Advertisment

ସାଇବର ମାଫିଆଙ୍କୁ ସିମ୍‌ ବିକ୍ରି କରି ମାଲେମାଲ ହେଉଥିଲେ, ୮ ଜଣଙ୍କୁ ବାନ୍ଧିଲା ପୁଲିସ

ଚଢ଼ଉ ବେଳେ ଏହି ଠକମାନଙ୍କ ଠାରୁ ପ୍ରାୟ ୮ ଶହ ପ୍ରି ଆକ୍ଟିଭେଟେଡ୍ ସିମ ସହ ୧୬ ମୋବାଇଲ ଜବତ ହୋଇଛି।

ଅଦ୍ୟତନ ହୋଇଛି
Cyber police arrested 8 people

Cyber police arrested 8 people

Advertisment

ଓଡ଼ିଶା ସିମ୍‌ ଆସାମ୍, ହରିଆଣା, ଦିଲ୍ଲୀ, ରାଜସ୍ଥାନ, ଉତ୍ତରପ୍ରଦେଶ ସାଇବର ଠକଙ୍କୁ ବିକୁଥିଲେ। ସାଇବର ଠକମାନେ ଏହି ସିମ୍‌ ବ୍ୟବହାର କରି ଲୋକଙ୍କୁ ଠକୁଥିଲେ। ସାଇବର ଠକଙ୍କୁ ସିମ୍‌ ଯୋଗାଇ ଦେଇ ମାଲେମାଲେ ହେଉଥିବା ୮ ଜଣ ଯୁବକଙ୍କୁ ଗିରଫ କରିଛି କଟକ ସାଇବର ଥାନା ପୁଲିସ। ଏହି ୮ ଯୁବକ ଗ୍ରାହକଙ୍କ ଠକି ସେମାନଙ୍କ ନାମରେ ସିମ୍‌ କାର୍ଡ ବାହାର କରୁଥିଲେ। ଯାହାକୁ ସେମାନେ ବାହାର ରାଜ୍ୟର ସାଇବର ଠକଙ୍କୁ ବିକୁଥିଲେ। ଏନେଇ ଆଜି ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛି କଟକ ଡିସିପି ପିନାକ ମିଶ୍ର ।

Advertisment

ଚଢ଼ଉ ବେଳେ ଏହି ଠକମାନଙ୍କ ଠାରୁ ପ୍ରାୟ ୮ ଶହ ପ୍ରି ଆକ୍ଟିଭେଟେଡ୍ ସିମ ସହ ୧୬ ମୋବାଇଲ ଜବତ ହୋଇଛି। ଅଭିଯୁକ୍ତଙ୍କ ମଧ୍ୟରୁ ୭ ଜଣ ପୁରୀ ଜିଲ୍ଲାର ଓ ଜଣେ ନୟାଗଡ଼ ବାସିନ୍ଦା। ଗିରଫଙ୍କ ମଧ୍ୟରେ ସିମ୍‌ ବିକ୍ରି ଲାଇସେନ୍ସ ପାଇଥିବା ବିଭିନ୍ନ କମ୍ପାନୀର ୭ କର୍ମଚାରୀ ଅଛନ୍ତି। ସେମାନେ ପ୍ରାୟ ୫ ହଜାରରୁ ଅଧିକ ସିମ୍‌ ସାଇବର ମାଫିଆଙ୍କୁ ବିକ୍ରି କରିଥିବା ଜଣାପଡ଼ିଛି।

