Advertisment

କୂଅରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର, ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ଖୁଟୁଗାଁର ଆଶାରାମ ଗଣ୍ଡଙ୍କ ନାବାଳିକା ଝିଅ ଗତ ବୁଧବାର ରାତି ୮ଟାରୁ ନିଖୋଜ ହୋଇଯାଇଥିଲେ।

author-image
Jitendra Garnayak
Dead Body

Dead Body

ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଖୁଟୁଗାଁରୁ ଦୁଇ ଦିନ ଧରି ନିଖୋଜ ଥିବା ଜଣେ ନାବାଳିକାଙ୍କ ମୃତଦେହ ଆଜି ଏକ କୂଅରୁ ମିଳିଛି। ଚାଷ ଜମି ମଧ୍ୟରେ ଥିବା ଏହି କୂଅରୁ ଦମକଳ ବାହିନୀ ଓ ପୁଲିସ କର୍ମଚାରୀମାନେ ନାବାଳିକାଙ୍କ ମୃତଦେହକୁ ବାହାର କରିଥିଲେ। ତାଙ୍କୁ ହତ୍ୟା କରାଯାଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଥିବା ବେଳେ ପୁଲିସ ଘଟଣାର ତଦନ୍ତ କରୁଛି।

Advertisment

ଖୁଟୁଗାଁର ଆଶାରାମ ଗଣ୍ଡଙ୍କ ନାବାଳିକା ଝିଅ ଗତ ବୁଧବାର ରାତି ୮ଟାରୁ ନିଖୋଜ ହୋଇଯାଇଥିଲେ। ପରିବାର ଲୋକେ ବହୁତ ଖୋଜାଖୋଜି କଲା ପରେ ମଧ୍ୟ ତାଙ୍କୁ ପାଇ ନଥିଲେ।

ଆଜି ସକାଳେ ଗାଁଠାରୁ କିଛି ଦୂରରେ ଥିବା ଖୁସଲଦିହି ଗାଁ ନିକଟସ୍ଥ ଏକ ଜମି ମଧ୍ୟରେ ଥିବା କୂଅରେ ଏକ ଶବ ଭାସୁଥିବା ଲୋକେ ଦେଖିଥିଲେ। ଏନେଇ ସେମାନେ ରାଇଘର ପୁଲିସ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ପୁଲିସ୍ ଓ ଦମକଳ ବାହିନୀ ପହଞ୍ଚିବା ପରେ ମୃତଦେହକୁ ବାହାର କରାଯାଇଥିଲା। ତାହା ଆଶାରାମ ଗଣ୍ଡଙ୍କ ଝିଅଙ୍କ ମୃତଦେହ ବୋଲି ଚିହ୍ନଟ ହୋଇଥିଲା।

Advertisment

ଝିଅକୁ କେହି ହତ୍ୟା କରି କୂଅରେ ଫିଙ୍ଗି ଦେଇଥିବା ଆଶାରାମ ଗଣ୍ଡଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ରାଇଘର ପୁଲିସ ଘଟଣାର ତଦନ୍ତ କରୁଛି। ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଘଟଣାସ୍ଥଳରେ ଛାନ୍‌ଭିନ୍ କରିଛି। ସେହିପରି ପୁଲିସ ସନ୍ଧାନୀ କୁକୁର ସାହାଯ୍ୟରେ ମଧ୍ୟ ଯାଞ୍ଚ କରିଛି।

ଉମରକୋଟ ଏସ୍‌ଡିପିଓ ମଧୁସିକ୍ତା ମିଶ୍ର କହିଛନ୍ତି, ଏହି ଘଟଣା ନେଇ ମାମଲା ରୁଜୁ ହୋଇଛି। ତଦନ୍ତ ଚାଲିଛି। ତଦନ୍ତ ପରେ ଜଣାପଡ଼ିବ, ନାବାଳିକାଙ୍କ ସହିତ କ’ଣ ଘଟିଥିଲା।

ଉମରକୋଟରୁ କାର୍ତ୍ତିକ ମଲ୍ଲିକଙ୍କ ରିପୋର୍ଟ

Murder Suicide