Advertisment

ମୃତଦେହ ପରିଚୟକୁ ନେଇ ଦ୍ୱନ୍ଦ୍ୱ, ହେବ ଡିଏନଏ ଟେଷ୍ଟ

ଜ୍ୟୋତି ରଞ୍ଜନ ମଲ୍ଲିକ ଓ ଦିଲୀପ ସମାନ୍ତରାୟଙ୍କ ପରିଚୟକୁ ନେଇ ଦେଖା ଦେଇଥିବା ଦ୍ୱନ୍ଦ୍ୱ ଦୂର ପାଇଁ ହେବ ଡିଏନଏ ଟେଷ୍ଟ ।

author-image
Niharika Rout
Police

Police

ଭୁବନେଶ୍ୱରସ୍ଥିତ ହାଇଟେକ୍ ମେଡ଼ିକାଲ ବିସ୍ଫୋରଣ ଘଟଣାରେ ଆଖି ବୁଜିଥିବା ଜ୍ୟୋତି ରଞ୍ଜନ ମଲ୍ଲିକ ଓ ଦିଲୀପ ସମାନ୍ତରାୟଙ୍କ ପରିଚୟକୁ ନେଇ ଦେଖା ଦେଇଥିବା ଦ୍ୱନ୍ଦ୍ୱ ଦୂର ପାଇଁ ହେବ ଡିଏନଏ ଟେଷ୍ଟ । ଉଭୟ ପରିବାର ମଧ୍ୟରେ ମୃତଦେହକୁ ନେଇ ବିବାହ ଉପୁଜିଲେ ଡିଏନଏ ଟେଷ୍ଟ ନିହାତି ହେବ ବୋଲି କହିଛନ୍ତି କମିଶନରେଟ ପୁଲିସ୍‌ ଅଧିକାରୀ।

Advertisment

ହାଇଟେକ୍‌ ମେଡିକାଲ କଲେଜରେ ଗତ ୨୯ ତାରିଖରେ ଘଟିଥିବା ଏସି ଗ୍ୟାସ ବିସ୍ଫୋରଣରେ ୪ ଜଣ ଗୁରୁତର ହୋଇଥିଲେ। ସେମାନଙ୍କ ମଧ୍ୟରୁ ଗତ ୩୦ ତାରିଖରେ ଜଣଙ୍କ ମୃତ୍ୟୁ ହୋଇଥିଲା। ଉକ୍ତ ମୃତଦେହ ଦିଲୀପ ସାମନ୍ତରାୟଙ୍କର ବୋଲି କହି ମେଡିକାଲ କର୍ତ୍ତୃପକ୍ଷ ପୁଲିସ୍‌କୁ ହସ୍ତାନ୍ତର କରିଥିଲେ। ବ୍ୟବଚ୍ଛେଦ ପରେ ପୁଲିସ୍‌ ମୃତଦେହକୁ ଦିଲୀପଙ୍କ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଥିଲା। ପରିବାରବର୍ଗ ୩୦ ତାରିଖରେ ଦିଲୀପଙ୍କ ମୃତଦେହ ସତ୍କାର କରିଥିବା ବେଳେ ନୂଆ ବର୍ଷ ଦିନ ତାଙ୍କ ପତ୍ନୀ ରଶି ଲଗାଇ ଆତ୍ମହତ୍ୟା କରିଥିଲେ।

ଏହାପରେ ହାଇଟେକ୍‌ ମେଡିକାଲରେ ଭେଣ୍ଟିଲେଟରରେ ଥିବା ଜଣେ ଯୁବକଙ୍କୁ ମେଡିକାଲ କର୍ତ୍ତୃପକ୍ଷ ଜ୍ୟୋତି ମଲ୍ଲିକ ବୋଲି କହୁଥିବା ବେଳେ ସେ ଗତ ଗୁରୁବାର ରାତିରେ ଭେଣ୍ଟିଲେଟରରୁ ବାହାରିଥିଲେ। ଏହାପରେ ସେ ନିଜ ପରିଚୟ ଦିଲୀପ ବୋଲି ଦେଇଥିବା ବେଳେ ଆରମ୍ଭ ହୋଇଥିଲା ଦ୍ୱନ୍ଦ୍ୱ । ପୁଅକୁ ଦେଖିବାକୁ ଦିଲୀପଙ୍କ ପରିବାର ଲୋକେ ଧାଇଁ ଆସିଥିବା ବେଳେ ଗତ ରାତିରେ କିନ୍ତୁ ତାଙ୍କ ମୃତ୍ୟୁ ଘଟିଛି।

Advertisment

ଏବେ ମୃତଦେହ କିଏ ନେବ ତାକୁ ନେଇ ଦ୍ୱନ୍ଦଦେଖାଦେଇଥିବା ବେଳେ ଘଟଣାର ସମାଧାନ ପାଇଁ ମେଡିକାଲ ପରିସରରେ ବରିଷ୍ଠ ପୁଲିସ୍‌ ଅଧିକାରୀ ପହଞ୍ଚିଛନ୍ତି। ଏନେଇ ତାଙ୍କୁ ପଚରାଯିବାରୁ, ଏହା ଏକ ଖୁବ୍‌ ଜଟିଳ ବିଷୟ ବୋଲି କହିଛନ୍ତି। ଏଥିସହ ଘଟଣାର ସମାଧାନ ପାଇଁ ଉଭୟଙ୍କ ପରିବାରବର୍ଗଙ୍କୁ ଡକାଯାଇଛି।

ଉଭୟ ପରିବାରଙ୍କ ମଧ୍ୟରେ ସହମତି ହୋଇ ନ ପାରିଲେ ନିଶ୍ଚିତ ଭାବେ ଏହି ମୃତଦେହର ଡିଏନଏ ଟେଷ୍ଟ ହେବ । ଏଥିସହ ପୂର୍ବ ମୃତଦେହର ଭିସେରା ସଂଗ୍ରହ କରାଯାଇଥିବା ବେଳେ ସେଥିରୁ ଡିଏନଏ ଟେଷ୍ଟ କରାଯାଇ ପାରିବ ବୋଲି ସେ କହିଛନ୍ତି।

ପରିଚୟ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିବା ବେଳେ ଯଥାସମ୍ଭବ ଆଇନଗତ ପଦକ୍ଷେପ ନେବୁ। ବ୍ୟବଚ୍ଛେଦ ରିପୋର୍ଟରେ ଉଭୟ ପରିବାରର ଦସ୍ତଖତ ରହିବ । ଏହାପରେ ବ୍ୟବଚ୍ଛେଦ ହେବ ତଥା ଏହା ଭିଡିଓଗ୍ରାଫି ମଧ୍ୟ ହେବ ବୋଲି ସେ କହିଛନ୍ତି ।

ଗତରାତିରେ ଆଖି ବୁଜିଥିବା ଯୁବକଜଣକ ମୋ’ ପୁଅ ଦିଲୀପ ବୋଲି ଦୃଢୋକ୍ତିର ସହ କହିଛନ୍ତି ତାଙ୍କ ମା’ । ତେଣୁ ସେ ନିଜ ପୁଅର ମୃତଦେହ ନେବାକୁ ମେଡିକାଲ ସମ୍ମୁଖରେ ପଡ଼ି ରହିଛନ୍ତି। ପୁଅ ମୃତଦେହ ନେବା ପରେ ସେ ସେଠାରୁ ଚାଲିଯିବେ ବୋଲି ବି କହିଛନ୍ତି। ଅପରପକ୍ଷେ, ଜ୍ୟୋତିଙ୍କ ପରିବାର ବି ଆଜି ମେଡିକାଲରେ ପହଞ୍ଚିଛନ୍ତି। ତେବେ ସେମାନଙ୍କ ଦାବି ଜଣା ପଡ଼ିନି।

Bhubaneswar