Advertisment

ଝିଅ ମୃତ୍ୟୁ ପରେ ମୁଣ୍ଡ ପିଟୁଛି ମା’; କହିଲା- ଯିଏ ନେଇଥିଲା, ସିଏ ଆସିଲେ ଉଠିବ ମୃତଦେହ

‘ମୋ’ ଝିଅ ୮ ମାସ ହେବ ଘରୁ ଚାଲି ଯାଇଥିଲା। ଗାଁର ଜଣେ ଯୁବକ ତାକୁ ନେଇ ଯାଇଥିଲା। ମାତ୍ର ଏବେ ତା’ ମୃତଦେହ ପାଇଲୁ। ତେଣୁ ସେ ଯାହା ସହ ଯାଇଥିଲା, ସେ ନ ଆସିବା ପର୍ଯ୍ୟନ୍ତ ଝିଅର ଶବ ପଡ଼ି ରହିବ ।’

author-image
Niharika Rout
ଅଦ୍ୟତନ ହୋଇଛି
Minor Girl Mother

Minor Girl Mother

‘ମୋ’ ଝିଅ ୮ ମାସ ହେବ ଘରୁ ଚାଲି ଯାଇଥିଲା। ଗାଁର ଜଣେ ଯୁବକ ତାକୁ ନେଇ ଯାଇଥିଲା। ମାତ୍ର ଏବେ ତା’ ମୃତଦେହ ପାଇଲୁ। ତେଣୁ ସେ ଯାହା ସହ ଯାଇଥିଲା, ସେ ନ ଆସିବା ପର୍ଯ୍ୟନ୍ତ ଝିଅର ଶବ ପଡ଼ି ରହିବ ।’ ନିଜ ଝିଅ ମୃତଦେହ ପାଖରେ ମୁଣ୍ଡ ପିଟି କାନ୍ଦୁଥିବା ଜଣେ ମହିଳା ଆଜି କୋହଭରା କଣ୍ଠରେ ଏପରି କହିଛନ୍ତି।

Advertisment

ଏପରି ଏକ ଘଟଣା ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଞ୍ଚଳରେ  ଘଟିଛି। ଉକ୍ତ ଗ୍ରାମର ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ସେହି ଗ୍ରାମର ୨୨ ବର୍ଷୀୟ ଗୌତମ ବେହେରା ୮ ମାସ ତଳେ ବାଙ୍ଗାଲୁରୁ ନେଇ ପଳାଇଥିବା ଅଭିଯୋଗ ହୋଇଛି। ଏନେଇ ନାବାଳିକାଙ୍କ ପରିବାର ପକ୍ଷରୁ ଧାମନଗର ଥାନାରେ ବି ଅଭିଯୋଗ ହୋଇଥିଲା।

ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଥିଲେ ବି ନାବାଳିକାଙ୍କ ସନ୍ଧାନ ପାଇ ପାରି ନ ଥିଲା। ଏନେଇ ନାବାଳିକାଙ୍କ ପରିବାର ଗୌତମଙ୍କ ପରିବାର ସଦସ୍ୟଙ୍କୁ ପଚରାଉଚରା କରିଥିବା ବେଳେ ତୁମ ଝିଅ ଆମ ପୁଅ ସହ ଯାଇନି ବୋଲି ସେମାନେ ସଫା ସଫା କହିଥିଲେ।

Advertisment

ମାତ୍ର ୨ ଦିନ ପୂର୍ବେ ଗୌତମଙ୍କ ପରିବାର ନାବାଳିକାଙ୍କ ଘରେ ପହଞ୍ଚି ତୁମ ଝିଅ ଅବସ୍ଥା ଗୁରୁତର ରହିଛି ଓ ସେ କଟକରେ ଚିକିତ୍ସିତ ହେଉଥିବା କହିଥିଲେ । ଖବର ପାଇ ନାବାଳିକାଙ୍କ ପରିବାର ମେଡିକାଲରେ ପହଞ୍ଚିବା ପରେ ଝିଅ ଆଖି ବୁଜିଥିବା କହିଛନ୍ତି ।

 ନାବାଳିକାଙ୍କୁ ଗୌତମ ବେହେରା ବାଙ୍ଗାଲୁର ନେଇ ଯାଇଥିବା ବେଳେ ସେଠାରେ ତାଙ୍କ ଦେହ ଭଲ ରହୁ ନ ଥିଲା। ଫଳରେ ସେ ତାଙ୍କୁ ଓଡ଼ିଶା ଆଣି ଯାଜପୁରରେ ଥିବା ନିଜ ସମ୍ପର୍କୀୟଙ୍କ ଘରେ ଛାଡ଼ିଥିଲେ। ସେଠାରେ ତାଙ୍କ ଚିକିତ୍ସା ଚାଲିଥିବା ବେଳେ ଅବସ୍ଥା ନ ସୁଧୁରିବାରୁ ଗୌତମଙ୍କ ପରିବାର ଲୋକେ ତାଙ୍କୁ କଟକ ମେଡିକାଲରେ ଭର୍ତ୍ତି କରିଥିଲେ । ମାତ୍ର ଅବସ୍ଥା ଗୁରୁତର ହେବାରୁ ଏନେଇ ସେମାନେ ନାବାଳିକାଙ୍କ ପରିବାରକୁ ଜଣାଇଥିଲେ। ମାତ୍ର ପରିଶେଷରେ ନାବାଳିକାଜଣକ ଆଖି ବୁଜିଥିବା ବିଶ୍ୱସ୍ତ ସୂତ୍ରରୁ ଜଣାଯାଇଛି। 

ତେବେ ଗତକାଲି ସନ୍ଧ୍ୟା ସମୟରେ ମୃତଦେହ ଗାଁରେ ପହଞ୍ଚିଥିଲା। ମାତ୍ର ଝିଅ ଘର ଲୋକେ ମୃତଦେହକୁ ସତ୍କାର ନ କରି ପୁଅ ଘର ସମ୍ମୁଖରେ ପକାଇ ରଖିଛନ୍ତି। ଯେଉଁ ପୁଅ ଆମ ଝିଅର ଏପରି ଅବସ୍ଥା କରିଛି, ସେ ପହଞ୍ଚିବା ପରେ ହିଁ ମୃତଦେହ ଉଠିବ ବୋଲି ସେମାନେ ରୋକଠୋକ ଶୁଣାଇ ଦେଇଛନ୍ତି।

ଧାମନଗର ପୁଲିସ ଗତକାଲିଠାରୁ ଶବକୁ ଜଗି ବସିଥିବା ବେଳେ  ଗୌତମ ଫେରାର ଅଛି । ମୃତଦେହଟି ପ୍ରାୟ ୧୭ ଘଣ୍ଟାରୁ ଅଧିକ ସମୟ ପଡ଼ି ରହିଥିବା ବେଳେ ଏହାର ସମାଧାନ ପାଇଁ ମାଜିଷ୍ଟ୍ରେଟ ଘଟଣାସ୍ଥଳରେ ପହଞ୍ଚିଥିବା ଜଣାଯାଇଛି। ଏହି ଘଟଣାର କିପରି ସମାଧାନ ହେବ ତାହା ଉପରେ ଗ୍ରାମବାସୀଙ୍କ ନଜର ରହିଛି।

Bhadrak Under Age Love