Advertisment

ଡାକୁ ଦୁଲହନ୍‌: ୧୨ ଜଣଙ୍କୁ କେମିତି ଲଗାଇଥିଲେ ଚୂନ?

ବୟସ ମାତ୍ର ୨୧। କିନ୍ତୁ ଏହି ସ୍ୱଳ ବୟସ ମଧ୍ୟରେ ସେ ପ୍ରାୟ ୧୨ଟି ବିବାହ କରି ସାରିଥିଲେ।

Daku Dulhan

Daku Dulhan

Advertisment

ଗୁଜରାଟରେ ସେ କାଜଲ, ହରିୟାଣାରେ ସୀମା, ବିହାରରେ ନେହା ଓ ଉତ୍ତର ପ୍ରଦେଶରେ ସ୍ୱିଟୀ। ବୟସ ମାତ୍ର ୨୧। କିନ୍ତୁ ଏହି ସ୍ୱଳ ବୟସ ମଧ୍ୟରେ ସେ ପ୍ରାୟ ୧୨ଟି ବିବାହ କରି ସାରିଥିଲେ। କିନ୍ତୁ ଏହି ସବୁ ବାହାଘର କେବଳ କିଛି ଘଣ୍ଟା ପାଇଁ ଥିଲା। ପ୍ରତି ବାହାଘରରେ ତାଙ୍କ ସହ ଘଟୁଥିଲା ଅଘଟଣ। ବାହାଘର ହେଉଥିବା ସ୍ଥଳରୁ କିମ୍ବା ବାହାଘର ସରିବାର କିଛି ସମୟ ଭିତରେ ସେ ହେଇ ଯାଉଥିଲେ କିଡନାପ।

Advertisment

୪ରୁ ୫ ଜଣ ଯୁବକ ଆସୁଥିଲେ, ତାଙ୍କୁ ଉଠାଇ ନେଉଥିଲେ। ସେ ପିନ୍ଧିଥିବା ଗହଣା, ନଗଦ ଟଙ୍କା ଓ ଅନ୍ୟାନ୍ୟ ମୂଲ୍ୟବାନ ଜିନିଷ ମଧ୍ୟ ସେମାନେ ନେଇ ଯାଉଥିଲେ। ପ୍ରତି ଥର ଏପରି ଘଟଣା ଘଟୁଥିଲା। ଏହାକୁ ଦେଖିଲେ ଲାଗିବ ଯେ କୌଣସି ସିନେମାର ଶୁଟିଂ ଚାଲିଛି। ଅପହରଣ ପରେ କନିଆଙ୍କ କୌଣସି ଟେର ମିଳେ ନାହିଁ। କିଛି ଦିନର ବ୍ୟବଧାନରେ କନିଆ ଜଣଙ୍କ ପୁଣିଥରେ ମାଟ୍ରିମୋନିଆଲ ୱେବସାଇଟ ଓ ଅନ୍ୟ ସୋଶାଲ ମିଡିଆ ପ୍ଲାଟଫର୍ମରେ ସକ୍ରିୟ ହୋଇ ଉଠୁଥିଲେ।

ଏସବୁ ପଢ଼ି ଆପଣ ସାମାନ୍ୟ ଦ୍ୱନ୍ଦ୍ୱରେ ପଡ଼ୁଥିବେ। ଏଠାରେ ଆମେ ଆପଣଙ୍କୁ କ’ଣ ଜଣାଇବାକୁ ଚାହୁଁଛୁ ବୋଲି ଭାବୁଥିବେ? ଏସବୁ ଜାଣିବା ପାଇଁ ପୂରା ଖବରକୁ ପଢ଼ନ୍ତୁ।

Advertisment

ସମସ୍ତେ ୨୧ ବର୍ଷୀୟ ଯୁବତୀଙ୍କୁ ଡାକୁ ଦୁଲହନ ବା ଡାକୁ କନ୍ୟା କୁହନ୍ତି। ବାସ୍ତବ ଜୀବନରେ ତାଙ୍କ ନାଁ ହେଲା ଗୁଲଶାନା ରିଆଜ ଖାନ। ଉତ୍ତର ପ୍ରଦେଶର ଜୌନପୁରର ରିୟାଜ ଖାନ ନାମକ ଜଣେ ଦରଜିଙ୍କୁ ସେ ବିବାହ କରିଥିଲେ। ଗୁଲଶାନା କାମ କରୁଥିବା ଗ୍ୟାଙ୍ଗ ଠାରୁ ରିୟାଜ ୫% ଅର୍ଥ ନେବାକୁ ଆଦୌ ପଛାଉ ନଥିଲେ। ଏହି ଅର୍ଥକୁ ପାଇ ସେ ନିଜ ପତ୍ନୀଙ୍କୁ ଗ୍ୟାଙ୍ଗ ସହ କାମ କରିବାକୁ ଛାଡ଼ି ଦେଇଥିଲେ। 

ଗୁରୁବାର ଗୁଲଶାନାଙ୍କ ‘ଡାକୁ ଦୁଲହନ’ ନାଟକରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଆମ୍ବେଦକର ନଗର ପୁଲିସ୍‌ ତାଙ୍କୁ ଓ ତାଙ୍କ ଗ୍ୟାଙ୍ଗର ୮ ଜଣ ସଦସ୍ୟଙ୍କୁ ଗିରଫ କରିଛି। ଆମ୍ବେଦକର ନଗର ଏସ୍‌ପି କେଶବ କୁମାରଙ୍କ କହିବା କଥା ଯେ ଗ୍ୟାଙ୍ଗର ସବୁ ଖେଳ ବାସଖରି ପୁଲସ୍‌ ଷ୍ଟେସନ ଅଧୀନରେ ଥିବା କାସାଡାହା ଗାଁ ନିକଟରେ ଶେଷ ହୋଇଛି। କାରଣ ଏଠାରୁ ପୁଲିସ୍‌ ଗ୍ୟାଙ୍ଗର ୯ ଜଣ ସଦସ୍ୟଙ୍କୁ ରେଡ୍‌ ହ୍ୟାଣ୍ଡେଡ ଗିରଫ କରିଛି।

ଗ୍ୟାଙ୍ଗରେ ୫ ଜଣ ମହିଳା ଓ ୪ ଜଣ ପୁରୁଷ ରହିଛନ୍ତି। ପୂରା ଅପରାଧିକ ଷଡ଼ଯନ୍ତ୍ରରେ ଏମାନେ ସମସ୍ତେ ସାମିଲ ଥିଲେ। ସେମାନଙ୍କ ଠାରୁ ନଗଦ ୭୨ ହଜାର ଟଙ୍କା, ଗୋଟିଏ ବାଇକ, ଗୋଟିଏ ସୁନା ମଙ୍ଗଳସୂତ୍ର, ୧୧ଟି ମୋବାଇଲ ଓ ୩ଟି ନକଲି ଆଧାର କାର୍ଡ ଜବତ କରାଯାଇଛି।

ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ –ହରିୟାଣା ଜିନ୍ଦର ମୋହନଲାଲ(୩୪), ଜୌନପୁରର ରତନ କୁମାର ସରୋଜ(୩୨), ରଞ୍ଜନ ଓରଫ ଆଶୁ ଗୌତମ(୨୨), ଆମ୍ବେଦକର ନଗରର ରାହୁଲ ରାଜ(୩୦), ଆମ୍ବେଦକର ନଗରର ସୁନିତା(୩୬), ଆମ୍ବେଦକର ନଗରର ପୁନମ(୩୩), ଜୌନପୁରର ମଞ୍ଜୁ ମାଳି(୨୯) ଓ ଆମ୍ବେଦକର ନଗରର ରୁକସାର(୨୧)। ଏମାନେ ସମସ୍ତେ ଜୌନପୁରର ସୀମାଙ୍କ ସମ୍ପର୍କୀୟ ଭୂମିକାରେ ରହି ନିଜର ଗ୍ୟାଙ୍ଗ ଚଳାଇଥିଲେ।

ନିକଟରେ ଏହି ଗ୍ୟାଙ୍ଗ ହରିୟାଣର ରୋହତକରେ ରହୁଥିବା ସୋନୁଙ୍କୁ ବାହାଘର ନାଁରେ ୮୦ ହଜାର ମାଗିଥିଲେ। ଗୁଲଶାନା କିମ୍ବା ତାଙ୍କ ଗ୍ୟାଙ୍ଗର ସଦସ୍ୟମାନେ ଏମିତି ପରିବାରକୁ ଟାର୍ଗେଟ କରୁଥିଲେ, ଯେଉଁମାନେ ନିଜ ପିଲାର ବାହାଘର ପାଇଁ ଭଲ ଝିଅ ଖୋଜୁଥିବେ। ଏହିକ୍ରମରେ ସେମାନେ ସୋନୁ ଓ ତାଙ୍କ ପରିବାର ବର୍ଗଙ୍କୁ ନିଜ ଜାଲରେ ଫସାଇଥିଲେ।

ବାହାଘର ପାଇଁ ସେମାନେ ୮୦ ହଜାର ଟଙ୍କା ଦାବି କରିବା ସହ ସବୁ ପ୍ରକାରର ପ୍ରସ୍ତୁତି କରିଥିଲେ। ବାହାଘର ଦିନ ସବୁ କିଛି ଠିକଠାକ ଥିଲା। ବାହଘର ମଧ୍ୟ ସୁଚାର ରୂପେ ଶେଷ ହୋଇଥିଲା। କିନ୍ତୁ ବାହାଘର ସରିବା କ୍ଷଣି ଗ୍ୟାଙ୍ଗର ପୁରୁଷ ସଦସ୍ୟମାନେ ଭେନ୍ୟୁରେ ପହଞ୍ଚି ଯାଇଥିଲେ। ସେମାନେ କନ୍ୟା ସହ ସମସ୍ତ ଗହଣା, ନଗଦ ଟଙ୍କା ଓ ଅନ୍ୟାନ୍ୟ ଜିନିଷ ଧରି ଚମ୍ପଟ ମାରିଥିଲେ। ଏସବୁ ଦେଖି ସୋନୁ ତୁରନ୍ତ ୟୁପି ପୁଲିସ୍‌ର ହେଲଲାଇନ ନମ୍ବର ୧୧୨କୁ କଲ କରିଥିଲେ ଓ ତାଙ୍କ ପତ୍ନୀଙ୍କୁ ବାଇକରେ ଅପହରଣ କରି ନିଆଯାଇଥିବା ସୂଚନା ଦେଇଥିଲେ।

ଖବର ପାଇବା ମାତ୍ରେ ପୁଲିସ୍‌ ତୁରନ୍ତ ସମସ୍ତ ରୋଡ ବ୍ଲକ କରିଥିଲା ଓ ବିଭିନ୍ନ ସ୍ଥାନରେ ଆଲର୍ଟ ଜାରି କରିଥିଲା। ଯାଞ୍ଚ ଚାଲିଥିବା ବେଳେ ଜଣେ ବ୍ୟକ୍ତିଙ୍କୁ ପୁଲିସ୍‌ ଉଠାଇ ନେଇ ଜେରା କରିଥିଲା। ଜେରେ ବେଳେ ସେ ଗ୍ୟାଙ୍ଗ ସମ୍ପର୍କରେ ପୁଲିସ୍‌କୁ ସୂଚନା ଦେଇଥିଲେ। ଏହି ସୂଚନା ବଳରେ ପୁଲିସ୍‌ ଗ୍ୟାଙ୍ଗର ଅନ୍ୟମାନଙ୍କୁ ଗିରଫ କରିଛି।

ଅଭିଯୁକ୍ତମାନେ ସ୍ୱୀକାର କରିଛନ୍ତି ଯେ ସେମାନେ ବିଭିନ୍ନ ସମୟରେ ୧୨ଟି ପରିବାରକୁ ବାହାଘର ନାଁରେ ଚୂନ ଲଗାଇଛନ୍ତି। ସେମାନେ ନିୟମିତ ଭାବେ ନଜର ପରିଚୟ ଓ ଠିକଣା ବଦଳାଇ ଅପରାଧ ଘଟାଇ ଚାଲିଥିଲେ। ଉତ୍ତର ପ୍ରଦେଶ ସମେତ ବିହାର, ଗୁଜରାଟ, ହରିୟାଣାରେ ଗୁଲଶାନାଙ୍କୁ ଗ୍ୟାଙ୍ଗର ସଦସ୍ୟମାନେ ବିଭିନ୍ନ ପରିଚୟ ଦେଇ ବାହାଘର ପାଇଁ ପ୍ରସ୍ତୁତ କରି ଠକି ଚାଲିଥିଲେ।

Uttar Pradesh Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe