Advertisment

ଟ୍ରେଡିଂ ନାଁରେ ବାମ୍ଫ ନେଲେ ଡାକ୍ତର; ଚଳୁ ହୋଇଗଲା ୧୦ କୋଟି

ସାଇବର ଥାନା ପୁଲିସ୍‌ ଅଭିଯୋଗକୁ ଭିତ୍ତିକରି ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ବେଳେ ସାଇବର ଠକ ନବୀନ ଓ ମୁକେଶ ରାଜସ୍ଥାନରେ ବସିଥିବା ଜାଣିବାକୁ ପାଇଥିଲା।

author-image
Manoranjan Sial
ଅଦ୍ୟତନ ହୋଇଛି
Doctor

Doctor

ଟ୍ରେଡିଂ ନାଁରେ ବାମ୍ଫ ନେଲେ ଡାକ୍ତର। ଆଉ ଚଳୁ ହୋଇଗଲା ୧୦ କୋଟିରୁ ଅଧିକ ଟଙ୍କା। ନାମ ନେଲା ପରେ ଡାକ୍ତର ଭୁବନେଶ୍ୱର ସାଇବର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ସାଇବର ଥାନା ପୁଲିସ୍‌ ଆଜି ଦୁଇ ସାଇବର ଠକଙ୍କୁ ରାଜସ୍ଥାନରୁ ଗିରଫ କରିଛି। ଏଥିସହ ସେମାନଙ୍କ ଆକାଉଣ୍ଟରେ ଥିବା ୫ ଲକ୍ଷ ଟଙ୍କା ଫ୍ରିଜ୍‌ କରିଛି ପୁଲିସ୍‌।

Advertisment

ଗିରଫ ଦୁଇ ଅଭିଯୁକ୍ତ ହେଲେ ରାଜସ୍ଥାନ ଚୁରୁ ଜିଲ୍ଲା ରତନ ନଗର ଥାନା ଅଞ୍ଚଳର ନବୀନ କୁମାର ଜାହାଙ୍ଗିର ଓ ମୁକେଶ କୁମାର ସିଲା। ଉଭୟ ପାଠ ପଢ଼ୁଛନ୍ତି। ନବୀନ ବିଏ ପଢ଼ୁଥିବା ବେଳେ ମୁକେଶ ଯୁକ୍ତ ୨ରେ ପାଠ ପଢ଼ୁଛନ୍ତି। ଏମାନଙ୍କ କାମ ହେଲା ଠକେଇ କରିବା। ଟ୍ରେଡିଂ ନାଁ ଲୋଭ ଦେଖାଇ ଲିଙ୍କ ପଠାଉଥିଲେ ଓ ଆଉ ଟଙ୍କା ଇନ୍‌ଭେଷ୍ଟ ହେବା ପରେ ଆଖି ପିଛୁଳାକେ ଆକାଉଣ୍ଟ ଖୋଳ କରିଦେଉଥିଲେ। ନବୀନ ଓ ମୁକେଶଙ୍କ ଏହି ଟ୍ରେଡିଂ ଜାଲରେ ପଡ଼ିଥିଲେ ଭୁବନେଶ୍ୱର କସ୍‌ମୋପଲିରେ ରହୁଥିବା ଜଣେ ଡାକ୍ତର।

ଅଭିଯୋଗ ଅନୁସାରେ ଡାକ୍ତରଙ୍କ ମୋବାଇଲ ହ୍ୱାଟ୍ସଆପ୍‌କୁ ଏକ ଟ୍ରେଡିଂ ଆପ୍ଲିକେସନ୍‌ ଲିଙ୍କ ଆସିଥିଲା। ଟଙ୍କା ବିନିଯୋଗ କଲେ ଅଧିକ ମିଳିବ ବୋଲି ଲୋଭନୀୟ ଅଫର ଦିଆଯାଇଥିଲା। ଏହା ପରେ ଡାକ୍ତର ୧୨୧ରେ ଫୋନ୍‌ କରିଥିଲେ। ଆଉ ସେହି ଫୋନ୍‌ ଉଠାଇଥିଲେ ନବୀନ ଓ ମୁକେଶ। ଏଚ୍‌ଡିଏଫ୍‌ସି ସିକ୍ୟୁରିଟି ହାଏ ନେଟ୍‌ୱର୍କ ଇନ୍‌ଭେଷ୍ଟର ପ୍ରୋଗ୍ରାମ୍‌ରେ ଟଙ୍କା ବିନିଯୋଗ କରିବା ପାଇଁ କହିଥିଲେ। ସେମାନଙ୍କ କଥାକୁ ମାନି ଓ କୌଣସି ତର୍ଜମା ନକରି ଡାକ୍ତର ସେହି ନକଲି ଟ୍ରେଡିଂ ଆପ୍ଲିକେସନ୍‌ରେ ୮୭ ଲକ୍ଷ ୮୩ ହଜାର ୬୩୦ ଟଙ୍କା ବିନିଯୋଗ କରିଥିଲେ। ଟଙ୍କା ବିନିଯୋଗ କରିବା ପରେ ୧୦ କୋଟି ୩୮ ଲକ୍ଷ ୯୬ ହଜାର ଟଙ୍କା ମିଳିବ ବୋଲି ଦେଖିବାକୁ ମିଳିଥିଲା।

Advertisment

ଅଳ୍ପ ସମୟରେ ଏତେ ଟଙ୍କା ହୋଇଥିବା ଦେଖି ଡାକ୍ତର ମହାଶୟଙ୍କ ଲୋଭ ହୋଇଥିଲା। ଆଉ ଟଙ୍କା ଉଠାଇବାକୁ ଚାହିଁଥିଲେ। ହେଲେ ଚତୁର ନବୀନ ଓ ମୁକେଶ ଟଙ୍କା ଉଠାଇବାକୁ ଦେଇନଥିଲେ। ୩୦ ଲକ୍ଷ ଟଙ୍କା ମାଗିଥିଲେ। ଏଥିସହ ଡାକ୍ତରଙ୍କ ସବୁ ଟଙ୍କା ନିଜର ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରିଦେଇଥିଲେ ନବୀନ ଓ ମୁକେଶ। ଏହା ପରେ ଡାକ୍ତର ଫ୍ରଡ୍‌ରେ ଶିକାର ହୋଇଥିବା ଜାଣି ଅଗଷ୍ଟ ୧୭ ତାରିଖରେ ସାଇବର ଥାନାରେ ଲିଖିତ ଅଭିଯୋଗ କରିଥିଲେ।

Crimeଗିରଫ ହୋଇଥିବା ଦୁଇ ଅଭିଯୁକ୍ତ

ସାଇବର ଥାନା ପୁଲିସ୍‌ ଅଭିଯୋଗକୁ ଭିତ୍ତିକରି ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ବେଳେ ସାଇବର ଠକ ନବୀନ ଓ ମୁକେଶ ରାଜସ୍ଥାନରେ ବସିଥିବା ଜାଣିବାକୁ ପାଇଥିଲା। ତା’ପରେ ସାଇବର ଥାନା ପୁଲିସ୍‌ର ୩ ଜଣିଆ ଟିମ୍‌ ରାଜସ୍ଥାନ ଯାଇଥିଲା। ରାଜସ୍ଥାନ ପୁଲିସ୍‌ ସହାୟତାରେ ସାଇବର ଟିମ୍‌ ୨ ଅଭିଯୁକ୍ତଙ୍କୁ ଗିରଫ କରି ସ୍ଥାନୀୟ କୋର୍ଟରେ ହାଜର କରାଇଥିଲେ। ପରେ ସେମାନଙ୍କୁ ରିମାଣ୍ଡରେ ଆଣିଛି ସାଇବର ଥାନା ପୁଲିସ୍‌।

ସାଇବର ଥାନା ଇନ୍‌ଚାର୍ଜ ଏସିପି ଅଞ୍ଜନା ଟୁଡୁ କହିଛନ୍ତି, ଦୁଇ ଅଭିଯୁକ୍ତଙ୍କଠାରୁ ଦୁଇଟି ମୋବାଇଲ ଜବତ କରାଯାଇଛି। ଏଥିସହ ସେମାନଙ୍କ ଆକାଉଣ୍ଟରେ ଥିବା ୫ ଲକ୍ଷ ଟଙ୍କା ଫ୍ରିଜ୍‌ କରାଯାଇଛି। ଟଙ୍କା ଠକେଇ କରିବା ପାଇଁ ଦୁଇ ଅଭିଯୁକ୍ତ ବହୁ ଆକାଉଣ୍ଟ ବ୍ୟବହାର କରୁଥିଲେ। ତେଣୁ ସମସ୍ତଙ୍କୁ ଅନୁରୋଧ କରାଯାଉଛି, ଯଦି କୌଣସି ହ୍ୱାଟ୍ସଆପ୍‌ ଗ୍ରୁପ୍‌ରେ ଆଡ୍‌ ହେଉଛନ୍ତି, ସେଥିରେ ଆସୁଥିବା ଅଜଣା ଲିଙ୍କରେ କ୍ଲିକ୍‌ କରନ୍ତୁ ନାହିଁ। ଅଧିକା ଲୋଭରେ ହ୍ୱାଟ୍ସଆପ୍‌ ଓ ଟେଲିଗ୍ରାମ୍‌ରେ ଆସୁଥିବା ଲିଙ୍କରେ କ୍ଲିକ୍‌ କରି ଟଙ୍କା ବିନିଯୋଗ କରନ୍ତୁ ନାହିଁ। ନହେଲେ ଅସୁବିଧାରେ ପଡ଼ିବେ ଓ ଟଙ୍କା ବୁଡ଼ିବାର ସମ୍ଭାବନା ରହିଥିବା ଏସିପି କହିଛନ୍ତି।

Bhubaneswar Bhubaneswar News Cyber Fraud