Advertisment

ମହାନଦୀରେ ବୁଡ଼ିଥିବା ଛାତ୍ରଙ୍କ ମୃତଦେହ କାଠଯୋଡ଼ିରୁ ଉଦ୍ଧାର; ପରିବାର ଆଣିଲା ହତ୍ୟା ଅଭିଯୋଗ

ପୁଅକୁ ଅପହରଣ କରାଯାଇ ହତ୍ୟା କରାଯାଇଥିବା ପରି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ମୃତକଙ୍କ ବାପା ସୁଧୀର କୁମାର ମଲ୍ଲିକ ।

author-image
Niharika Rout
Missing

Missing

କଟକ ନରାଜ ନିକଟରେ ମହାନଦୀରେ ଗତ ୮ ତାରିଖରେ ବୁଡ଼ି ଯାଇଥିବା ୨ କଲେଜ ଛାତ୍ରଙ୍କ ମଧ୍ୟରୁ ଆଜି ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଛାତ୍ରଙ୍କ ନାଁ ଆଦିତ୍ୟ ଅଭିଷେକ । ବାଲିଅନ୍ତା ଥାନା ଅଞ୍ଚଳ କାଠଯୋଡ଼ି ନଦୀରୁ ତାଙ୍କ ମୃତଦେହ ଆଜି ଉଦ୍ଧାର ହୋଇଛି। ତେବେ ପୁଅକୁ ଅପହରଣ କରାଯାଇ ହତ୍ୟା କରାଯାଇଥିବା ପରି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ମୃତକଙ୍କ ବାପା ସୁଧୀର କୁମାର ମଲ୍ଲିକ ।

Advertisment

ଆଦିତ୍ୟ ଅଭିଷେକଙ୍କ ସମେତ ତାଙ୍କ ସାଙ୍ଗ ଗତ ୮ ତାରିଖରୁ ପାଣିରେ ବୁଡ଼ି ଯାଇଥିବା ବେଳେ ଉଭୟଙ୍କୁ ଉଦ୍ଧାର ପାଇଁ ଅଗ୍ନିଶମ ବାହିନୀ ଜୋରଦାର ପ୍ରୟାସ ଜାରି ରଖିଥିଲା। ଆଜି ସକାଳୁ ଆଦିତ୍ୟଙ୍କ ମୃତଦେହ ଠାବ ହେବା ପରେ ତାଙ୍କ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ତେବେ ମୃତଦେହରେ କିଛି କ୍ଷତ ଚିହ୍ନ ଅଛି କି ନାହିଁ ସେ ସମ୍ପର୍କରେ ସବିଶେଷ ଭାବେ କିଛି ଜଣାପଡ଼ିନି।

ଆଦିତ୍ୟ ଅଭିଷେକଙ୍କ ବାପା ସୁଧୀର କୁମାର ମଲ୍ଲିକ ଆଜି ସକାଳେ ଏ ନେଇ ଗୋଡ଼ିସାହି ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ଅନୁଯାୟୀ, ଗତ ୮ ତାରିଖରେ ୮ ଜଣ ଛାତ୍ର ନରାଜ ଯାଇଥିଲେ। ସେମାନଙ୍କ ମଧ୍ୟରୁ ୨ ଜଣ ବୁଡ଼ି ଯାଇଥିଲେ। ଅନ୍ୟ ୬ ଜଣଙ୍କ ମଧ୍ୟରୁ କିଛି ପିଲା ଆଦିତ୍ୟଙ୍କ ମା’ଙ୍କ ନିକଟକୁ ଫୋନ୍‌ କରିଥିଲେ । ହେଲେ ସେମାନେ ପୁଅ ନଦୀରେ ବୁଡ଼ି ଯାଇଥିବା କଥା କହି ନ ଥିଲେ। ବରଂ ଆଦିତ୍ୟ କୁଆଡ଼େ ଯାଇଛି ବୋଲି ପଚାରିଥିଲେ।

Advertisment

ପୁଅର ଖୋଜଖବର ପାଉ ନ ଥିବା ନେଇ ଆଦିତ୍ୟଙ୍କ ମା’ କହିବାରୁ ସେମାନେ ସନ୍ଧ୍ୟାରେ ତାଙ୍କ ଘରକୁ ଯାଇଥିଲେ। ଏହାପରେ ରିସେଟ୍‌ କରିବାକୁ ଆଦିତ୍ୟଙ୍କ ଫୋନ୍‌ ମାଗିଥିଲେ। ଉକ୍ତ ସମୟରେ ସେମାନେ ବହୁ ତଥ୍ୟ ଉଡ଼ାଇ ଦେଇଥିବା ଅଭିଯୋଗ ଆଣିଛନ୍ତି ଆଦିତ୍ୟଙ୍କ ବାପା।

ପୁଲିସ୍‌ ଏହି ଘଟଣାର ଖୋଳତାଡ଼ ଆରମ୍ଭ କରିଥିବା ବେଳେ ଆଗକୁ ଏହି ମାମଲା କେଉଁ ମୋଡ଼ ନେବ ତାହା ଉପରେ ସମସ୍ତଙ୍କ ନଜର। ନଦୀରେ ବୁଡ଼ିବାର ୨ ଦିନ ପରେ ଆଦିତ୍ୟଙ୍କ ମୃତଦେହ ମିଳିଥିବା ବେଳେ ତାଙ୍କ ସାଙ୍ଗଙ୍କ ସମ୍ପର୍କରେ କୌଣସି ଖୋଜଖବର ନ ମିଳିବା ଘଟଣା ପରିବାରକୁ ଚିନ୍ତାରେ ପକାଇଛି।

ସୂଚନାଯୋଗ୍ୟ, ଗତ ୮ ତାରିଖରେ କଟକର ଏକ ଘରୋଇ କଲେଜର ୮ ଜଣ ଛାତ୍ର ମହାନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଜଣ ବୁଡ଼ିଯାଇଥିଲେ।

Cuttack Deadbody Drown Case