ଡିସିପି ପିନାକ ମିଶ୍ର କହିଛନ୍ତି, ୧୩ ଜୁଲାଇ ୨୦୨୨ରେ କଟକର ସାଇବର ଓ ଇକୋନୋମିକ୍ସ ଅପରାଧ ଥାନାରେ ଏକ ମାମଲା ହୋଇଥିଲା। ଜଣେ ବ୍ୟକ୍ତି ଅଭିଯୋଗ କରିଥିଲେ ଯେ, ସେ ତାଙ୍କ ଘର ଭଡ଼ା ଦେବା ପାଇଁ ବିଜ୍ଞାପନ ସହ ଫୋନ୍‌ ନମ୍ବର ଛାପିଥିଲେ। କିଛିଦିନ ଉପରାନ୍ତେ ଜଣେ ଠକ ଫୋନ୍‌ କରି ଏହି ରୁମ୍‌କୁ ଭଡ଼ାରେ ନେବାକୁ ଚାହୁଁଥିବା ଇଛା ପ୍ରକାଶ କରିଥିଲେ। ସେ ନିଜକୁ ସିଆଇଏସ୍‌ଏଫ୍‌ର କନେଷ୍ଟବଳ ବୋଲି ପରିଚୟ ଦେଇଥିଲା। କୌଶଳ କରି ଠକ ଜଣକ ଘର ମାଲିକକୁ ଘର ଭଡ଼ା ନେବାକୁ ଚାହୁଁଥିବା ବୁଝାଇବା ସହ ଅନ୍‌ଲାଇନ୍‌ ପେମେଣ୍ଟ ପୂର୍ବରୁ କିଛି ଟଙ୍କା ଦେବାକୁ କହିଥିଲା। ଘର ମାଲିକ ଠକାମୀରେ ପଡ଼ୁଥିବା ଜାଣି ନ ପାରି କିଛି ଟଙ୍କା ଅନ୍‌ଲାଇନ୍‌ ପେ’ କରିଥିଲେ। ଏହି ଟଙ୍କା ଦେବାର ମାତ୍ର କିଛି ସମୟ ପରେ ତାଙ୍କ ଆକାଉଣ୍ଟରୁ ୫୭ ହଜାର ଟଙ୍କା ଠକ ଜଣକ ଉଡ଼ାଇ ନେଇଥିଲା। ଘର ମାଲିକଙ୍କ ଅଭିଯୋଗ ପରେ ଏହାର ତଦନ୍ତ କରିବା ପରେ ରାଜସ୍ଥାନ ଓ ପଶ୍ଚିମ ଉତ୍ତରପ୍ରଦେଶର ଏକ ସାଇବର ମାଫିଆ ଗୋଷ୍ଠୀ ଏହି କାଣ୍ଡ କରିଥିବା ଜଣାପଡ଼ିଥିଲା।

Advertisment

ପୁଲିସ ଟିମ୍‌ ସେଠାକୁ ଏହି ଗୋଷ୍ଠୀକୁ ବାନ୍ଧିବାକୁ ଯାଇଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଖସି ଯାଇଥିଲା। ଯେଉଁ ସିମ୍‌ରେ ଏହି ଠକାମୀ ହୋଇଥିଲା ତାହା ଓଡ଼ିଶାରୁ ଆକ୍ଟିଭ୍ ହୋଇଥିବା ଜଣାପଡ଼ିଥିଲା।

Cyber police arrested 8 peopleଗିରଫ ଅଭିଯୁକ୍ତମାନେ

ଏକ ଠକ ଗୋଷ୍ଠୀ ଗ୍ରାହକଙ୍କ ଅଜଣାତରେ ବହୁ ପରିମାଣର ପ୍ରିଆକ୍ଟିଭେଟଡ୍ ସିମ୍‌କୁ ଆକ୍ଟିଭ୍‌ କରି ଏହାକୁ ବାହାର ସାଇବର ଠକଙ୍କୁ ବହୁ ଦାମ୍‌ରେ ବିକ୍ରି କରୁଥିବା ଜଣାପଡ଼ିଥିଲା। ଏହି ସିମ୍‌କୁ ବ୍ୟବହାର କରି ସାଇବର ଠକ୍‌ମାନେ ଲୋକଙ୍କୁ ଠକାମୀ ଜାଲରେ ପକାଉଥିଲେ।

