/odisha-reporter/media/post_attachments/uploadimage/library/16_9/16_9_0/IMAGE_1753436435.jpg)
Ramachandra Nepaka
ଚାକିରି ଆଉ ୫ ମାସ ବାକି ଥିବା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି କୋରାପୁଟ ଜିଲ୍ଲା ଜୟପୁର ଫରେଷ୍ଟ ରେଞ୍ଜର ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକ। ତାଙ୍କର ଜୟପୁର ସ୍ଥିତ ବାସଭବନ ସମେତ ମୋଟ ୬ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିବା ବେଳେ ବିପୁଳ ପରିମାଣରେ ସଂପତ୍ତି ଠାବ କରାଯାଇଛି।
ଶ୍ରୀ ନେପାକଙ୍କର ଜୟପୁର ସହରର ପିଆର ପେଟ୍ଟା ଅଞ୍ଚଳର ଏନ୍କେଟି ରୋଡ୍ରେ ଏକ ତିନି ମହଲା କୋଠା ଅଛି। ସେହିପରି ପିଆର ପେଟ୍ଟା ଅଞ୍ଚଳରେ ଥିବା ଗୋଲ୍ଡେନ୍ ହାଇଟ୍ ରେସିଡେନ୍ସିଆଲ୍ ଆପାର୍ଟମେଣ୍ଟରେ ତାଙ୍କର ଦୁଇଟି ଟୁ-ବିଏଚ୍କେ ଫ୍ଲାଟ୍ ଅଛି। ଏହି ଦୁଇଟି ଫ୍ଲାଟର ନମ୍ବର ହେଉଛି ୫୧୦ ଓ ୫୧୧। ଭୁବନେଶ୍ୱରର ରଘୁନାଥପୁର ଜାଲିରେ ଥିବା ୟୁଏମ୍ଏସ୍ ଭଗବତୀ ମ୍ୟାନସନ୍ରେ ତାଙ୍କ ଏକ ଥ୍ରୀ-ବିଏଚ୍କେ ଫ୍ଲାଟ୍ ଅଛି। ସେହିପରି ଜୟପୁର ସହରରେ ତାଙ୍କର ଦୁଇଟି ଦାମୀ ପ୍ଲଟ୍ ଅଛି। ଏହି ସବୁ ଘର ଓ ପ୍ଲଟଗୁଡ଼ିକର ମୂଲ୍ୟ ଜାଣିବା ପାଇଁ ଭିଜିଲାନ୍ସର ବୈଷୟିକ ଟିମ୍ ପକ୍ଷରୁ ମାପଚୁପ ଓ ହିସାବକିତାବ ଜାରି ରହିଛି।
ଜୟପୁରର ଗୋଲ୍ଡେନ୍ ହାଇଟ୍ ରେସିଡେନ୍ସିଆଲ୍ ଆପାର୍ଟମେଣ୍ଟରେ ଥିବା ଦୁଇଟି ଫ୍ଲାଟ୍ରୁ ଗୋଟିକରେ (ଫ୍ଲାଟ୍ ନମ୍ବର ୫୧୦ରେ) ଏକ ସିକ୍ରେଟ୍ ଟ୍ରେଜେରୀରେ ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକ ନଗଦ ୧ କୋଟି ୩୮ ଲକ୍ଷ ୯୦ ହଜାର ଟଙ୍କା ରଖିଥିଲେ। ଏହାକୁ ଭିଜିଲାନ୍ସ ପକ୍ଷରୁ ଜବତ କରାଯାଇଛି। ସେହିପରି ତାଙ୍କର ଜୟପୁର ସ୍ଥିତ ଅନ୍ୟ ଏକ ଘରୁ ନଗଦ ୪ ଲକ୍ଷ ୪୪ ହଜାର ଟଙ୍କା ଜବତ କରାଯାଇଛି। ଏହିପରି ତାଙ୍କଠାରୁ ମୋଟ ୧ କୋଟି ୪୩ ଲକ୍ଷ ୩୪ ହଜାର ଟଙ୍କା ନଗଦ ଜବତ କରିଛି ଭିଜିଲାନ୍ସ।
ବାବୁଙ୍କ ବ୍ୟାଙ୍କ ଆକାଉଣ୍ଟରେ ଅଛି ୧ କୋଟି ୩୨ ଲକ୍ଷରୁ ଅଧିକ ଟଙ୍କା। ୪ଟି ବ୍ୟାଙ୍କରେ ଥିବା ୧୦ଟି ଆକାଉଣ୍ଟରେ ଅଛି ଏହି ଟଙ୍କା। ତାଙ୍କ ନିଜ ନାଁରେ ଓ ପରିବାର ସଦସ୍ୟଙ୍କ ନାଁରେ ଅଛି ଏହି ସବୁ ବ୍ୟାଙ୍କ ଆକାଉଣ୍ଟ। ଶ୍ରୀ ନେପାକଙ୍କ ଘରୁ ଦେଢ଼ କେଜି ସୁନା ଜବତ କରାଯାଇଛି। ତା’ସହିତ ୪ କେଜି ୬୩୭ ଗ୍ରାମର ରୁପା ଜବତ କରାଯାଇଛି। ତାଙ୍କର ବୀମା ଜମା ସହିତ ଅନ୍ୟାନ୍ୟ ନିବେଶ ରହିଛି। ସେ ନେଇ ଭିଜିଲାନ୍ସର ତଦନ୍ତ ଜାରି ରହିଛି। ତାଙ୍କର ଏକ ଚାରି ଚକିଆ ଗାଡ଼ି (KIA Carens) ରହିଛି।
୧୯୮୯ ମସିହା ମାର୍ଚ୍ଚ ୯ ତାରିଖରେ ଶ୍ରୀ ନେପାକ କୋରାପୁଟ ସୋଶାଲ ଫରେଷ୍ଟ୍ରୀ ଡିଭିଜନର ସୋଶାଲ ଫରେଷ୍ଟ୍ରୀରେ ‘ଭିଲେଜ ଫରେଷ୍ଟ ୱାର୍କର’ ଭାବେ ତାଙ୍କ ଚାକିରି ଜୀବନ ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ସେ ଜୟପୁର ଫରେଷ୍ଟ ଡିଭିଜନରେ ନିଯୁକ୍ତି ପାଇଥିଲେ। ବିଭିନ୍ନ ସମୟରେ ପଦୋନ୍ନତି ପାଇ ବର୍ତ୍ତମାନ ସେ ଜୟପୁର ଫରେଷ୍ଟ ରେଞ୍ଜରେ ଡେପୁଟି ରେଞ୍ଜର ତଥା ରେଞ୍ଜର ଇନ୍-ଚାର୍ଜ ଭାବେ କାର୍ଯ୍ୟ କରୁଛନ୍ତି। ତାଙ୍କର ମାସିକ ଦରମା ୭୬,୮୮୦ ଟଙ୍କା ହୋଇଥିବା ବେଳେ ସବୁ କଟିକାଟି ସେ ୬୯,୬୮୦ ଟଙ୍କା ପାଉଛନ୍ତି। ଆସନ୍ତା ଡିସେମ୍ବର ମାସରେ ସେ ଚାକିରିରୁ ଅବସର ନେବେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
