Advertisment

ପ୍ରଥମ ପତ୍ନୀ ଅପର୍ଣ୍ଣାଙ୍କୁ ବି ହତ୍ୟା କରିଥିଲେ ଦୀପକ!

ଅପର୍ଣ୍ଣାଙ୍କ ମୃତ୍ୟୁ ପୂର୍ବରୁ ଦୀପକଙ୍କ ଜୀବନରେ ଏଣ୍ଟ୍ରୀ ମାରିସାରିଥିଲେ କି ଶୁଭମିତ୍ରା?ଶୁଭମିତ୍ରା ଓ କୋଟିଏ ଟଙ୍କାର ବୀମା ଟଙ୍କା ପାଇବାକୁ ଦୁର୍ଘଟଣା ଷଡ଼ଯନ୍ତ୍ର କରିଥିଲା ଦୀପକ? ଏମିତି ଅନେକ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ଉଠିଛି।

author-image
Jitendra Garnayak
Deepak, Aparna and Shubhamitra

Deepak, Aparna and Shubhamitra

ସାରା ରାଜ୍ୟରେ ଚହଳ ପକାଇଥିବା ମହିଳା ଟ୍ରାଫିକ କନଷ୍ଟେବଲ ଶୁଭମିତ୍ରା ସାହୁ ହତ୍ୟା ଘଟଣାର ଅଭିଯୁକ୍ତ ତଥା ତାଙ୍କ ସ୍ୱାମୀ ଦୀପକ ରାଉତଙ୍କ ପ୍ରଥମ ପତ୍ନୀ ଅପର୍ଣ୍ଣା ପ୍ରିୟଦର୍ଶିନୀଙ୍କ ଦୁର୍ଘଟଣାଜନିତ ମୃତ୍ୟୁ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ୩ ବର୍ଷ ତଳେ ସଡ଼କ ଦୁର୍ଘଟଣାରେ ଅପର୍ଣ୍ଣାଙ୍କ ମୃତ୍ୟୁ ଘଟିଥିବା ଦୀପକ କହିଥିବା ବେଳେ ଦ୍ୱିତୀୟ ପତ୍ନୀ ଶୁଭମିତ୍ରା ସାହୁଙ୍କ ହତ୍ୟାକାଣ୍ଡରେ ସେ ଗିରଫ ହେବା ପରେ ଅପର୍ଣ୍ଣାଙ୍କ ବାପଘର ଲୋକଙ୍କ ଭିତରେ ଥିବା ସନ୍ଦେହ ଦୃଢ଼ୀଭୂତ ହୋଇଛି। ଅପର୍ଣ୍ଣାଙ୍କ ମୃତ୍ୟୁ ଘଟଣାର ତଦନ୍ତ କରିବାକୁ ସେମାନେ ଦାବି କରିଛନ୍ତି। ଶୁଭମିତ୍ରାଙ୍କ ଭଳି ଅପର୍ଣ୍ଣାଙ୍କୁ ମଧ୍ୟ ଦୀପକ ହତ୍ୟା କରିଥିବା ସେମାନେ କହିଛନ୍ତି। 

Advertisment

ମେଟ୍ରିମୋନିଆଲ ସାଇଟ୍‌ରୁ ବିବାହ

ଢେଙ୍କାନାଳ ଜିଲ୍ଲା ତିଳପଦା ଗାଁର ଅପର୍ଣ୍ଣା ପ୍ରିୟଦର୍ଶିନୀଙ୍କୁ ୨୦୧୮ ଏପ୍ରିଲ ୨୫ ତାରିଖରେ ବିବାହ କରିଥିଲେ ଦୀପକ। ଏକ ମେଟ୍ରିମୋନିଆଲ ସାଇଟ୍ ଜରିଆରେ ସେମାନେ ପରସ୍ପରକୁ ଜାଣିଥିଲେ। ପରେ ପରିବାର ଲୋକଙ୍କ ସହମତିରେ ଉଭୟେ ବାହା ହୋଇଥିଲେ। ଅପର୍ଣ୍ଣା ଢେଙ୍କାନାଳ ପର୍ଜଙ୍ଗ ସ୍ଥିତ କନ୍ଦରସିଂହାରେ ରାଜସ୍ଵ ନିରୀକ୍ଷକ (ଆରଆଇ) ଭାବରେ ଚାକିରି କରୁଥିଲେ। ୨୦୨୨ ମସିହା ମାର୍ଚ୍ଚ ୧୭ ତାରିଖରେ ଅପର୍ଣ୍ଣାଙ୍କ ମୃତ୍ୟୁ ଘଟିଥିଲା। କଟକ ଜିଲ୍ଲା ଖୁଣ୍ଟୁଣୀ ନିକଟରେ ସଡ଼କ ଦୁର୍ଘଟଣାରେ ଅପର୍ଣ୍ଣାଙ୍କ ମୃତ୍ୟୁ ହୋଇଥିବା ଦୀପକ କହିଥିଲେ। ତେବେ ମୁଣ୍ଡରେ ଏକ ଆଘାତ ବ୍ୟତୀତ ଅପର୍ଣ୍ଣାଙ୍କ ଶରୀରରେ ଦୁର୍ଘଟଣାଜନିତ ଅନ୍ୟ କୌଣସି ଆଘାତ ନଥିବାରୁ ସନ୍ଦେହ ହୋଇଥିଲେ ବି ଅପର୍ଣ୍ଣାଙ୍କ ପରିବାର ଲୋକେ ଏହାକୁ ସ୍ୱୀକାର କରି ନେଇଥିଲେ। କିନ୍ତୁ ଶୁଭମିତ୍ରାଙ୍କ ହତ୍ୟାକାଣ୍ଡ ଘଟଣା ସାମ୍ନାକୁ ଆସିବା ପରେ ଅପର୍ଣ୍ଣାଙ୍କୁ ବି ଦୀପକ ହତ୍ୟା କରିଥିବା ନେଇ ତାଙ୍କ ବାପାମା’, ଭଉଣୀ ଓ ସଂପର୍କୀୟ ଭାଇଙ୍କର ଥିବା ସନ୍ଦେହ ଦୃଢ଼ୀଭୂତ ହୋଇଛି।

ଅପର୍ଣ୍ଣାଙ୍କ ମା’ ଅହଲ୍ୟା ରାଉତ କହିଛନ୍ତି, ସେମାନଙ୍କ ମଧ୍ୟରେ ଝଗଡ଼ା ହେଉଥିଲା। ଦୀପକ ଝିଅକୁ ନିର୍ଯାତନା ଦେଉଥିଲା। ଆମେ ଝିଅକୁ ବୁଝାବୁଝି କରୁଥିଲୁ। ସେତେବେଳେ ଆମ ପାଖରେ ଲୋକବଳ ନଥିଲା। ପରିସ୍ଥିତି ଖରାପ ଥିଲା। ତେଣୁ ସନ୍ଦେହ ଥିଲେ ବି ଝିଅର ମୃତ୍ୟୁ ଘଟଣାର ତଦନ୍ତ ପାଇଁ ଜୋର ଦେଇପାରିନଥିଲୁ। କିନ୍ତୁ ଗତକାଲିର ଘଟଣା (ଶୁଭମିତ୍ରା ହତ୍ୟାକାଣ୍ଡ) ପରେ ଦୀପକ ନିଶ୍ଚିତ ଆମ ଝିଅକୁ ମାରିଦେଇଛି ବୋଲି ଆମେ ଭାବୁଛୁ। ଆମ ଝିଅକୁ ନ୍ୟାୟ ଦିଆଯାଉ ବୋଲି ଆମେ ଦାବି କରୁଛୁ।

