Advertisment

ଖଣ୍ଡଗିରି ବୃଦ୍ଧା ମୃତ୍ୟୁ ମାମଲା; ଗୁମର ଖୋଲିବା ପୂର୍ବରୁ ଶାଶୁ ତଣ୍ଟି କାଟି ଥିଲା ବୋହୂ

ଶାଶୁଙ୍କ ପାଟି ବିପଦ ଭାବେ ଉଭା ହେବାରୁ ତାଙ୍କୁ ରାସ୍ତାରୁ ହଟାଇବାକୁ ବୋହୂ ରଚିଲା ସାଂଘାତିକ ଷଡଯନ୍ତ୍ର ।

author-image
Niharika Rout
ଅଦ୍ୟତନ ହୋଇଛି
Accused

Accused

ଶାଶୁ ପାଟି ଫିଟାଇଲେ ଫିଟିଯିବ ବୋହୂର ଗୁମର। ପଦାରେ ପଡ଼ିଯିବ ବୋହୂର ଅନୈତିକ କାଣ୍ଡ ଓ ପରକୀୟା ପ୍ରୀତି। ଶାଶୁଙ୍କ ପାଟି ବିପଦ ଭାବେ ଉଭା ହେବାରୁ ତାଙ୍କୁ ରାସ୍ତାରୁ ହଟାଇବାକୁ ବୋହୂ ରଚିଲା ସାଂଘାତିକ ଷଡଯନ୍ତ୍ର ।

Advertisment

ଦୀର୍ଘ ଦିନ ଶଯ୍ୟାଶାୟୀ ହୋଇ ପାଟି ଫିଟାଇ ପାରୁ ନ ଥିବା ଶାଶୁ ପାଟି ଫିଟାଇବା ପରେ ବୋହୂ ମୁଣ୍ଡରେ ପଡ଼ିଲା ଚଡ଼କ । ଫଳରେ ଗଳା କାଟି ଶାଶୁର ଜୀବନ ନେଲା ନିର୍ଦ୍ଦୟ ବୋହୂ । ପୁଲିସ୍‌ ଆଖିରୁ ଖସିବାକୁ ନିଜକୁ ବି ରକ୍ତାକ୍ତ କରିବାକୁ ପଛାଇଲା ନାହିଁ । ଏହି ହତ୍ୟାକାଣ୍ଡର ପର୍ଦ୍ଦାଫାସ କରି ପୁଲିସ୍‌ ଏପରି ଜଘନ୍ୟ କାଣ୍ଡ ଘଟାଇଥିବା ବୋହୂକୁ ଆଜି ବାନ୍ଧିଛି ।

ଭୁବନେଶ୍ୱରର ଖଣ୍ଡଗିରି ବାରିରେ ବୃଦ୍ଧା ମଦା ପଲେଇଙ୍କ ହତ୍ୟାକାଣ୍ଡ ଘଟଣାର ୮ ଦିନ ପରେ ଏହାର ପର୍ଦ୍ଦାଫାସ କରି ଆଜି ତାଙ୍କ ବୋହୂ ବୈଶାଖୀ ପଲେଇଙ୍କୁ ବାନ୍ଧିଛି ପୁଲିସ୍‌। ବୋହୂର ଅନୈତିକ ସମ୍ପର୍କରୁ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାଯାଇଛି।

Advertisment

ଗତ ୧୫ ତାରିଖରେ ଘର ଭିତରେ ବୃଦ୍ଧା ମଦା ପଲେଇଙ୍କୁ ନିର୍ମମ ଭାବେ ଗଳାକାଟି ହତ୍ୟା କରାଯାଇଥିଲା। ଅନ୍ୟପକ୍ଷରେ ତାଙ୍କ ବୋହୂଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଏମ୍ସରେ ଭର୍ତ୍ତି କରାଯାଇଥିଲା । ପ୍ରାୟ ୮ ଦିନ ଏମ୍ସରେ ଚିକିତ୍ସାଧୀନ ହୋଇ ଘରକୁ ଫେରିବା ପରେ ତାଙ୍କୁ ବାନ୍ଧିଛି ପୁଲିସ୍‌।

ପୁଲିସ୍‌ ଅନୁସନ୍ଧାନରୁ ଜଣାଯାଇଛି, ଜୁଲାଇ ୧ରେ ମଦା ପଲେଇଙ୍କୁ ନିଜ ପୈତୃକ ଗ୍ରାମ ବେଲଗୁଣ୍ଠା ଗ୍ରାମରେ ଆକ୍ରମଣ ହୋଇଥିଲା। ମୁଣ୍ଡରେ ଗଭୀର ଆଘାତ ଲାଗିବାରୁ ତାଙ୍କର ବ୍ରେନ ହାମରେଜ ହୋଇଥିଲା। ଏହାପରେ ତାଙ୍କୁ ଏମ୍ସକୁ ଚିକିତ୍ସା ପାଇଁ ନିଆଯାଇଥିଲା। ସେଠାରୁ ସାମାନ୍ୟ ସୁସ୍ଥ ହେବା ପରେ ତାଙ୍କୁ ଘରକୁ ନିଆଯାଇଥିଲା। ଡାକ୍ତର କହିଥିଲେ ଧୀରେ ଧୀରେ ସୁସ୍ଥ ହେବେ।

ହେଲେ ଶାଶୁ ଯେଉଁ ଦିନ ସୁସ୍ଥ ହୋଇ ପାଟି ଫିଟାଇଲେ, ସେହି ଦିନ କାଳେ ଗୁମର ଫିଟିଯିବ ବୋଲି ଆଶଙ୍କା କରିଥିଲେ ବୋହୂ ବୈଶାଖୀ। ଏହାପରେ ସେ ଏକ ଧାରୁଆ ଅସ୍ତ୍ରରେ ତାଙ୍କ ବେକ କାଟି ଦେଇଥିଲେ । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଥିଲା।

ଏହାପରେ ଏହାକୁ ଏକ ଲୁଟ୍‌ ମାମଲା ଭାବେ ପୁଲିସ୍‌ ସମ୍ମୁଖରେ ଉପସ୍ଥାପିତ କରିବା ନିମନ୍ତେ ସେ ସମ୍ପୂର୍ଣ୍ଣ ଭାବେ ସ୍କ୍ରିପ୍ଟ ପ୍ରସ୍ତୁତ କରିଥିଲେ। ଏପରିକି ଘରେ ଲାଗିଥିବା ରକ୍ତ ଛିଟାକୁ ନିଜେ ପରିଷ୍କାର କରିବା ସହ ହତ୍ୟାକାଣ୍ଡରେ ବ୍ୟବହୃତ ଛୁରୀକୁ ପାଇଖାନା ଟାଙ୍କିରେ ପକାଇ ଦେଇଥିଲେ।

ଏହାପରେ ଘଟଣାକୁ ଭିନ୍ନ ମୋଡ଼ ଦେବାକୁ ନିଜେ କାନ୍ଥରେ ମୁଣ୍ଡ ପିଟି, ତଣ୍ଟିରେ ଓଢ଼ଣୀ ଗୁଡ଼ାଇ ଶ୍ୱାସରୁଦ୍ଧ ହୋଇ ଗୁରୁତର ହେବା ନାଟକ କରିଥିଲେ। ଏହାପରେ ଏମ୍ସରେ ଚିକିତ୍ସା ପାଇଁ ସେ ଆଡମିଟ ହୋଇଥିଲେ।

ମାତ୍ର ବୈଶାଖୀଙ୍କ ନାଟକକୁ ପୁଲିସ୍‌ ସହଜେ ଗ୍ରହଣ କରି ପାରୁ ନ ଥିଲା। କାରଣ ଉକ୍ତ ଦିନ ତାଙ୍କ ଘରକୁ କେହି ପଶି ନ ଥିଲେ କି ବାହାରି ନ ଥିଲେ। ତେବେ ଘରେ କିଏ ଏପରି କାଣ୍ଡ ଘଟାଇଲା ତାହାକୁ ନେଇ ପୁଲିସ୍ ସନ୍ଦେହ କରି ବୈଶାଖୀଙ୍କୁ ପଚରାଉଚରା କରିଥିଲା। ଥରକୁ ଥର ତାଙ୍କ ବୟାନ ବଦଳିବାରୁ ପୁଲିସ୍‌ର ତାଙ୍କ ଉପରେ ସନ୍ଦେହ ଦୃଢୀଭୂତ ହୋଇଥିଲା। ଏହାପରେ ପୁଲିସ୍‌ ଗୁଡ଼ାଇତୁଡ଼ାଇ ପଚାରିବାରୁ ସେ ସବୁ ସତ ମାନି ଯାଇଥିଲେ।

ପୁଲିସ୍‌ ତଦନ୍ତରୁ ଜଣାପଡ଼ିଛି, ଗାଁରେ ମଦା ପଲେଇଙ୍କ ଉପରେ ହୋଇଥିବା ଆକ୍ରମଣ ପଛରେ ବି ବୈଶାଖୀଙ୍କ ହାତ ରହିଛି।

Murder Love Story Family Dispute