Advertisment

ଶିକ୍ଷକ ସ୍ୱାମୀଙ୍କ ପରେ ମିଳିଲା ଶିକ୍ଷୟିତ୍ରୀ ପତ୍ନୀଙ୍କ ମୃତଦେହ

୨୨ ବର୍ଷ ତଳେ ସେମାନେ ଭଲ ପାଇ ବିବାହ କରିଥିଲେ।

ଅଦ୍ୟତନ ହୋଇଛି
Home

Home

Advertisment

ସକାଳେ ଜଣେ ଶିକ୍ଷକଙ୍କ ଝୁଲନ୍ତା ମୃତଦେହକୁ ତାଙ୍କ ଘରୁ ଜବତ କରିଥିଲା ପୁଲିସ୍‌। ତା’ର କିଛି ସମୟ ପରେ ତାଙ୍କର ଏକ ନିର୍ମାଣାଧୀନ ଘରୁ ମିଳିଥିଲା ତାଙ୍କ ଶିକ୍ଷୟିତ୍ରୀ ପତ୍ନୀଙ୍କ ଗଳିତ ମୃତଦେହ। ଏ ଦୁଇ ଜଣଙ୍କ ମୃତ୍ୟୁ କେମିତି ହେଲା, ତାହା ଜଣାପଡ଼ି ନଥିବା ବେଳେ ଶିକ୍ଷୟିତ୍ରୀ ସ୍ତ୍ରୀଙ୍କୁ ହତ୍ୟା କରିବା ପରେ ଶିକ୍ଷକ ସ୍ୱାମୀ ଝୁଲି ପଡ଼ିଥିବା ସନ୍ଦେହ କରାଯାଉଛି। ପୁଲିସ ଘଟଣାର ତଦନ୍ତ କରୁଛି।

Advertisment

ମୃତ ଶିକ୍ଷକଙ୍କ ନାଁ ବୃନ୍ଦାବନ ମହାନ୍ତ। ସେ ପଡ଼ୁଆ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କାର୍ଯ୍ୟ କରୁଥିଲେ। ତାଙ୍କ ପତ୍ନୀଙ୍କ ନାଁ ମଞ୍ଜୁଳା ମହାନ୍ତ। ସେ ଚମ୍ପୁଆ ବ୍ଲକ ବାଙ୍କ ସରକାରୀ ଉଚ୍ଚ ବିଦ୍ୟାଳୟରେ ହିନ୍ଦୀ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରୁଥିଲେ।

୨୨ ବର୍ଷ ତଳେ ଏ ଦୁହେଁ ପ୍ରେମ ବିବାହ କରିଥିଲେ। ସେମାନଙ୍କର ୨ ଜଣ ପୁଅ ଅଛନ୍ତି। ତେବେ ଗତ କିଛି ମାସ ହେବ ଦୁହିଁଙ୍କ ସଂପର୍କରେ ତିକ୍ତତା ଆରମ୍ଭ ହୋଇଥିଲା। ଦୁହେଁ ଆଉ ଏକାଠି ରହୁ ନଥିଲେ। ବୃନ୍ଦାବନ ତାଙ୍କ ନିଜ ଗାଁ ଅର୍ଥାତ୍ ବାରିଆ ଥାନା ଅନ୍ତର୍ଗତ ବିରିକୁଆଁରେ ଦୁଇ ପୁଅଙ୍କ ସହ ରହୁଥିଲେ। ମଞ୍ଜୁଳା ଚମ୍ପୁଆରେ ଏକ ଘର ଭଡ଼ା ନେଇ ରହୁଥିଲେ।

Advertisment

ଗତ ମଙ୍ଗଳବାରଠାରୁ ମଞ୍ଜୁଳାଙ୍କ ଫୋନ୍ ସୁଇଚ୍ ଅଫ୍ ଥିଲା। ଆଜି ସକାଳେ ବୃନ୍ଦାବନଙ୍କ ଝୁଲନ୍ତା ମୃତଦେହ ମିଳିବା ପରେ ତାଙ୍କ ଦୁଇ ପୁଅ ଓ ଅନ୍ୟ ସଂପର୍କୀୟମାନେ ମଞ୍ଜୁଳାଙ୍କୁ ଯୋଗାଯୋଗ କରିବାରେ ବିଫଳ ହୋଇଥିଲେ।

ବୃନ୍ଦାବନଙ୍କ ମୃତଦେହକୁ ପୁଲିସ ଜବତ କରି ଚମ୍ପୁଆ ଡାକ୍ତରଖାନାକୁ ପଠାଇବା ପରେ ତାଙ୍କ ଦୁଇ ପୁଅ ଓ ଶାଳକ ମଞ୍ଜୁଳାଙ୍କ ପାଖକୁ ତାଙ୍କ ଭଡ଼ା ଘରକୁ ଯାଇଥିଲେ। କିନ୍ତୁ ସେଠାରେ ମଞ୍ଜୁଳା ନଥିଲେ। ତେଣୁ ସେମାନେ ଚମ୍ପୁଆ ଏନ୍‌ଏସି ଅଧୀନ ରାମଲା ସ୍ଥିତ ନିର୍ମାଣାଧୀନ ଘରକୁ ଯାଇଥିଲେ। ସେଠାରେ ଘରଟି ବନ୍ଦ ପଡ଼ିଥିବା ବେଳେ ଝରକା ପଟୁ ମଞ୍ଜୁଳାଙ୍କର ଗଳିତ ମୃତଦେହ ଭିତରେ ଏକ ଖଟ ଉପରେ ପଡ଼ିଥିବା ସେମାନେ ଦେଖିଥିଲେ ଓ ପୁଲିସକୁ ଖବର ଦେଇଥିଲେ।

ପୁଲିସ ଘଟଣାସ୍ଥଳରେ ପହଞ୍ଚି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ବନ୍ଦ ଘରର ତାଲା ଭାଙ୍ଗି ଭିତରେ ପଶିଥିଲା। ଶିକ୍ଷୟିତ୍ରୀଙ୍କ ମୃତଦେହକୁ ଜବତ କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।

ଏହି ଶିକ୍ଷକ ଦମ୍ପତିଙ୍କ ମୃତ୍ୟୁ କେମିତି ହେଲା, ତାହା ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଜଣାପଡ଼ିବ। ତେବେ ଗତ ମଙ୍ଗଳବାରଠାରୁ ମଞ୍ଜୁଳାଙ୍କ ଫୋନ୍ ସୁଇଚ୍ ଅଫ୍ ରହିବା ଓ ବନ୍ଦ ଘରୁ ତାଙ୍କର ମୃତଦେହ ମିଳିଥିବାରୁ ବୃନ୍ଦାବନ ତାଙ୍କୁ ହତ୍ୟା କରିବା ପରେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ପୁଲିସ୍ ବିଭିନ୍ନ ଦିଗକୁ ନେଇ ଘଟଣାର ତଦନ୍ତ ଜାରି ରଖିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe