Advertisment

‘ଜମି ପ୍ରିୟ’ ଡିଏଫଓ ଗିରଫ; ଠୁଳ କରିଛନ୍ତି ଆୟଠାରୁ ୨୧୮% ଅଧିକ ସଂପତ୍ତି, ୧୨୩ ପ୍ଳଟ୍ ଦେଖି ଭିଜିଲାନ୍ସ କାବା

ଭିଜିଲାନ୍ସ ପକ୍ଷରୁ ଡିଏଫଓଙ୍କ ବାସଭବନ ସମେତ ମୋଟ ୭ଟି ସ୍ଥାନରେ ଚଢ଼ାଉ କରାଯାଇଥିଲା।

ଅଦ୍ୟତନ ହୋଇଛି
DFO Nityananda Nayak and his house

DFO Nityananda Nayak and his house

Advertisment

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କେନ୍ଦୁଝର ଜିଲ୍ଲା କେନ୍ଦୁପତ୍ର ଡିଭିଜନର ଡିଏଫଓ ନିତ୍ୟାନନ୍ଦ ନାୟକଙ୍କୁ ମଙ୍ଗଳବାର ଗିରଫ କରିଛି ଭିଜିଲାନ୍ସ।

Advertisment

ଗତ ରବିବାର ଶ୍ରୀ ନାୟକଙ୍କ ଅନୁଗୋଳ ସ୍ଥିତ ଘର ସମେତ ମୋଟ ୭ଟି ସ୍ଥାନରେ ଚଢ଼ାଉ କରାଯାଇଥିଲା। ଗତକାଲି ମଧ୍ୟ ଚଢ଼ାଉ ଜାରି ରହିଥିଲା। ଏହି ଚଢ଼ାଉ ବେଳେ ତାଙ୍କର ବହୁ ସଂପତ୍ତି ଠାବ କରିଥିଲା ଭିଜିଲାନ୍ସ, ଯାହା ତାଙ୍କ ଆୟ ତୁଳନାରେ ବେଶ୍ ଅଧିକ। ସେ ତାଙ୍କ ଆୟ ତୁଳନାରେ ୨୧୮% ଅଧିକ ସଂପତ୍ତି ଠୁଳ କରିଛନ୍ତି। 

ଶ୍ରୀ ନାୟକଙ୍କ ସମ୍ପତ୍ତି ମଧ୍ୟରେ ରହିଛି ୧୨୩ଟି ପ୍ଲଟ। ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଅଞ୍ଚଳରେ ରହିଛି ଏହିସବୁ ପ୍ଲଟ୍‌। ଏହି ୧୧୫ଟି ପ୍ଲଟ୍ ମଧ୍ୟରୁ ୫୮ଟି ଶ୍ରୀ ନାୟକଙ୍କ ନାଁରେ ଥିବା ବେଳେ ୪୩ଟି ତାଙ୍କ ପତ୍ନୀଙ୍କ ନାଁରେ, ୧୮ଟି ତାଙ୍କ ଦୁଇ ପୁଅଙ୍କ ନାଁରେ ଓ ୪ଟି ପ୍ଳଟ୍ ତାଙ୍କ ଝିଅଙ୍କ ନାଁରେ ରହିଛି।

Advertisment

ଶ୍ରୀ ନାୟକ ଓ ତାଙ୍କ ପରିବାର ଲୋକଙ୍କ ନାଁରେ ମିଶି ୧୨୩ଟି ପ୍ଲଟ୍ ଥିବା ବେଳେ ସରକାରଙ୍କୁ ଦେଇଥିବା ସମ୍ପତ୍ତି ତାଲିକାରେ ସେ ମାତ୍ର ୧୨ଟି ପ୍ଲଟ୍ ଥିବା ଉଲ୍ଲେଖ କରିଥିଲେ।

ଅନୁଗୋଳରେ ତାଙ୍କର ଏକ ୪ ମହଲା କୋଠା (୯୦୦୦ ବର୍ଗଫୁଟ୍‌) ଅଛି। ଛେଣ୍ଡିପଦାରେ ତାଙ୍କର ଦୁଇଟି ଫାର୍ମ ହାଉସ୍ ଅଛି। ୧ ଏକର ୫୦ ଡିସିମିଲ ଅଞ୍ଚଳରେ ପରିବ୍ୟାପ୍ତ ଏହି ଫାର୍ମ ହାଉସରେ ଏକ ଆଉଟ୍‌ ହାଉସ୍ (୧୪୩୨ ବର୍ଗଫୁଟ), ଅନ୍ୟ ଏକ ଘର (ପ୍ରାୟ ୩୧୪ ବର୍ଗଫୁଟ), ଏକ ପୋଖରୀ, ଦୁଇଟି ବୋର ୱେଲ ଓ ଗୋଟିଏ କୂଅ ଅଛି। ସେହିପରି ସେଠାରେ ଶତାଧିକ ନଡ଼ିଆ, କଦଳୀ ଓ ଆମ୍ବ ଗଛ ଲାଗିଛି। ସେହିପରି ଅନ୍ୟ ଫାର୍ମ ହାଉସ୍‌ଟି ନିର୍ମାଣାଧୀନ ରହିଛି। ସେଠାରେ ୯୮ଟି ନଡ଼ିଆ ଗଛ ଲାଗିଛି। ମାଛ ଚାଷ ପାଇଁ ଏକ ପୋଖରୀ ମଧ୍ୟ ଅଛି। 

ଡିଏଫଓ ଶ୍ରୀ ନାୟକଙ୍କ ଘରୁ ୨୦୦ ଗ୍ରାମ ସୁନା ଅଳଙ୍କାର ସହିତ ନଗଦ ୧୦.୨୫ ଲକ୍ଷ ଟଙ୍କା ଜବତ କରାଯାଇଛି। ବ୍ୟାଙ୍କ ଓ ବୀମା ବାବଦକୁ ୫୦.୩୮ ଲକ୍ଷ ଟଙ୍କା ସେ ଜମା ରଖିଛନ୍ତି। ତାଙ୍କର ୨ଟି ଚାରି ଚକିଆ ଓ ୨ଟି ଦୁଇ ଚକିଆ ଗାଡ଼ି ଅଛି। ତାଙ୍କର ୨୩.୮୦ ଲକ୍ଷ ଟଙ୍କାର ଘରକରଣା ଜିନିଷ ଠାବ କରାଯାଇଛି। 

ଚଢ଼ାଉ ବେଳେ ତାଙ୍କ ଘରୁ ମୂଲ୍ୟବାନ ଶାଗୁଆନ କାଠରେ ତିଆରି ମୂର୍ତ୍ତି ଓ ଆସବାବପତ୍ର ସହିତ ବନ୍ଧୁକ ଓ ଧନୁତର ଆଦି ମିଳିଥିଲା।

ଏତେ ସମ୍ପତ୍ତି ସେ କେମିତି ଠୁଳ କଲେ, ସେ ନେଇ ସନ୍ତୋଷଜନକ ଉତ୍ତର ଦେଇ ନ ପାରିବାରୁ ଭିଜିଲାନ୍ସ ତାଙ୍କୁ ଆଜି ଗିରଫ କରି କେନ୍ଦୁଝରର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରିଥିଲା।

ଭିଜିଲାନ୍ସ ପକ୍ଷରୁ ଏହି ମାମଲାରେ ଅଧିକ ତଦନ୍ତ ଜାରି ରହିଛି।

Odisha Vigilance
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe