Advertisment

ଲୋନ୍‌ ମଞ୍ଜୁର କରିବାକୁ ଲାଞ୍ଚ ନେଇ ଧରାପଡ଼ିଲେ ଜିଲ୍ଲା ଶିଳ୍ପ କେନ୍ଦ୍ରର ଜେନେରାଲ ମ୍ୟାନେଜର

ଲାଞ୍ଚ ନେଇ ଧରାପଡ଼ିବା ପରେ ଶ୍ରୀ ଦେହୁରୀଙ୍କ ତିନିଟି ଠିକଣାରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା।

author-image
Jitendra Garnayak
Bipin Kumar Dehuri

Bipin Kumar Dehuri

ସୁବର୍ଣ୍ଣପୁର ଜିଲ୍ଲା ଶିଳ୍ପ କେନ୍ଦ୍ରର ମହାପ୍ରବନ୍ଧକ (ଜେନେରାଲ ମ୍ୟାନେଜର) ବିପିନ କୁମାର ଦେହୁରୀଙ୍କୁ ଆଜି ବାନ୍ଧିଛି ଭିଜିଲାନ୍ସ। ଲୋନ୍ ମଞ୍ଜୁର କରି ଦେବାକୁ ଜଣେ ବ୍ୟକ୍ତିଙ୍କଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଇ ସେ ପଡ଼ିଛନ୍ତି ଭିଜିଲାନ୍ସ ଜାଲରେ।

Advertisment

ତରଭା ଅଞ୍ଚଳର ସୁନୀଲ ମିଶ୍ର ପ୍ରଧାନମନ୍ତ୍ରୀ ରୋଜଗାର ସୃଜନ କାର୍ଯ୍ୟକ୍ରମ (PMEGP)ରେ ଲୋନ୍ ପାଇଁ ଆବେଦନ କରିଥିଲେ। ତେବେ ଲୋନ୍ ମଞ୍ଜୁର କରି ଦେବା ପାଇଁ ଜିଲ୍ଲା ଶିଳ୍ପ କେନ୍ଦ୍ରର ମହାପ୍ରବନ୍ଧକ ବିପିନ କୁମାର ଦେହୁରୀ ତାଙ୍କୁ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ।

ଶ୍ରୀ ଦେହୁରୀ ଲାଞ୍ଚ ମାଗୁଥିବା ନେଇ ସୁନୀଲ ମିଶ୍ର ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ଭିଜିଲାନ୍ସର ଯୋଜନା ପ୍ରକାରେ ଆଜି ସୁନୀଲ ମିଶ୍ର ଜିଲ୍ଲା ଶିଳ୍ପ କେନ୍ଦ୍ରର ମହାପ୍ରବନ୍ଧକ ଶ୍ରୀ ଦେହୁରୀଙ୍କୁ ୫ ହଜାର ଟଙ୍କା ଲାଞ୍ଚ ଦେଇଥିଲେ। ଶ୍ରୀ ଦେହୁରୀ ଲାଞ୍ଚ ନେଉଥିବା ବେଳେ ତାଙ୍କୁ ଭିଜିଲାନ୍ସ ଅଧିକାରୀମାନେ ଧରିଥିଲେ। ତାଙ୍କଠାରୁ ସମସ୍ତ ଲାଞ୍ଚ ଅର୍ଥ ଜବତ କରାଯାଇଛି।

Advertisment

ଲାଞ୍ଚ ନେଇ ଧରାପଡ଼ିବା ପରେ ଶ୍ରୀ ଦେହୁରୀଙ୍କ ତିନିଟି ଠିକଣାରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା। ସେ ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ଅଭିଯୋଗରେ ଏହି ଚଢ଼ାଉ କରାଯାଇଛି। ଭିଜିଲାନ୍ସ ପକ୍ଷରୁ ଏହି ମାମଲାରେ ଅଧିକ ତଦନ୍ତ ଜାରି ରହିଛି।

Odisha Vigilance Vigilance Raid Vigilance Net