Advertisment

ଗୋଆ ଡିଆଇଜିଙ୍କୁ ଶକ୍ତ ଚାପୁଡ଼ା; ମହିଳାଙ୍କୁ ଅସଦାଚରଣ କରିବାରୁ ପଦ ଗଲା

ଜଣେ ମହିଳାଙ୍କୁ ସେ ଅସଦ୍‌ ବ୍ୟବହାର କରିବାରୁ ମହିଳାଜଣକ ତାଙ୍କ ଗାଲକୁ ଏକ ଶକ୍ତ ଚାପୁଡ଼ା ମାରିଥିଲେ।

author-image
Niharika Rout
Doctor A Koan

Doctor A Koan

ନିଶାସକ୍ତ ଅବସ୍ଥାରେ ପବ୍‌ରେ ପଶି ଜଣେ ମହିଳାଙ୍କୁ ଅସଦାଚରଣ କରିବା ମହଙ୍ଗା ପଡ଼ିଲା। ଏପରି ସାଂଘାତିକ ଅଭିଯୋଗ ଆସିବା ପରେ ଗୋଆର ଡିଆଇଜି ଡ. ଏ. କୋଆନଙ୍କୁ ତୁରନ୍ତ ତାଙ୍କ ପଦରୁ ହଟାଇ ଦିଆଯାଇଛି। ଏଥିସହ ତାଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି।

Advertisment

ଗତ ସୋମବାର ରାତିରେ ଡିଆଇଜି ନିଶାସକ୍ତ ଅବସ୍ଥାରେ ଗୋଆର ଏକ ନାଇଟ କ୍ଲବକୁ ଯାଇଥିଲେ। ସେଠାରେ ଜଣେ ମହିଳାଙ୍କୁ ସେ ଅସଦ୍‌ ବ୍ୟବହାର କରିବାରୁ ମହିଳାଙ୍କ ସହ ତାଙ୍କର ଉଚ୍ଚବାଚ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ମହିଳାଜଣକ ତାଙ୍କ ଗାଲକୁ ଏକ ଶକ୍ତ ଚାପୁଡ଼ା ମାରିଥିଲେ। ଏହାପରେ କ୍ଲବରେ ହଙ୍ଗାମା ସୃଷ୍ଟି ହୋଇଥିଲା।

ଉକ୍ତ କ୍ଲବଟି ଗୋଆର ଜଣେ ପ୍ରତିଷ୍ଠିତ ରାଜନେତାଙ୍କର ବୋଲି ଜଣାଯାଇଛି। ବରିଷ୍ଠ ଆଇପିଏସ୍‌ ଅଧିକାରୀ ଡ. ଏ. କୋଆନ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଛୁଟିରେ ଥିବା ବେଳେ କ୍ଲବରେ କ’ଣ କରୁଥିଲେ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Advertisment

ଏହି ଖବର ପ୍ରଚାରିତ ହେବା ପରେ ଡିଆଇଜିଙ୍କୁ ତୁରନ୍ତ ତାଙ୍କ ପଦରୁ ହଟାଯିବା ସହ ଡିଜିପିଙ୍କୁ ରିପୋର୍ଟ କରିବାକୁ କୁହାଯାଇଛି। ଏହି ଘଟଣାକୁ ନେଇ ଗୋଆ ବିଧାନସଭାରେ ହଙ୍ଗାମା ହୋଇଛି।

ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାବନ୍ତ ବୁଧବାର ଗୃହରେ ଏ ବିଷୟରେ ନିଜ ମତ ରଖିଛନ୍ତି। ଭାରତୀୟ ପୁଲିସ୍‌ ସେବାର ଜଣେ ବରିଷ୍ଠ ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ଗୃହରେ କହିଛନ୍ତି ।

ଗୋଆ ପୁଲିସ୍‌ ପକ୍ଷରୁ ଏହି ଘଟଣାରେ ବିଭାଗୀୟ ଯାଞ୍ଚ ଆରମ୍ଭ ହୋଇଛି। ଯାଞ୍ଚ ଆଧାରରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜଣେ ଅଧିକାରୀ ସୂଚନା ଦେଇଛି। ଘଟଣା ସମୟରେ ଉକ୍ତ ବାର୍‌ର ସିସିଟିଭି ସାମନାକୁ ଆସିଛି, ଯେଉଁଥିରେ ଡିଜିପି ମହିଳାଙ୍କ ସହ ଅଭଦ୍ର ଆଚରଣ କରୁଥିବା ଦେଖିବାକୁ ମିଳିଛି।

Police Goa