ଡାକ୍ତର ଦମ୍ପତି (ଫାଇଲ ଫଟୋ)
ଆନେସ୍ଥେସିଆ ସାଜିଲା ମୃତ୍ୟୁର କାରଣ। ଚିକିତ୍ସା ନାଁରେ ହତ୍ୟାକାରୀ ସାଜିଲେ ସ୍ୱାମୀ। ଡାକ୍ତରୀ ସ୍ୱାମୀ କ୍ୟୁରୋ ନାଁରେ କରିଛନ୍ତି କ୍ରାଇମ। ଅସୁସ୍ଥ ହୋଇ ପଡ଼ିଥିବା ପତ୍ନୀଙ୍କୁ ଫିଲ୍ମ ଷ୍ଟାଇଲରେ ମାରିଦେଇଛନ୍ତି ସ୍ୱାମୀ। ୬ ମାସ ତଳେ ଯାହାଙ୍କ ହାତ ଧରିଥିଲେ, ତା’କୁ ସବୁଦିନ ପାଇଁ ଶେଷ କରିଦେଇଛନ୍ତି ଜହ୍ଲାଦ ସ୍ୱାମୀ। ବାହାଘରର ୬ ମାସ ପରେ ଚିରନିଦ୍ରାରେ ଶୋଇଯାଇଛନ୍ତି ପତ୍ନୀ। ସ୍ୱାମୀଙ୍କ ଭଳି ସ୍ତ୍ରୀ ମଧ୍ୟ ଜଣେ ଡାକ୍ତର ଭାବେ କାମ କରୁଥିଲେ। କିନ୍ତୁ ସେ ସବୁଦିନ ପାଇଁ ପରପାରିକୁ ଚାଲି ଯାଇଛନ୍ତି।
ଉଭୟ ବେଙ୍ଗାଲୁରୁ(Bengaluru)ର ଭିକ୍ଟୋରିଆ ହସ୍ପିଟାଲରେ କାମ କରୁଥିଲା। ଅସୁସ୍ଥ ପତ୍ନୀଙ୍କୁ ଚିକିତ୍ସା ନାଁରେ ଆନେସ୍ଥେସିଆର ଓଭର ଡୋଜ ଦେଇ ସ୍ୱାମୀ ଜଣଙ୍କ ତାଙ୍କୁ ମାରି ଦେଇଛନ୍ତି। ପୂର୍ବରୁ ଯାହାକୁ ସାଧାରଣ ଅସୁସ୍ଥତା ଜନିତ ମୃତ୍ୟୁ ବୋଲି କୁହାଯାଉଥିଲା ଏବେ ଫରେନ୍ସିକ ଲ୍ୟାବ ରିପୋର୍ଟ ପରେ ଏହା ଏକ ଯୋଜନାବଦ୍ଧ ହତ୍ୟା ବୋଲି ପ୍ରମାଣିତ ହୋଇଛି।
ଚଳିତ ବର୍ଷ ଏପ୍ରିଲ ୨୪ରେ ଡେରମାଲୋଜଷ୍ଟି ଭାବେ କାମ କରୁଥିବା ୨୮ ବର୍ଷୀୟ କ୍ରିତିକା ଏମ ରେଡ୍ଡୀଙ୍କ ମୃତ୍ୟୁ ହୋଇଥିଲା। ଏବେ ପୁଲିସ୍ ତାଙ୍କ ସ୍ୱାମୀ ତଥା ୩୧ ବର୍ଷୀୟ ଡାକ୍ତର ମହେନ୍ଦ୍ର ରେଡ୍ଡୀଙ୍କୁ ଗିରଫ କରିଛି। ଫରେନ୍ସିକ ରିପୋର୍ଟରୁ କ୍ରିତିକାଙ୍କୁ ହତ୍ୟା କରାଯାଇଥିବା ଜଣା ପଡ଼ିବା ପରେ ପୁଲିସ ମହେନ୍ଦ୍ରଙ୍କୁ ଗିରଫ କରିଛି। କ୍ରିତିକାଙ୍କ ଭିସେରା ନମୁନାରୁ ଆନେସ୍ଥେସିଆ ମିଳିଛି।
ମହେନ୍ଦ୍ର ଓ କ୍ରିତିକା ୨୦୨୪ରେ ବିବାହ କରିଥିଲେ। ଅଭିଯୁକ୍ତ ମହେନ୍ଦ୍ର ଆଇଜିଓଟିରେ ସର୍ଜନ ଭାବେ କାର୍ଯ୍ୟ କରୁଥିଲେ। ସେ ପତ୍ନୀଙ୍କ ଗ୍ୟାସ ସମସ୍ୟାର ଚିକିତ୍ସା କରିବା ବେଳେ ଆନେସ୍ଥେସିଆର ଓଭର ଡୋଜ ଦେଇ ତାଙ୍କୁ ହତ୍ୟା କରିଥିଲେ। ବେଙ୍ଗାଲୁରୁ ପୁଲିସ୍ କମିଶନର ସୀମନ୍ତ କୁମାର ସିଂହ କହିଛନ୍ତି ଯେ ମୃତକଙ୍କ ଭିସେରା ରିପୋର୍ଟରୁ ପ୍ରୋପୋଫୋଲ ମିଳିଛି। ଏହାକୁ ସର୍ଜରୀ ସମୟରେ ବେଶ ସତର୍କତାର ସହ ରୋଗୀଙ୍କୁ ଅଚେତ କରିବାକୁ ଦିଆଯାଏ। ପ୍ରଥମେ ପୁଲିସ ଅସ୍ୱାଭାବିକ ମାମଲା ରୁଜୁ କରିଥିଲେ। ଏବେ ମୃତକଙ୍କ ବାପା କେ ମୁନି ରେଡ୍ଡୀ ତାଙ୍କ ଜ୍ୱାଇଁଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆଣିଛନ୍ତି।
ତଦନ୍ତରୁ ଜଣାପଡ଼ିଛି ଯେ ଏପ୍ରିଲ ୨୪ରେ ମହେନ୍ଦ୍ର ତାଙ୍କ ପତ୍ନୀ କ୍ରିତିକାଙ୍କୁ କାବେରୀ ହସ୍ପିଟାଲକୁ ନେଇଥିଲେ। ମୁନେକୋଲାଲ ଘରେ କ୍ରିତିକା ହଠାତ୍ ଅଚେତ ହୋଇଯାଇଥିବାରୁ ତାଙ୍କୁ ସେ ହସ୍ପିଟାଲ ଆଣିଥିବା କହିଥିଲେ। କିନ୍ତୁ ହସ୍ପିଟାଲରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ଡାକ୍ତରମାନେ କ୍ରିତିକାଙ୍କ ଶବକୁ ବ୍ୟବଚ୍ଛେଦ କରିବାକୁ ଚାହିଁଥିଲେ। କିନ୍ତୁ ମହେନ୍ଦ୍ର ହସ୍ପିଟାଲ ଓ ପୁଲିସ୍କୁ ଶବ ବ୍ୟବଚ୍ଛେଦ ନ କରିବାକୁ ଅନୁରୋଧ କରିଥିଲେ। ନିଜର ଶ୍ୱଶୁରଙ୍କୁ ମଧ୍ୟ ସମାନ କଥା ପୁଲିସକୁ କହିବାକୁ ପ୍ରବର୍ତ୍ତାଇଥିଲେ।
ତଥାପି ପୁଲିସ୍ କ୍ରିତିକାଙ୍କ ଶବ ବ୍ୟବଚ୍ଛେଦ କରିଥିଲା। ବାସ୍ତବରେ କ୍ରିତିକା ଦୀର୍ଘ ସମୟ ହେଲା ଗ୍ୟାସ ଜନିତ ସମସ୍ୟା ଦେଇ ଗତି କରୁଥିଲେ। ଏହାର ଚିକିତ୍ସା କରିବାକୁ ଚାହିଁଥିଲେ ମହେନ୍ଦ୍ର। ପତ୍ନୀ ସବୁବେଳେ ଅସୁସ୍ଥ ରହୁଥିବାରୁ ଏହାକୁ ପସନ୍ଦ କରୁ ନଥିଲେ ମହେନ୍ଦ୍ର। ବାହାଘର ପରେ କ୍ରିତିକାଙ୍କ ଅସୁସ୍ଥତା ସମ୍ପର୍କରେ ଜଣାପଡ଼ିବାରୁ ତାଙ୍କ ପରିବାର ଲୋକଙ୍କ ଉପରେ ମଧ୍ୟ ମହେନ୍ଦ୍ର ଅସନ୍ତୋଷ ପ୍ରକାଶ କରିଥିଲେ।
ଏହାପରେ ଅସୁସ୍ଥ ପତ୍ନୀଙ୍କୁ ସବୁଦିନ ପାଇଁ ନିଜ ରାସ୍ତାକୁ ହଟାଇ ଦେବାକୁ ସେ ଯୋଜନା କରିଥିଲେ। ହେଲେ ଅସୁସ୍ଥତା କାରଣୁ କ୍ରିତିକା ନିଜ ବାପାଙ୍କ ଘରୁ ଚାଲି ଯିବାରୁ ମହେନ୍ଦ୍ର ତାଙ୍କୁ ହତ୍ୟା କରିବାର ସୁଯୋଗ ପାଇ ନଥିଲେ। ହେଲେ ଚଳିତ ବର୍ଷ ଏପ୍ରିଲ ୨୨ ଓ ୨୩ରେ ସେ ନିଜ ଶ୍ୱଶୁର ଘରକୁ ଯାଇ ପତ୍ନୀଙ୍କ ଚିକିତ୍ସା ଆରମ୍ଭ କରିଥିଲେ। ଦୁଇ ଦିନ ଧରି ସେ ତାଙ୍କୁ କିଛି ଇଞ୍ଜେକସନ ଦେଇଥିଲେ। ଏହାକୁ ସେ ଚିକିତ୍ସାର ଅଂଶବିଶେଷ ବୋଲି କହିଥିଲେ। କିନ୍ତୁ ଇଞ୍ଜେକସନ ନେବାର ୨ ଦିନ ପରେ ଅର୍ଥାତ ଏପ୍ରିଲ ୨୩ରେ କ୍ରିତିକାଙ୍କ ମୃତ୍ୟୁ ହୋଇଥିଲା।
ଘଟଣାର ୬ ମାସ ପରେ ଫରେନ୍ସିକ ରିପୋର୍ଟ ମହେନ୍ଦ୍ରଙ୍କ ସବୁ ଗୁମର ଖୋଲି ଦେଇଛି। ଦୁଇ ଦିନ କାଳ ମହେନ୍ଦ୍ର ପତ୍ନୀଙ୍କୁ ଚିକିତ୍ସା ନାଁରେ ଆନେସ୍ଥେସିଆର ଓଭର ଡୋଜ ଦେଇଥିବାରୁ ତାଙ୍କର ମୃତ୍ୟୁ ହୋଇଥିବା ପୁଲିସ୍ ଜାଣିବାକୁ ପାଇଛି।
ଏହାପରେ ପୁଲିସ୍ ହତ୍ୟା ମାମଲା ରୁଜୁ କରି ମହେନ୍ଦ୍ରଙ୍କୁ ଗିରଫ କରିଛି। ଅଧିକ ତଦନ୍ତରୁ ଜଣାପଡ଼ିଛି ଯେ ମହେନ୍ଦ୍ରଙ୍କ ପରିବାର ଲୋକ ଅନେକ ଅପରାଧରେ ଜଡ଼ିତ। ତାଙ୍କ ଭାଇ ଡାକ୍ତର ନଗେନ୍ଦ୍ର ରେଡ୍ଡୀଙ୍କ ନାଁରେ ୨୦୧୮ରୁ ଏକାଧିକ ଠକେଇ ଓ ଅପରାଧିକ ଷଡ଼ଯନ୍ତ୍ର ମାମଲା ରହିଛି।
ମହେନ୍ଦ୍ର ଓ ତାଙ୍କର ଆଉ ଜଣେ ଭାଇ ରାଘବ କିଛି ଲୋକଙ୍କୁ ଧମକଚମକ(Crime) ଦେବାରେ ସାମିଲ ରହିଥିବା ଅଭିଯୋଗରେ ପୁଲିସ୍ ୨୦୨୩ରେ ମାମଲା କରିଥିଲା। କିନ୍ତୁ ବାହାଘର ପୂର୍ବରୁ କ୍ରିତିକା କିମ୍ବା ତାଙ୍କ ପରିବାର ଲୋକଙ୍କୁ ରେଡ୍ଡୀ ବ୍ରଦର୍ସ କିଛି ବି କହି ନଥିଲେ। ପୁଲିସ୍ ଏବେ ଘଟଣାର ଅଧିକ ତଦନ୍ତ କରୁଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2025/10/16/doctor-2025-10-16-15-52-10.jpg)