Advertisment

Murder: ମେୟର ଓ ସ୍ୱାମୀଙ୍କୁ ହତ୍ୟା ଘଟଣା: ୧୦ ବର୍ଷ ପରେ ୫ ଦୋଷୀଙ୍କୁ ଫାଶୀ ଦଣ୍ଡ

ମେୟର ଅନୁରାଧା ଅଫିସରେ କାମ କରୁଥିବା ବେଳେ ଆକ୍ରମଣକାରୀମାନେ ବୁର୍ଖା ପିନ୍ଧି ଭିତରକୁ ଯାଇଥିଲେ। ସେମାନେ ସିଧା ଅନୁରାଧାଙ୍କ ଚ୍ୟାମ୍ବରରେ ପଶି ଗୁଳି ମାଡ଼ କରିଥିଲେ। ଘଟଣା ସ୍ଥଳରେ ହିଁ ଅନୁରାଧାଙ୍କ ମୃତ୍ୟୁ ହୋଇଥିଲା।

author-image
Hemant Lenka
Mayor

ଅନୁରାଧା ଓ ମୋହନ (ଫାଇଲ ଫଟୋ)

ବହୁଚର୍ଚ୍ଚିତ ଆନ୍ଧ୍ର ପ୍ରଦେଶ(Andhra Pradesh) ଚିତ୍ତୋର ମେୟର ଓ ତାଙ୍କ ସ୍ୱାମୀଙ୍କୁ ହତ୍ୟା(Murder) କରିବା ଘଟଣାରେ ରାୟ ପ୍ରକାଶ ପାଇଛି। ଦୀର୍ଘ ୧୦ ବର୍ଷ ପରେ ମେୟର କଟାରୀ ଅନୁରଧା ଓ ତାଙ୍କ ସ୍ୱାମୀ ମୋହନଙ୍କୁ ନିର୍ମମ ଭାବେ ହତ୍ୟା ଘଟଣା(Andhra Murder)ରେ ସେସନ୍ସ କୋର୍ଟ ସମସ୍ତ ୫ ଦୋଷୀଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି। କିଛି ଦିନ ପୂର୍ବରୁ ଏମାନଙ୍କୁ କୋର୍ଟ ହତ୍ୟାକାଣ୍ଡ ଘଟଣାରେ ଦୋଷୀ ସାବ୍ୟସ୍ତ କରିଥିଲେ। ଆଜି କୋର୍ଟ ସମସ୍ତଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି। 

Advertisment

ହତ୍ୟାକାଣ୍ଡ ଘଟଣାରେ ମୃତ୍ୟୁ ଦଣ୍ଡରେ ଦଣ୍ତିତ ହୋଇଥିବା ବ୍ୟକ୍ତିମାନେ ହେଲେ ଚନ୍ଦ୍ରଶେଖର, ଜିଏସ୍‌ ଭେଙ୍କଟଛାଲାପତି, ଜୟପ୍ରକାଶ ରେଡ୍ଡୀ, ମଞ୍ଜୁନାଥ ଓ ଭେଙ୍କଟେଶ। ଚନ୍ଦ୍ରଶେଖର ହେଉଛନ୍ତି ଘଟଣାର ମୁଖ୍ୟ ଅଭିଯୁକ୍ତ। ସେ ମୋହନଙ୍କ ପୁତୁରା। ଜମି ଜମା ଓ ସମ୍ପତ୍ତି ବିବାଦରୁ ୨୦୧୫ରେ ଚନ୍ଦ୍ରଶେଖର ଓ ଅନ୍ୟମାନେ ମେୟର ଅନୁରାଧା ଓ ତାଙ୍କ ସ୍ୱାମୀ ମୋହନଙ୍କୁ ପୌରପାଳିକାର ଅଫିସରେ ପଶି ହତ୍ୟା କରିଥିଲେ। 

ପୂରା ଘଟଣା ୨୦୧୫ ମସିହା ନଭେମ୍ବର ୧୭ରେ ଘଟିଥିଲା। ଚିତ୍ତୋରର ପ୍ରଥମ ମେୟର ଅନୁରାଧା ଅଫିସରେ କାମ କରୁଥିବା ବେଳେ ଆକ୍ରମଣକାରୀମାନେ ବୁର୍ଖା ପିନ୍ଧି ଭିତରକୁ ଯାଇଥିଲେ। ସେମାନେ ସିଧା ଅନୁରାଧାଙ୍କ ଚ୍ୟାମ୍ବରରେ ପଶି ଗୁଳି ମାଡ଼ କରିଥିଲେ। ଘଟଣା ସ୍ଥଳରେ ହିଁ ଅନୁରାଧାଙ୍କ ମୃତ୍ୟୁ ହୋଇଥିଲା।

Advertisment

ଗୁଳି ମାଡ଼ ଶବ୍ଦ ଶୁଣି ଅଫିସ ପରିସରରେ ଥିବା ଅନୁରାଧାଙ୍କ ସ୍ୱାମୀ ମୋହନ ସହାୟତା ପାଇଁ ଚ୍ୟାମ୍ବରକୁ ଦୌଡ଼ି ଯାଇଥିଲେ। ହେଲେ ଆକ୍ରମଣକାରୀମାନେ ତାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ସେ ଏଥରୁ ବର୍ତ୍ତିବା ପାଇଁ ଚେଷ୍ଟା କରିଥିଲେ ହେଁ ଆକ୍ରମଣକାରୀମାନେ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣି ପକାଇଥିଲେ। ଘଟଣାସ୍ଥଳରେ ତାଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା।

ପୂରା ମାମଲାରେ ପୁଲିସ ଦମ୍ପତିଙ୍କ ପୁତୁରା ୪୬ ବର୍ଷୀୟ ଚନ୍ଦ୍ରଶେଖର ଓରଫ ଚିଣ୍ଟଙ୍କୁ ଗିରଫ କରିଥିଲା। ଏହାପରେ ଅନ୍ୟମାନେ ଧରାପଡ଼ିଥିଲେ। ଅକ୍ଟୋବର ୨୪ରେ ଚିତ୍ତୋର ଏକ୍ସଆଇ ଅତିରିକ୍ତ ଜିଲ୍ଲା ଓ ସେସନ୍ସ କୋର୍ଟ ଡବଲ ମର୍ଡର କେସ୍‌ରେ ୫ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଆଜି ସେମାନଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରାଯାଇଛି। 

ପ୍ରାରମ୍ଭିକ ପର୍ଯ୍ୟାୟରେ ପୁଲିସ୍‌ ଚନ୍ଦ୍ରଶେଖର ଓ ଅନ୍ୟ ୨୩ ଜଣଙ୍କ ନାଁରେ ମାମଲା କରିଥିଲା। ପରବର୍ତ୍ତୀ ଅବସ୍ଥାରେ ପୁଲିସ୍‌ କୋର୍ଟରେ ଚାର୍ଜଶିଟ ଦାଖଲ କରିଥିଲା। ଶୁଣାଣି ବେଳେ ଜଣେ ଅଭିଯୁକ୍ତଙ୍କୁ ଖଲାସ କରାଯାଇଥିଲା ଓ ଆଉ ଜଣେ ପ୍ରାଣ ହରାଇଥିଲେ।

ପରବର୍ତ୍ତୀ ଅବସ୍ଥାରେ ୫ ଜଣଙ୍କୁ ଛାଡ଼ି ବାକି ସମସ୍ତଙ୍କୁ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରିଥିଲେ କୋର୍ଟ। ଏହାପରେ ୫ ଜଣ ଅଭିଯୁକ୍ତଙ୍କ ଉପରେ ଥିବା ଅଭିଯୋଗର ଶୁଣାଣି ଆରମ୍ଭ ହୋଇଥିଲେ। ଦୀର୍ଘ ୧୦ ବର୍ଷ ପରେ ଆଜି ଚୂଡ଼ାନ୍ତ ରାୟ ଆସିଛି। 

Andhra Pradesh Andhra Murder Murder