Advertisment

ଦୀପକର ଅଭିନୟକୁ ସତ ମାନି ନେଇଥିଲେ ଅପର୍ଣ୍ଣାଙ୍କ ବାପଘର ଲୋକେ

ଅପର୍ଣ୍ଣାଙ୍କ ସାନ ଭଉଣୀ ରୋଜାଲିନ ରାଉତ କହିଛନ୍ତି, ୨୦୨୨ ମାର୍ଚ୍ଚ ୧୭ ତାରିଖରେ ଅପର୍ଣ୍ଣା ଓ ଦୀପକ କାର ଯୋଗେ ଢେଙ୍କାନାଳରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲେ। କାରରେ କେବଳ ସେମାନେ ଦୁଇ ଜଣ ଥିଲେ। ଖୁଣ୍ଟୁଣୀ ଥାନା ପରେ ପରେ ଗୋଟେ ଜାଗାରେ ଦୁର୍ଘଟଣା ଘଟିଥିବା ନେଇ ଦୀପକ ଫୋନ୍ କରିଥିଲା। ଖବର ପାଇ ଆମ ଘର ଲୋକେ ଘଟଣାସ୍ଥଳ ଅଭିମୁଖେ ଯାଉଥିବା ବେଳେ ଦୀପକ ପୁଣି ଫୋନ୍ କରି କହିଥିଲା ଯେ ସେ ନାନୀକୁ କଟକ ଏସ୍‌ସିବିକୁ ନେଇଯାଉଛି। ସେ ଆମ ଘର ଲୋକଙ୍କୁ ଏସ୍‌ସିବିକୁ ଯିବା ପାଇଁ କହିଥିଲା। ଆମ ଘର ଲୋକେ ସେଠାକୁ ଗଲା ବେଳେ ଦୀପକ ଆଉ ଥରେ ଫୋନ୍ କରି ଅଶ୍ୱିନୀ ହସ୍‌ପିଟାଲ୍‌କୁ ଯିବା ପାଇଁ କହିଥିଲା। ସେ ନାନୀକୁ ସେଠାକୁ ନେଇଥିବା କହିଥିଲା। ଆମ ପରିବାର ଲୋକେ ଅଶ୍ୱିନୀରେ ପହଞ୍ଚିଲା ବେଳକୁ ନାନୀର ମୃତ୍ୟୁ ହୋଇଯାଇଥିଲା। ମୃତଦେହକୁ ଦେଖି ଆମ ପରିବାର ଲୋକେ ସେମିତି କିଛି ଦୁର୍ଘଟଣା ଘଟିଥିବା ଓ ଦୁର୍ଘଟଣାରୁ ନାନୀର ମୃତ୍ୟୁ ଘଟିଥିବା ଅନୁଭବ କରି ନଥିଲେ। କିନ୍ତୁ ଦୀପକ ଓ ତା’ ପରିବାର ଲୋକେ ଏମିତି ଅଭିନୟ କରିଥିଲେ ଯେ ଆମେ ତା’ କଥାକୁ ସତ ବୋଲି ମାନି ନେଇଥିଲୁ।

