସଙ୍କ ଆକାଉଣ୍ଟ ଯାଞ୍ଚ କରି କହିଥିଲେ, ୩ରୁ ୪ ବର୍ଷ ତଳେ ଆକାଉଣ୍ଟ ଖୋଲା ଯାଇଛି। ଆଉ ଗତ ୯ ତାରିଖ ୭ଟା ୪୫ ମିନିଟ୍‌ରେ ଆକାଉଣ୍ଟକୁ ‘ସୁଭଦ୍ରା’ ଟଙ୍କା ଆସିଛି। ତେଣୁ ସେହି ଟଙ୍କା ଉଠାଇବାକୁ ଚାହିଁଥିଲେ ଉଲ୍ଲାସ ମାଉସୀ।

ସାଇବର ଥାନାରେ ଅଭିଯୋଗ କରିବାକୁ ଆସିଛନ୍ତି ମାଉସୀ

  • Published: Tuesday, 15 October 2024
  • , Updated: 15 October 2024, 08:15 PM IST

ବୁଢୀ ମାଉସୀଙ୍କୁ ଠକିଦେଲେ ସାଇବର ଠକ। ୩ ବର୍ଷ ଧରି ତାଙ୍କ ନାଁରେ ଏୟାରଟେଲ ପେମେଣ୍ଟ ବ୍ୟାଙ୍କରେ ଆକାଉଣ୍ଟ ଖୋଲି ଲୁଟୁଥିଲେ ଟଙ୍କା। ହେଲେ ବୁଢୀ ମାଉସୀ ଜାଣିପାରୁନଥିଲେ। ଏବେ ‘ସୁଭଦ୍ରା’ ଟଙ୍କା ଲୁଟ୍‌ ବେଳେ ଜଣାପଡ଼ିଲା ପୂରା ଘଟଣା। ଠିକାମୀରେ ଶିକାର ହେବା ପରେ ବୁଢୀ ମାଉସୀ ଝିଅ ସହ ଆସି ଏବେ ଭୁବନେଶ୍ୱର ସାଇବର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ସମସ୍ତଙ୍କ ପାଖକୁ ଆସିଥିଲା ‘ସୁଭଦ୍ରା’ ଟଙ୍କା। ହେଲେ ବୁଢୀ ମାଉସୀ ଉଲ୍ଲାସ ପ୍ରଧାନଙ୍କ ପାଖକୁ ‘ସୁଭଦ୍ରା’ ଟଙ୍କା ଆସିଛି କି ନାହିଁ ଜାଣିପାରୁନଥିଲେ। ତେଣୁ ଉଲ୍ଲାସ ମାଉସୀ ଡିବିଟି ମୋବାଇଲ୍‌ରେ ଲିଙ୍କ କରି ଦେଖିବାକୁ ପାଇଲେ ନିଜ ନାଁରେ ଏୟାରଟେଲ୍‌ ପେମେଣ୍ଟ ବ୍ୟାଙ୍କରେ ଆକାଉଣ୍ଟ ଖୋଲାଯାଇଛି। ହେଲେ ପ୍ରକୃତରେ ସେ ଏୟାରଟେଲ୍‌ ପେମେଣ୍ଟ ବ୍ୟାଙ୍କରେ ଆକାଉଣ୍ଟ ଖୋଲି ନାହାନ୍ତି। ତେଣୁ କିଏ ଆକାଉଣ୍ଟ ଖୋଲିଛନ୍ତି, ସେ ସମ୍ପର୍କରେ ଜାଣିବା ପାଇଁ ଉଲ୍ଲାସ ପ୍ରଧାନ ନିଜ ଝିଅ ସହ ଏୟାରଟେଲ୍‌ ପେମେଣ୍ଟ ବ୍ୟାଙ୍କକୁ ଯାଇଥିଲେ।

ଏୟାରଟେଲ୍‌ ପେମେଣ୍ଟ ବ୍ୟାଙ୍କ କର୍ତ୍ତୃପକ୍ଷ ଉଲ୍ଲାସଙ୍କ ଆକାଉଣ୍ଟ ଯାଞ୍ଚ କରି କହିଥିଲେ, ୩ରୁ ୪ ବର୍ଷ ତଳେ ଆକାଉଣ୍ଟ ଖୋଲା ଯାଇଛି। ଆଉ ଗତ ୯ ତାରିଖ ୭ଟା ୪୫ ମିନିଟ୍‌ରେ ଆକାଉଣ୍ଟକୁ ‘ସୁଭଦ୍ରା’ ଟଙ୍କା ଆସିଛି। ତେଣୁ ସେହି ଟଙ୍କା ଉଠାଇବାକୁ ଚାହିଁଥିଲେ ଉଲ୍ଲାସ ମାଉସୀ। ଏଥିସହ କିଏ ତାଙ୍କର ଆକାଉଣ୍ଟ ଖୋଲିଛନ୍ତି, ସେ ସମ୍ପର୍କରେ ଜାଣିବାକୁ ଚାହିଁଥିଲେ। ବ୍ୟାଙ୍କ କର୍ତ୍ତୃପକ୍ଷ ତାଙ୍କୁ ଏକ ଫୋନ୍‌ ନମ୍ୱର ଦେଇଥିଲେ। ସେହି ନମ୍ୱରରେ ଫୋନ୍‌ କଲା ବେଳେ ଇନ୍‌କମିଂ କଲ୍‌ ନଥିବା ଜାଣିବାକୁ ପାଇଥିଲେ ଉଲ୍ଲାସ ମାଉସୀ।

ଉଲ୍ଲାସ ମାଉସୀଙ୍କ ଝିଅ ସୁନୀତା କହିଛନ୍ତି, ମାଆଙ୍କ ଆଧାକାର୍ଡ ବ୍ୟବହାର କରାଯାଇ ଏୟାରଟେଲ୍‌ ପେମେଣ୍ଟ ବ୍ୟାଙ୍କରେ ଆକାଉଣ୍ଟ ଖୋଲାଯାଇଛି। ହେଲେ ସେଥିରେ ଥିବା ଫୋନ୍‌ ନମ୍ୱର ଆଉ କାହାର ଦିଆଯାଇଛି। ଯେଉଁଥିପାଇଁ ସୁଭଦ୍ରା, ଗ୍ୟାସ୍‌ ସବ୍‌ସିଡି, କାଳିଆ ସମେତ ସରକାରଙ୍କ ସବୁ ଯୋଜନାର ଟଙ୍କା ସେହି ଆକାଉଣ୍ଟକୁ ଯାଉଛି। ଆଉ ଠକ ସେହି ଟଙ୍କା ଉଠାଇ ନେଉଛି। ଏବେ ସେହି ଆକାଉଣ୍ଟରେ ୧୦,୫୦୦ ଟଙ୍କା ରହିଛି ବୋଲି ସୁନୀତା କହିଛନ୍ତି।

ଠକେଇର ଶିକାର ହେବା ପରେ ଉଲ୍ଲାସ ମାଉସୀ ଓ ତାଙ୍କ ଝିଆ ଆଜି ଭୁବନେଶ୍ୱର ସାଇବର ଥାନାର ଦ୍ୱାରସ୍ଥ ହୋଇଛନ୍ତି। ବେଆଇନ୍‌ ଭାବେ ଏୟାରଟେଲ୍‌ ପେମେଣ୍ଟ ବ୍ୟାଙ୍କରେ ଆକାଉଣ୍ଟ ଖୋଲି ଟଙ୍କା ଲୁଟ୍‌ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ଘଟଣାକୁ ଗୁରୁତ୍ୱର ସହ ନେଇଛି ସାଇବର ଥାନା ପୁଲିସ୍‌। ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି ପୁଲିସ୍‌।

Related story