ଏହି ଠକ ଗୋଷ୍ଠୀଙ୍କୁ ଧରିବା ପରେ ସେମାନଙ୍କ ଠାରୁ ୧୬ଟି ମୋବାଇଲ୍ ଜବତ କରାଯାଇଛି। ଏହି ମୋବାଇଲ୍‌ ଜରିଆରେ ଗ୍ରାହକଙ୍କ ଅଜ୍ଞାତରେ ସେମାନଙ୍କ ନାମରେ ପ୍ରିଆକ୍ଟିଭେଟଡ୍ ସିମ୍‌ ନେଇ ଆକ୍ଟିଭ୍‌ କରୁଥିଲେ ଅଭିଯୁକ୍ତମାନେ। ଜଣେ ଗ୍ରାହକକୁ କମ୍ପାନୀ ପକ୍ଷରୁ ୨ଟି ସିମ୍‌ ଦେବାର ସୁବିଧା ଥିବା ବେଳେ ଏହି ଠକମାନେ ଗ୍ରାହକଙ୍କୁ ଗୋଟିଏ ସିମ୍‌ କାର୍ଡ ଦେବା ପରେ ତାହାର ଅଜାଣରେ ଏମାନେ ତାହାର ବାଓମେଟ୍ରିକ୍‌ ଫିଙ୍କରପ୍ରିଣ୍ଟ ଓ ଫଟୋକୁ ଅପବ୍ୟବହାର କରି ଅନ୍ୟ ଗୋଟିଏ ସିମ୍‌କାର୍ଡକୁ ହାତଉ ଥିଲେ। ଦ୍ୱିୟତଃ ଏମାନେ ଗାଁ’ ଗହଳିରେ ରହୁଥିବା ତଥା ସିମ୍‌ ବ୍ୟବହାର ବିଷୟରେ ବିଶେଷ ଜ୍ଞାନ ନଥିବା ଲୋକଙ୍କୁ ଟାର୍ଗେଟ କରୁଥିଲେ। ଗିଫ୍ଟ ଓ ପୁରସ୍କାର ରାଶି ଦେଇ ନିରୀହ ଲୋକଙ୍କ ଠାରୁ କୌଶଳ କ୍ରମେ ବାୟୋମେଟ୍ରିକ୍ ଫିଙ୍ଗରପ୍ରିଣ୍ଟ ଓ ଫଟୋ ଉଠାଇ ନେଉଥିଲେ। ଯାହା ପରେ ସେମାନଙ୍କ ନାମରେ ସିମ୍‌ ବାହାର କରି ବାହାର ରାଜ୍ୟର ସାଇବର ଠକଙ୍କୁ ଦେଉଥିଲେ। ଏଥିରୁ ସେମାନେ ପ୍ରଚୁର ଟଙ୍କା ରୋଜଗାର କରୁଥିଲେ। ଅନ୍‌ଲାଇନ୍ ଗେମ୍ ଓ ସଟା ଖେଳ ଜରିଆରେ ସାଇବର ଠକମାନଙ୍କ ସଂସ୍ପର୍ଶରେ ଆସିବା ପରେ ଗିରଫ ଅଭିଯୁକ୍ତମାନେ ଠକାମୀ ଚଳାଇଥିଲେ ବୋଲି ଡିସିପି କହିଛନ୍ତି।

ସେ ଆହୁରି କହିଛନ୍ତି, ବହୁ ସିମ୍‌ ଜରିଆରେ ଠକେଇ ହୋଇଥିବାରୁ ଏହାର ତଦନ୍ତ ଚାଲିଛି ଓ ଏଥିପାଇଁ ବହୁ ସମୟ ଆବଶ୍ୟକ। ଜବତ ଗୋଟିଏ ମୋବାଇଲ୍‌ରୁ ପ୍ରାୟ ୧୨୫୦ ସିମ୍‌ ଆକ୍ଟିଭେଟ୍ ହୋଇଛି। ତେଣୁ କେଉଁ ସିମ୍‌ରେ କିପରି ପ୍ରକାର ଠକେଇ ନିମନ୍ତେ ବ୍ୟବହାର କରାଯାଇଛି ତାହାର ତଦନ୍ତ ହେବ। ସାଇବର ଠକମାନେ ବିଭିନ୍ନ କୌଶଳ ଖଟାଇ ଏହି ନମ୍ବର ଜରିଆରେ ଲୋକଙ୍କୁ ଏସ୍‌ଏମ୍‌ଏସ୍ ତଥା ୱାଟର୍ସ ଆପ୍‌ରେ ଲିଙ୍କ ସହ ବାର୍ତ୍ତା ପଠାଇ ଅର୍ଥ ଠକେଇ କରିଥାନ୍ତି।

ଗିରଫ ଅଭିଯୁକ୍ତମାନଙ୍କ ଶିକ୍ଷାଗତ ଯୋଗ୍ୟତା ଓ କେଉଁମାନଙ୍କ ସହ ସେମାନଙ୍କର ଲିଙ୍କ୍ ରହିଛି ତାହାର ତଦନ୍ତ ମଧ୍ୟ ଚାଲିଛି। ଯେଉଁ କମ୍ପାନୀଗୁଡ଼ିକର ସିମ୍‌ ଜବତ କରାଯାଇଛି ସମ୍ପୃକ୍ତ କମ୍ପାନୀର ମାର୍କେଟିଂ ଅଧିକାରୀଙ୍କୁ ଡକାଇ ପଚରାଉଚରା ମଧ୍ୟ କରାଯିବ। ଯଦି ଆବଶ୍ୟକ ପଡ଼େ ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ ପରେ ରିମାଣ୍ଡରେ ଆଣି ପଚାରଉଚରା କରାଯିବ ବୋଲି ଡିସିପି କହିଛନ୍ତି।

Cuttack Crime Cyber Crime Cyber Fraud
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe