Loot
M-Tech ସାଇବର ଠକ। ନିଜକୁ ମୁମ୍ୱାଇ କ୍ରାଇମ୍ବ୍ରାଞ୍ଚର ଅଫିସର ବୋଲି ପରିଚୟ ଦେଇ ଓଡ଼ିଶା ସରକାରରେ ଚାକିରି କରୁଥିବା ଜଣେ ବଡ଼ ବାବୁଙ୍କୁ ଫସାଇଥିଲେ। ଆଉ ଲୁଟି ନେଇଥିଲେ ୩୬ ଲକ୍ଷ ୩୪ ହଜାର ୪୦୦ ଟଙ୍କା। ଏନେଇ ଅଭିଯୋଗ ହେବା ପରେ ସାଇବର ଥାନା ପୁଲିସ୍ M-Tech ସାଇବର ଠକଙ୍କ ସମେତ ୫ ଜଣଙ୍କୁ ଗିରଫ କରିଛି। ଏଥିସହ ୧୨ ଲକ୍ଷରୁ ଅଧିକ ଟଙ୍କା ଫ୍ରିଜ୍ କରିଥିବା ବେଳେ ବହୁ ବୈଦ୍ୟୁତିକ ସରଞ୍ଜାମ ଜବତ କରିଛି। ଏନେଇ ସୂଚନା ଦେଇଛନ୍ତି କଟକ-ଭୁବନେଶ୍ୱର ପୁଲିସ୍ କମିଶନର ସଞ୍ଜୀବ ପଣ୍ଡା।
ଭୁବନେଶ୍ୱରରେ ଚାକିରି କରୁଥିବା ଜଣେ ବଡ଼ ଅଫିସରଙ୍କ ପାଖକୁ ଆସିଥିଲା ଏକ ଫୋନ୍ କଲ୍। ଫୋନ୍ କରିଥିବା ବ୍ୟକ୍ତି ଜଣକ ନିଜକୁ ଫେଡ୍ସ କୋରିୟର କମ୍ପାନୀର ବୋଲି ପରିଚୟ ଦେଇଥିଲେ। ଆଉ ସେ କହିଥିଲେ, ମୁମ୍ୱାଇରୁ ତାଇୱାନ୍ ଯାଉଥିବା କୋରିୟରରେ ଆପଣଙ୍କ(ସରକାରୀ ବାବୁ) ଆଧାରକାର୍ଡ ବ୍ୟବହାର ହୋଇଛି। ସେ ସମ୍ପର୍କରେ ମୁମ୍ୱାଇ କ୍ରାଇମବ୍ରାଞ୍ଚର ଅଫିସର ଆପଣଙ୍କ ସହିତ କଥା ହେବେ। ଏହା ପରେ ସମ୍ପୃକ୍ତ ବ୍ୟକ୍ତି ଜଣକ ଫୋନ୍ କାଟିଥିଲେ। ଏକଥା ଶୁଣିଲା ପରେ ବାବୁଙ୍କ ଅକଲ୍ ଗୁଡୁମ୍ ହୋଇଯାଇଥିଲା। ତା’ପରେ ଏମ୍ ଟେକ୍ ପାଠ ପଢ଼ିଥିବା ମଚ୍ଚୁମାରୀ ଚିଣ୍ଟିବାବୁ ନିଜକୁ ମୁମ୍ୱାଇ କ୍ରାଇମବ୍ରାଞ୍ଚ ଅଫିସର ପରିଚୟ ଦେଇ ଫୋନ୍ କରିଥିଲେ। ଆଉ ସେ କହିଥିଲେ, କୋରିୟରରେ ଆପଣଙ୍କ ଆଧାର କାର୍ଡ କାହିଁକି ବ୍ୟବହାର ହେଉଛି?
ଏକଥା ଶୁଣିବା ପରେ ସରକାରୀ ବାବୁଙ୍କ ଚିନ୍ତା ବଢ଼ି ଯାଇଥିଲା। ଗିରଫ ଭୟ ଓ ତା’ପରବର୍ତ୍ତୀ ଲୋକ ଲଜ୍ଜା ଭୟ ତାଙ୍କୁ ଘାରିଥିଲା। ତେଣୁ କ୍ରାଇମବ୍ରାଞ୍ଚର ଅଫିସର ବୋଲି ପରିଚୟ ଦେଇଥିବା ମଚ୍ଚୁମାରୀ ଚିଣ୍ଟିବାବୁ ଡିଲ୍ କରିବା ଆରମ୍ଭ କରିଥିଲେ। ଆଉ ସେଥିରେ ରାଜି ହୋଇଥିଲେ ବାବୁ ଜଣକ। ସେ ଅନ୍ ଲାଇନ୍ରେ ୩୬ ଲକ୍ଷ ୩୪ ହଜାର ୪୦୦ ଟଙ୍କା ଟ୍ରାନ୍ସଫର କରିଥିଲେ। ଟଙ୍କା ଟ୍ରାନ୍ସଫର କରିବା ପରେ ସରକାରୀ ବାବୁଙ୍କ ଚେତା ପଶିଥିଲା।
ଠକାମୀରେ ଶିକାର ହୋଇଥିବା ଜାଣିପାରି ସରକାରୀ ବାବୁ ଜଣକ ମେ’ ୧୪ ତାରିଖରେ ଏନେଇ ସାଇବର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହା ପରେ ସାଇବର ଥାନା ପୁଲିସ୍ ମାମଲା ରୁଜୁ କରି ଘଟଣାର ଖୋଳତାଡ ଆରମ୍ଭ କରିଥିଲା। ଫୋନ୍ ନମ୍ୱର ଓ ଅନ୍ୟାନ୍ୟ ତଥ୍ୟ ଆଧାରରେ ପୁଲିସ୍ ତଦନ୍ତ କରି ଅଭିଯୁକ୍ତଙ୍କ ପାଖରେ ପହଞ୍ଚିଛି। ଏହି ସାଇବର ଫ୍ରଡ୍ର ମୁଖ୍ୟ ଅଭିଯୁକ୍ତ ତ୍ରିପୁରାର ଡେନ୍ଜୋ ଓରଫ ବସ୍କୁ ଧରିଥିଲା। ତା’ପରେ ନିଜକୁ କ୍ରାଇମବ୍ରାଞ୍ଚ ଅଫିସର କହି ଫୋନ୍ କରିଥିବା ଆନ୍ଧ୍ରପ୍ରଦେଶର ମଚ୍ଚୁମାରୀ ଚିଣ୍ଟିବାବୁଙ୍କୁ ଗିରଫ କରିଥିଲା। ସେମାନଙ୍କ ବୟାନ୍ ଆଧାରରେ ସାଇବର ଥାନା ପୁଲିସ୍ ଆନ୍ଧ୍ରର ସେକ୍ ତେଜୁଦ୍ଦିନ, ଆସାମର ଜେମ୍ସ ଓ ତ୍ରିପୁରାର ଜିତେନ କୈପେଙ୍ଗଙ୍କୁ ଗିରଫ କରିଛି। ପୁଲିସ୍ ଏହି ମାମଲାରେ ୧୨ ଲକ୍ଷ ଟଙ୍କା, ୧୭୦୦ କ୍ରିଟ୍ଟୋ ଡଲାର ଫ୍ରିଜ୍ କରିଛି। ଏଥିସହ ୨ଟି ଲାପ୍ଟପ୍, ୫୬ଟି ଏଟିଏମ୍, ୨୦ଟି ମୋବାଇଲ୍, ୩୦ଟି ସିମ୍କାର୍ଡ ଓ ବହୁ ପାସ୍ବୁକ୍ ଏବଂ ଚେକ୍ବୁକ୍ ଜବତ କରିଛି।
ପୁଲିସ୍ କମିଶନର ସଞ୍ଜୀବ ପଣ୍ଡାଙ୍କ କହିବା ଅନୁସାରେ ୫ ଅଭିଯୁକ୍ତ ବାଙ୍ଗାଲୁରୁରେ ବସି ସାଇବର ଠକେଇ କରୁଥିଲେ। ମଝିରେ ମଝିରେ ଭୁବନେଶ୍ୱର ଆସୁଥିଲେ। ଆଉ ଲୁଟ୍ ପାଇଁ ରଣନୀତି ପ୍ରସ୍ତୁତ କରୁଥିଲେ। ସାଇବର ଠକମାନେ ଯାହାକୁ ପାରୁଥିଲେ, ତାକୁ ଫୋନ୍ କରୁଥିଲେ। ଯିଏ ଫୋନ୍ର ରେସ୍ପଣ୍ଡ କରୁଥିଲା, ତାହା ସହିତ ଜାଲରେ ଫସାଉଥିଲେ। ସେମାନଙ୍କ ପାସ୍ବୁକ୍ ଯାଞ୍ଚ ଚାଲିଛି। ବହୁ ଠକାମୀରେ ଏମାନେ ସମ୍ପୃକ୍ତ ଥିବା ଜଣାପଡ଼ୁଛି। ଏନେଇ ଅନ୍ୟ ରାଜ୍ୟର ପୁଲିସ୍ ସହିତ ଯୋଗାଯୋଗ କରାଯିବ ବୋଲି ପୁଲିସ୍ କମିଶନର କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
