Advertisment

ବାକି ଶୁଝୁ ନ ଥିଲେ ପୁଲିସ୍‌ ଅଧିକାରୀଙ୍କ ପୁଅ, ରାସ୍ତାରୁ ହଟାଇ ଦେଲେ ସାଙ୍ଗ

ବାରମ୍ବାର କହିବା ସତ୍ତ୍ୱେ ବାକି ଶୁଝିଲେନି ପୁଲିସ୍‌ ବାବୁଙ୍କ ପୁଅ। ଓଲଟା ପୁଲିସ୍‌ ବର୍ଦ୍ଦିର ଖାତିର ଦେଖାଇ ଡରାଇଲେ।

Deceased

Deceased

Advertisment

ବାରମ୍ବାର କହିବା ସତ୍ତ୍ୱେ ବାକି ଶୁଝିଲେନି ପୁଲିସ୍‌ ବାବୁଙ୍କ ପୁଅ। ଓଲଟା ପୁଲିସ୍‌ ବର୍ଦ୍ଦିର ଖାତିର ଦେଖାଇ ଡରାଇଲେ। ଏଥିରେ ଅତିଷ୍ଠ ହୋଇ ଧାର ଦେଇଥିବା ବ୍ୟକ୍ତିଜଣକ ନିଜ ସାଙ୍ଗଙ୍କ ସହ ମିଶି ତାଙ୍କ ହତ୍ୟା କରି ଦେଇଛି। ଏଯାଏ ମୃତଦେହ ମିଳି ନ ‌ଥିବା ବେଳେ ତାହାର ସନ୍ଧାନ ଜାରି ରଖିଛି ପୁଲିସ୍‌।

Advertisment

ଏପରି ଏକ ଚାଞ୍ଚଲ୍ୟକର ଘଟଣା ରାଜଧାନୀ ଦିଲ୍ଲୀରେ ଘଟିଛି। ମୃତକ ହେଲେ ଦିଲ୍ଲୀ ପୁଲିସ୍‌ରେ କାର୍ଯ୍ୟରତ ଜଣେ ଏସିପିଙ୍କ ପୁଅ ୨୬ ବର୍ଷୀୟ ଲକ୍ଷ୍ୟ ଚୌହାନ । ଏହି ଘଟଣାରେ ପୁଲିସ୍‌ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଅନ୍ୟଜଣକ ସନ୍ଧାନ ଜାରି ରଖିଛି।

ଲକ୍ଷ୍ୟ ଜଣେ ଓକିଲ ଭାବେ କାମ କରନ୍ତି। ସେ ବିକାଶ ଭରଦ୍ୱାଜ ନାମକ ବ୍ୟକ୍ତିଙ୍କଠାରୁ କିଛି ଟଙ୍କା ନେଇଥିବା ବେଳେ ଶୁଝିବା ନାଁ ଧରୁ ନ ଥିଲେ। ବିକାଶ ଦିଲ୍ଲୀର ଏକ କୋର୍ଟରେ କ୍ଲର୍କ ଭାବେ କାମ କରୁଥିଲେ।

Advertisment

ବିକାଶ ଟଙ୍କା ମାଗିଲେ ଲକ୍ଷ୍ୟ ଶୁଝୁ ନ ଥିବା ବେଳେ ଦୁର୍ବ୍ୟବହାର ପ୍ରଦର୍ଶନ କରୁଥିଲେ। ଏଥିରେ ମନେ ମନେ ଉତ୍ତ୍ୟକ୍ତ ହୋଇ ରହିଥିବା ବିକାଶ ରାଗ ଶୁଝିବା ପାଇଁ ଅପେକ୍ଷାରେ ଥିଲେ। ଏଥିନିମନ୍ତେ ସେ ନିଜ ସାଙ୍ଗ ଅଭିଷେକଙ୍କୁ ଜଣାଇଥିଲେ। ଏହାପରେ ଉଭୟ ଲକ୍ଷ୍ୟଙ୍କୁ ରାସ୍ତାରୁ ହଟାଇବାକୁ ଯୋଜନା କରୁଥିଲେ।

ଗତ ୨୨ ତାରିଖରେ ଲକ୍ଷ୍ୟ ଭିବାନୀରେ ହେଉଥିବା ନିଜର ଜଣେ ସମ୍ପର୍କୀୟଙ୍କ ବିବାହ ଉତ୍ସବରେ ଯୋଗ ଦେବାକୁ ବାହାରିଥିଲେ। ଉକ୍ତ ଉତ୍ସବରେ ଯିବାକୁ ସେ ବିକାଶଙ୍କୁ ଡାକିଥିଲେ । ବିକାଶ ନିଜ ସାଙ୍ଗ ଅଭିଷେକଙ୍କୁ ସାଙ୍ଗରେ ନେଇ ଯାଇଥିଲେ।

ବିବାହ ଉତ୍ସବରେ ଯୋଗ ଦେଇ ୩ ଜଣ ବିଳମ୍ବିତ ରାତିରେ ଦିଲ୍ଲୀ ଫେରିଥିଲେ। ମାତ୍ର ଗାଡ଼ିଟି ମୁନକ ନହର ଅତିକ୍ରମ କରୁଥିବା ବେଳେ ବିକାଶ ଓ ଅଭିଷେକ ଉଭୟଙ୍କୁ ବାହାନା କରି ଗାଡ଼ିରୁ ବାହାରକୁ ଡାକିଥିଲେ। ଏହାପରେ ସେଠାରୁ ସେମାନେ ଲକ୍ଷ୍ୟଙ୍କୁ ତଳକୁ ଠେଲି ଦେଇ ତାଙ୍କ ଗାଡ଼ି ନେଇ ପଳାଇଥିଲେ।

ପରିବାର ଲୋକେ ଲକ୍ଷ୍ୟଙ୍କ ସନ୍ଧାନ ନ ପାଇବାରୁ ଥାନାରେ ମାମଲା ରୁଜୁ କରିଥିଲେ। ଏହାପରେ ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରି ତାଙ୍କ ସହ ବିବାହକୁ ଯାଇଥିବା ବିକାଶ ଓ ଅଭିଷେକଙ୍କୁ ଖୋଜାଖୋଜି ଆରମ୍ଭ କରିଥିଲା। ଅଭିଷେକଙ୍କ ସନ୍ଧାନ ମିଳି ସାରିଥିବା ବେଳେ ସେମାନେ ଲକ୍ଷ୍ୟଙ୍କୁ ରାସ୍ତାରୁ ହଟାଇ ଦେଇଥିବା ପୁଲିସ୍‌ ସମ୍ମୁଖରେ ସ୍ୱୀକାର କରିଛନ୍ତି। ତାଙ୍କୁ ଅଟକ ରଖି ପୁଲିସ୍‌ ପଚରାଉଚରା କରୁଛି।

ପୁଲିସ୍‌ ଏଯାବତ ମୃତଦେହକୁ ଠାବ କରି ପାରି ନ ଥିବା ବେଳେ ଖୋଜାଖୋଜିକୁ ଜୋରଦାର କରିଛି। ଏଥିସହ ପୁଲିସ୍‌ ବିକାଶଙ୍କୁ ବି ଖୋଜାଖୋଜି କରୁଛି।

Murder Delhi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe