Advertisment

ଭଡ଼ା ଘରୁ ଡାକ୍ତରଙ୍କ ଗଳିତ ମୃତଦେହ ଉଦ୍ଧାର

ଘର ଭିତରୁ ଦୁର୍ଗନ୍ଧ ଆସିବା ପରେ ସନ୍ଦେହ ସୃଷ୍ଟି ହେବାରୁ ପୁଲିସକୁ ଖବର ଦେଇଥିଲେ ଘର ମାଲିକ।

ଅଦ୍ୟତନ ହୋଇଛି
Doctor

Doctor

Advertisment

କଟକର ଚାଉଳିଆଗଞ୍ଜ ଅଞ୍ଚଳରେ ଏକ ବନ୍ଦ ଘରୁ ରବିବାର ଜଣେ ଡାକ୍ତରଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ମଲାଡି ଭେଙ୍କଟ ଚନ୍ଦ୍ରଶେଖର। ତାଙ୍କୁ ୫୩ ବର୍ଷ ହୋଇଥିଲା। ସେ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଥିଲେ। ତେବେ କଟକରେ ଘର ଭଡ଼ା ନେଇ ଏକା ରହୁଥିଲେ।

Advertisment

ଭେଙ୍କଟ ଚନ୍ଦ୍ରଶେଖରଙ୍କ ଘର ମାଲିକ ହରିପ୍ରସାଦ ମହାନ୍ତି କହିଛନ୍ତି, ସେ ଜଣେ ଏମ୍‌ବିବିଏସ୍ ଡାକ୍ତର ଥିଲେ। ସେ ସାଲେପୁର ସିଏଚ୍‌ସିରେ କାର୍ଯ୍ୟ କରୁଥିଲେ। ସେ ୪ ବର୍ଷ ହେଲାଣି କଟକରୁ ଯିବାଆସିବା କରୁଥିଲେ। ତାଙ୍କର ଶ୍ୱାସରୋଗ ସହିତ ହାର୍ଟ ସମସ୍ୟା ଥିଲା। ଦୁଇ ତିନି ଦିନ ହେଲାଣି ଘର ପାଖରୁ ଦୁର୍ଗନ୍ଧ ଆସିଥିଲା। ଆମେ ଭାବିଲୁ କେଉଁ ବିଲେଇ ମରିଥିବ। ଏଣୁ ଖୋଜାଖୋଜି କଲୁ। କିନ୍ତୁ ପାଇଲୁ ନାହିଁ। ତା’ପରେ ଗତକାଲି ତାଙ୍କ ଘର କବାଟ ବାଡ଼େଇ ଥିଲୁ। କିନ୍ତୁ ଭିତରୁ କୌଣସି ଉତ୍ତର ଆସି ନଥିଲା। ଏହା ପରେ ତାଙ୍କ ମୋବାଇଲ ଫୋନ୍‌କୁ କଲ୍ କଲୁ। ଦୁଇ ଥର ରିଙ୍ଗ ହେବା ପରେ ଫୋନ୍ ସୁଇଚ୍ ଅଫ୍ ହୋଇଯାଇଥିଲା। ଏହା ପରେ ସନ୍ଦେହ ହେବାରୁ ଆମେ ପୁଲିସ୍‌କୁ ଖବର ଦେଇଥିଲୁ।

ଚାଉଳିଆଗଞ୍ଜ ଥାନା ପୁଲିସ ଗତକାଲି ସନ୍ଧ୍ୟାରେ ଆସି ଘରଟିକୁ ସିଲ୍ କରିଥିଲା। ଆଜି ସକାଳେ ସାଇଣ୍ଟିଫିକ୍ ଟିମ୍‌ର ଉପସ୍ଥିତିରେ ପୁଲିସ୍ ଘର ଭିତରକୁ ଯାଇଥିଲା ଓ ମୃତଦେହଟିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ନେଇଛି। ଡାକ୍ତର ଜଣଙ୍କ କିଛି ଦିନ ହେଲା ଡାକ୍ତରଖାନା ଯାଇ ନଥିଲେ ବୋଲି ଜଣାପଡ଼ିଛି। ଦୁଇ ତିନି ଦିନ ହେଲାଣି ତାଙ୍କୁ ଘର ବାହାରେ ମଧ୍ୟ କେହି ଦେଖି ନଥିଲେ।

Advertisment

ଘର ମାଲିକଙ୍କ ଠାରୁ ଯାହା ଜଣାପଡ଼ିଛି, ଡାକ୍ତର ଭେଙ୍କଟ ଚନ୍ଦ୍ରଶେଖର ବିବାହ କରି ନଥିଲେ। ସେ ଏଠାରେ ଏକା ରହୁଥିଲେ। ତାଙ୍କର କୌଣସି ସଂପର୍କୀୟ ମଧ୍ୟ ଆସି ତାଙ୍କ ସହିତ ରହୁ ନଥିଲେ। ସେ ଶ୍ୱାସରୋଗରେ ପୀଡ଼ିତ ଥିଲେ। ସେଥିପାଇଁ ପୂର୍ବରୁ ଅନେକ ଥର ଗୁରୁତର ଭାବେ ଅସୁସ୍ଥ ହୋଇପଡ଼ିଥିଲେ। ସେହିଭଳି ସେ ହୃଦ୍‌ରୋଗରେ ମଧ୍ୟ ପୀଡ଼ିତ ଥିଲେ। ତେଣୁ ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁ ତାଙ୍କର ମୃତ୍ୟୁ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି। ତେବେ ଶବ ବ୍ୟବଚ୍ଛେଦ ପରେ ତାଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୁଲିସ୍ କହିଛି। ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। 

Doctor Deadbody
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe