Advertisment

ଥାନା ସାମ୍ନାରେ ଦଳିତ ମହିଳାଙ୍କୁ ଘୋଷାଡ଼ି ନେବା ଘଟଣା: ୩ ପୁଲିସଙ୍କ ବଦଳି

ଭଦ୍ରକ ଜିଲ୍ଲା ପୁଲିସ ମୁଖ୍ୟାଳୟକୁ ଏସ୍‌ପି ବଦଳି କରିଥିବା ନେଇ ଚାନ୍ଦବାଲି SDPO ସୂଚନା ଦେଇଛନ୍ତି।

author-image
Tapaswini Nayak
police-torture

police torture

ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ସମ୍ମୁଖରେ ଗତ ୨୫ ତାରିଖ ସନ୍ଧ୍ୟାରେ ଜଣେ ଦଳିତ ମହିଳାଙ୍କୁ ପୁଲିସ ଘୋଷାଡି ନେବା ଘଟଣାରେ ଜଣେ କନେଷ୍ଟବଳ, ଜଣେ ASI ଏବଂ ଜଣେ ହୋମ ଗାର୍ଡଙ୍କୁ ବଦଳି କରା ଯାଇଛି। ଭଦ୍ରକ ଜିଲ୍ଲା ପୁଲିସ ମୁଖ୍ୟାଳୟକୁ ଏସ୍‌ପି ବଦଳି କରିଥିବା ନେଇ ଚାନ୍ଦବାଲି SDPO ସୂଚନା ଦେଇଛନ୍ତି।

Advertisment

ସେ କହିଛନ୍ତି ଯେ, ଅଭିଯୋଗ ଆଧାରରେ ତଦନ୍ତ ଚାଲିଛି। ତଦନ୍ତ ଚାଲିଥିବାରୁ ଏସ୍‌ପି ନିର୍ଦ୍ଦେଶକ୍ରମେ ସେମାନଙ୍କୁ ପୁଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି। ତଦନ୍ତ କରାଯାଉଛି। ତଦନ୍ତ ପରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ।

ଗତ ୨୫ ତାରିଖ ସନ୍ଧ୍ୟାରେ ରାଜନଗରର ଅଞ୍ଚଳର ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ କିଏ ମାରପିଟ କରିଥିବା ନେଇ ଚାନ୍ଦବାଲି ଥାନାକୁ ଅଭିଯୋଗ କରିବା ପାଇଁ ଆସିଥିଲେ। ଏହି ସମୟରେ ଜଣେ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଉଥିଲା। ସେ ଥାନା ସମ୍ମୁଖରୁ ଏକ ନୂଆ ଚପଲ ପିନ୍ଧି ଯାଇଥିବା ବେଳେ ଖୋଳକୁ ସେଠାରେ ଫୋପାଡ଼ି ଦେଇଥିଲେ। ଉକ୍ତ ଖୋଳରେ ମହିଳାଙ୍କ ଝିଅ ଖେଳିଥିଲା। ଝିଅ ଖେଳି ସାରିବା ପରେ ମହିଳା ଜଣଙ୍କ ଏହି ଖୋଳକୁ ଗେଟ୍‌ ପାଖକୁ ଫୋପାଡ଼ି ଦେଇଥିଲେ। ମାତ୍ର ଉକ୍ତ ଖୋଳକୁ ଡଷ୍ଟବିନରେ ପକାଇବାକୁ ଜଣେ କନଷ୍ଟେବଳ ମହିଳାଙ୍କୁ କହିଥିଲେ। ମାତ୍ର ସେ ମନା କରିବାରୁ ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ କନଷ୍ଟେବଳ ଉକ୍ତ ମହିଳାଙ୍କ  ଗାଲକୁ ସାତଆଠ ଚାପୁଡ଼ା ମାରିଥିବା ଅଭିଯୋଗ ହୋଇଛି।

Advertisment

ପରେ ମହିଳା ଜଣଙ୍କ ପାଟି କରିବାରୁ କନଷ୍ଟେବଳ ଜଣକ ତାଙ୍କୁ ଏକ ବାଡ଼ିରେ ନିର୍ଧୂମ ପିଟିଥିଲେ। ଏହାପରେ ୩ ଜଣ ପୁଲିସ୍‌ ପହଞ୍ଚି ତାଙ୍କୁ ଜବରଦସ୍ତି ଟେକି ନେଇ ଥାନା ଗେଟ୍‌ ବାହାରେ ଛାଡ଼ି ଦେଇଥିଲେ। ଏହି ଟଣାଓଟରା ସମୟରେ ମହିଳାଙ୍କ ପିନ୍ଧା ଶାଢୀ ଚିରି ଯାଇଥିଲା। ଅସହାୟ ମହିଳାଙ୍କୁ ଜୋରଜବଦସ୍ତି ଭାବେ ଟେକି ଟେକି ନେଇ ଯିବାର ଏ ଭିଡିଓ ସୋଶାଲ ମିଡିଆ ଭାଇରାଲ ହୋଇଥିଲା। ଏହାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ପରେ ଏହି ଘଟଣାରେ ପୁଲିସ କର୍ମଚାରୀଙ୍କୁ ପୁଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି।

ଅନ୍ୟପକ୍ଷରେ ଏହି ଘଟଣାରେ ଚାନ୍ଦବାଲି ଥାନାରେ ଦୁଇଟି ଅଭିଯୋଗ ହୋଇଛି। ଦଳିତ ମହିଳା ଜଣଙ୍କ ପୁଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲା ବେଳେ ଅପରପକ୍ଷରେ କନେଷ୍ଟବଳଙ୍କୁ ଇଟା ପଥର ଏବଂ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ଘଟଣାରେ ଥାନାରେ ମାମଲା ରୁଜୁ ହୋଇଛି।

Odisha Police Bhadrak