ସେ କହିଛନ୍ତି, ଦୀପକକୁ ସେତେବେଳେ ଆମେ ସନ୍ଦେହ କରିଥିଲେ ବି ତାହାକୁ ଏତେ ଜୋର ନଦେବା ପଛରେ ଅଲଗା କାରଣ ବି ଥିଲା। ଭଲମନ୍ଦରେ ଆମ ପରିବାର ସହିତ ଛିଡ଼ା ହେଉଥିଲା ଦୀପକ। ସେହିପରି ନାନୀ (ଅପର୍ଣ୍ଣା) ସେତେବେଳେ ୬ ମାସର ଗର୍ଭବତୀ ଥିଲେ। ତାହା ଥିଲା ତାଙ୍କର ଦ୍ୱିତୀୟ ଗର୍ଭ। ୨୦୧୯ରେ ତାଙ୍କର ପ୍ରଥମ ଗର୍ଭ ନଷ୍ଟ ହୋଇଯାଇଥିଲା। ତେଣୁ ଏଭଳି ସ୍ଥିତିରେ ଦୀପକ ନାନୀକୁ ମାରି ନଥିବ ବୋଲି ବି ଭାବି ନେଇଥିଲୁ। କିନ୍ତୁ ଶୁଭମିତ୍ରା ହତ୍ୟା ଘଟଣାରେ ଦୀପକ ଗିରଫ ହେବା ପରେ ଆମ ପାଦ ତଳୁ ମାଟି ଖସି ଯାଇଥିଲା। ସେ ଯଦି ଶୁଭମିତ୍ରାଙ୍କୁ ମାରିପାରିଲା, ତା’ହେଲେ ମୋ ନାନୀଙ୍କୁ କେମିତି ମାରିଥିବ, ତାହା ଭାବି ମୁଁ ଚିନ୍ତିତ ହୋଇପଡ଼ିଛି। ମୋ ନାନୀକୁ ସେ ମାରି ଦୁର୍ଘଟଣାର ରୂପ ଦେଇଛି। ନାନୀକୁ ମାରି ସେ ଟଙ୍କା ହାତେଇଛି। ବାହାଘର ପରେ ନାନୀ ନାଁରେ ସେ କୋଟିଏ ଟଙ୍କାର ଏକ ଟର୍ମ ଇନ୍‌ସ୍ୟୁରାନ୍ସ କରିଥିଲା। ନାନୀ ନାଁରେ ସେ ୨୦/୨୫ ଲକ୍ଷ ଟଙ୍କାର ଲୋନ୍ କରିଥିଲା। ଲୋନ୍ ଟଙ୍କାକୁ ସେ ତା’ର ମାଛ ବେପାର ଓ ତା’ ଭାଇର ବ୍ୟବସାୟରେ ଲଗାଇଥିଲା। ତେଣୁ ମୋ ନାନୀର ମୃତ୍ୟୁ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଆମେ ଦାବି କରୁଛୁ।

ଅପର୍ଣ୍ଣାଙ୍କ ମୃତ୍ୟୁ ପୂର୍ବରୁ ଦୀପକଙ୍କୁ ଜୀବନକୁ ଆସିଥିଲେ ଶୁଭମିତ୍ରା!

ଅପର୍ଣ୍ଣାଙ୍କ ସାନ ଭଉଣୀ ରୋଜାଲିନ ରାଉତ କହିଛନ୍ତି, ନାନୀର ଶବ ବ୍ୟବଚ୍ଛେଦ ବେଳେ ଆମର ଯେଉଁ ସଂପର୍କୀୟମାନେ ଡାକ୍ତରଖାନାରେ ଉପସ୍ଥିତ ଥିଲେ ସେମାନେ ସେତେବେଳେ ଶୁଭମିତ୍ରାଙ୍କୁ ଦେଖିଥିଲେ। ଶୁଭମିତ୍ରା ସେଠାରେ ଉପସ୍ଥିତ ଥିଲେ। ଶୁଭମିତ୍ରାଙ୍କ ଫଟୋ ଟିଭିରେ ଦେଖିବା ପରେ ଆମ ସଂପର୍କୀୟମାନେ ତାଙ୍କୁ ଚିହ୍ନିପାରିଛନ୍ତି। ତେଣୁ ମୁଁ ପୁଲିସକୁ ଅନୁରୋଧ କରିବି ଯେ ସେହି ଏଙ୍ଗେଲକୁ ନେଇ ମଧ୍ୟ ଘଟଣାର ତଦନ୍ତ କରାଯାଉ। ସେତେବେଳେ ଶୁଭମିତ୍ରାଙ୍କ ସହିତ ଦୀପକର ସଂପର୍କ ଥିଲା ନା ନାହିଁ? ନାନୀଙ୍କୁ ମାରି ଦୀପକ ତାଙ୍କୁ ବିବାହ କରିବାକୁ ଚାହୁଁଥିଲା କି?

ଢେଙ୍କାନାଳ ଜିଲ୍ଲା ଗଁଦିଆରେ ରହୁଥିବା ଅପର୍ଣ୍ଣାଙ୍କ ମାମୁ ପୁଅ ଭାଇ ଦିଲ୍ଲୀପ ରାଉତ କହିଛନ୍ତି, ବିବାହର କିଛି ଦିନ ପରେ ସେ (ଅପର୍ଣ୍ଣା) ମୋତେ ଫୋନ୍ କରିଥିଲା ଓ ବଡ଼ ଭୁଲ୍ କରିଦେଇଥିବା କହିଥିଲା। ସେ ଦୀପକଙ୍କ ଅସଲ ଚେହେରା ଜାଣିସାରିଥିଲା। ମୁଁ ବି ଭାବୁଥିଲି ଦୀପକ ଜଣେ ଏସ୍‌ଆଇ ବୋଲି। କିନ୍ତୁ ପରେ ଜାଣିଲୁ ଯେ ସେ ଜଣେ କନଷ୍ଟେବଲ। ସେ ଅପର୍ଣ୍ଣାକୁ ନିର୍ଯାତନା ଦେଉଥିଲା। ତାଙ୍କ ସହିତ ମାରପିଟ କରୁଥିଲା। କାନ୍ଦି କାନ୍ଦି ତା’ ଦେହରୁ ରକ୍ତ ଝରିବ ବୋଲି ଅପର୍ଣ୍ଣାକୁ ଦୀପକ କହୁଥିଲା। ତା’ ଭଉଣୀମାନଙ୍କ ବାହାଘର ବି କରେଇ ଦେବେନି ବୋଲି କହୁଥିଲା। କିନ୍ତୁ ଏ କଥାଗୁଡ଼ିକୁ ସେ ତାଙ୍କ ବାପାମା’ଙ୍କୁ କହୁ ନଥିଲା। ସେମାନେ ଅଧିକ ମନଦୁଃଖ କରିବେ ବୋଲି ସେ କହିବାକୁ ଚାହୁଁନଥିଲା। ଦୀପକର ସେତେବେଳେ ଆଉ ଜଣେ ମହିଳାଙ୍କ ସହିତ ବି ସଂପର୍କ ଥିଲା। ସେଥିପାଇଁ ସେମାନଙ୍କ ମଧ୍ୟରେ ଝଗଡ଼ା ହେଉଥିଲା। ଏତେ ସବୁ କଥା ଜାଣିବା ପରେ ଦୀପକକୁ ଛାଡ଼ି ଦେବା ପାଇଁ ମୁଁ ତାକୁ ପରାମର୍ଶ ଦେଇଥିଲି। ତେବେ ତା’ ନଣଦେଇ (ଦୀପକର ଭିଣୋଇ) ତାକୁ ସମର୍ଥନ କରୁଥିବାରୁ ଦୀପକ ତା’ର କିଛି କରିପାରିବନି ଭାବି ସେ ତାକୁ ଛାଡ଼ିନଥିଲା। ଶବ ବ୍ୟବଚ୍ଛେଦ ପରେ ମୁଁ ଅପର୍ଣ୍ଣାକୁ ଦେଖିଥିଲି। କିନ୍ତୁ ତା’ ସହିତ ଦୁର୍ଘଟଣା ଘଟିଥିବା ନେଇ କିଛି ଜଣାପଡ଼ୁନଥିଲା। ପୁଣି ଗାଡ଼ି ଚକା ଠିକ୍ କଲା ବେଳେ ମୋବାଇଲ୍‌ରେ ଲାଇଟ୍ ଦେଖାଉଥିବା ଅପର୍ଣ୍ଣାକୁ କେଉଁ ଗାଡ଼ି ପିଟି ଦେଇ ପଳାଇଲା ବୋଲି ଦୀପକ କିଛି କହିପାରୁନି। ତେଣୁ ଏସବୁଥିରୁ ଆମର ତା’ଉପରେ ସନ୍ଦେହ ହେଉଛି।

ଶୁଭମିତ୍ରା ନା ବୀମା ଟଙ୍କା? ନା ଉଭୟ?

ଯଦି ଅପର୍ଣ୍ଣାଙ୍କୁ ମଧ୍ୟ ଦୀପକ ହତ୍ୟା କରିଥିବ, ତା’ହେଲେ ତା’ର କାରଣ କ’ଣ ହୋଇଥିବ? ଶୁଭମିତ୍ରା ନା ବୀମା ଟଙ୍କା? ନା ଉଭୟ ଶୁଭମିତ୍ରା ଓ ବୀମା ଟଙ୍କା? ଅପର୍ଣ୍ଣାଙ୍କ ପରିବାର ଲୋକଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ ତାଙ୍କ ମୃତ୍ୟୁ ପୂର୍ବରୁ ବୋଧହୁଏ ଶୁଭମିତ୍ରାଙ୍କ ସହିତ ଦୀପକର ସଂପର୍କ ଥିଲା। ସେଥିପାଇଁ ହୁଏତ ସେ ଅପର୍ଣ୍ଣାଙ୍କୁ ସବୁଦିନ ପାଇଁ ରାସ୍ତାରୁ ହଟାଇ ଦେଇଥାଇପାରେ। ଯେହେତୁ ଅପର୍ଣ୍ଣାଙ୍କ ନାଁରେ କୋଟିଏ ଟଙ୍କାର ବୀମା ଥିଲା, ତେଣୁ ହତ୍ୟା କରି ଦୁର୍ଘଟଣାର ରୂପ ଦେଇ ଦେଲେ ଡବଲ୍ ଲାଭ ମିଳିବ ବୋଲି ଭାବିଥିବ ଦୀପକ।

ଆଜି ଶୁଭମିତ୍ରାଙ୍କ ବାପା କହିଛନ୍ତି, ମୋ ଝିଅ ହତ୍ୟାକାଣ୍ଡ ପଛରେ କେବଳ ଦୀପକ ନୁହେଁ, ତା ବିଲ୍ଡର ଭାଇ ବି ମାଷ୍ଟରମାଇଣ୍ଡ୍‌। ତା’ ମଉସା, ମାଉସୀ, ମାଉସୀ ପୁଅ ଓ ଡାକ୍ତର ଭଣଜା ମଧ୍ୟ ସମ୍ପୃକ୍ତ। ସଠିକ୍‌ ତଦନ୍ତ ହେଲେ ମୋ ଝିଅ ହତ୍ୟାକାଣ୍ଡ ଉପରୁ ପର୍ଦ୍ଦା ହଟି ପାରିବ। ଦୀପକ ତା’ ପ୍ରଥମ ସ୍ତ୍ରୀକୁ ମାରି ଦୁର୍ଘଟଣାର ରୂପ ଦେଇ ୧.୫ କୋଟି ବୀମା ଟଙ୍କା ପାଇଛି। ମୋ ଝିଅକୁ ଏକତରଫା ବାହା ହୋଇ କୋଟିଏ ୨୫ ଲକ୍ଷର ବୀମା କରିଛି। ଏହି କେଳେଙ୍କାରୀ ପଛରେ ବୀମା କମ୍ପାନୀ ଲୋକଙ୍କର ବି ହାତ ଥାଇପାରେ ବୋଲି ସେ ସନ୍ଦେହ କରିଛନ୍ତି।

ନଜର ରଖିଛି କଟକ ଗ୍ରାମାଞ୍ଚଳ ଥାନା ପୁଲିସ

ଅପର୍ଣ୍ଣାଙ୍କ ମୃତ୍ୟୁ ମାମଲାରେ କଟକ ଗ୍ରାମାଞ୍ଚଳ ପକ୍ଷରୁ କୁହାଯାଇଛି ଯେ ସେମାନେ କମିଶନରେଟ୍ ପୁଲିସ ସହ ଯୋଗାଯୋଗରେ ଅଛନ୍ତି। ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା ହୋଇଛି। ଯଦି କିଛି ତଥ୍ୟ ମିଳେ, ତା’ହେଲେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ।

ଦୀପକ ନିଲମ୍ବିତ

ଶୁଭମିତ୍ରା ସାହୁ ହତ୍ୟାକାଣ୍ଡ ଘଟଣାରେ ଗିରଫ କନଷ୍ଟେବଲ ତଥା ସିପି ଅଫିସରେ କିରାଣି ଭାବେ କାର୍ଯ୍ୟ କରୁଥିବା ଦୀପକ ରାଉତକୁ ନିଲମ୍ବନ କରାଯାଇଛି। ଭୁବନେଶ୍ୱର ଡିସିପି ଏହି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଦୀପକକୁ କ୍ୟାପିଟାଲ ଥାନା ପୁଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି।

Murder