Advertisment

ପୁଣି ଧରାପଡ଼ିଲେ ଡାକ୍ତର ପୁଣ୍ୟଶ୍ଳୋକ ଦାସ, ବାନ୍ଧିଲା ପୁଲିସ୍

ଡାକ୍ତର ପୁଣ୍ୟଶ୍ଲୋକ ଦାସଙ୍କ ସହିତ ତାଙ୍କ ପତ୍ନୀ ଓ ୩ ଜଣ ଦଲାଲଙ୍କୁ ଗିରଫ କରିଛି କଟକ ମଙ୍ଗଳାବଗ ଥାନା ପୁଲିସ।

Doctor

Doctor

Advertisment

କଥାରେ ଅଛି- ମୋତେ ଯେତେ ମାଠିବୁ ମାଠ, ମୁଁ ସେଇ ଦରପୋଡ଼ା କାଠ। ଡାକ୍ତର ପୁଣ୍ୟଶ୍ଳୋକ ଦାସଙ୍କ ପାଇଁ ଏହା ସମ୍ପୂର୍ଣ୍ଣ ପ୍ରଯୁଜ୍ୟ। କାହିଁକି ନା ପୂର୍ବରୁ ଦୁଇ ଦୁଇ ଥର ବେଆଇନ ଲିଙ୍ଗ ନିରୂପଣ କରିବା ଅଭିଯୋଗରେ ଧରାପଡ଼ି ନିଲମ୍ବିତ ହେବା ସତ୍ତ୍ୱେ ପୁଣି ଚଲାଇଥିଲେ ଏହି ଘୃଣ୍ୟ କାମ। ଆଜି ତାଙ୍କୁ ଗିରଫ କରାଯାଇଛି। ଡାକ୍ତର ପୁଣ୍ୟଶ୍ଲୋକ ଦାସଙ୍କ ସହିତ ତାଙ୍କ ପତ୍ନୀ ଓ ୩ ଜଣ ଦଲାଲଙ୍କୁ ଗିରଫ କରିଛି କଟକ ମଙ୍ଗଳାବଗ ଥାନା ପୁଲିସ।

Advertisment

ଡାକ୍ତର ପୁଣ୍ୟଶ୍ଳୋକ ଦାସ କେବଳ ଏମ୍‌ବିବିଏସ୍‌ କରିଛନ୍ତି। ସେ ଦେବଗଡ଼ ସରକାରୀ ଡାକ୍ତରଖାନାରେ ନିଯୁକ୍ତ ହୋଇଛନ୍ତି। ଆଜି ସକାଳେ ସେ ତାଙ୍କ କଟକ ଫ୍ରେଣ୍ଡସ କଲୋନୀ ସ୍ଥିତ ଘରେ ଅଲଟ୍ରାସାଉଣ୍ଡ ମେସିନ୍ ସହାୟତରେ ବେଆଇନ ଲିଙ୍ଗ ନିରୂପଣ କାର୍ଯ୍ୟ କରୁଥିବା ବେଳେ ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍ ହାତରେ ଧରାପଡ଼ିଥିଲେ। ଚଢ଼ାଉ ବେଳେ ସ୍ୱାସ୍ଥ୍ୟ ବିଭାଗ ଟିମ୍ ସହିତ ଉପ-ଜିଲ୍ଲାପାଳ ମଧ୍ୟ ଉପସ୍ଥିତ ଥିଲେ।

ତାଙ୍କ ଘରୁ ଅଲଟ୍ରାସାଉଣ୍ଡ ମେସିନ, ଲିଙ୍ଗ ନିରୂପଣରେ ବ୍ୟବହୃତ ଅନ୍ୟାନ୍ୟ ଆବଶ୍ୟକ ସରଞ୍ଜାମ, ଏକ ଟଙ୍କା ଭର୍ତ୍ତି ବ୍ୟାଗ ଓ ଗର୍ଭପାତ ଔଷଧ ଆଦି ଜବତ କରାଯାଇଥିଲା। ତାଙ୍କ ସହିତ ୩ ଜଣ ଦଲାଲ ଓ ଜଣେ ଗର୍ଭବତୀଙ୍କୁ ଧରିଥିଲା ସ୍ୱାସ୍ଥ୍ୟ ବିଭାଗର ଟିମ୍।

Advertisment

ସ୍ୱାସ୍ଥ୍ୟ ବିଭାଗର ଅଧିକାରୀଙ୍କ କହିବା ଅନୁଯାୟୀ, ଜଣେ ଏମବିବିଏସ ଡାକ୍ତର ଅଲଟ୍ରାସାଉଣ୍ଡ ମଧ୍ୟ କରିପାରିବ ନାହିଁ। କିନ୍ତୁ ଡାକ୍ତର ପୂନ୍ୟଶ୍ଳୋକ ବେଆଇନ ଭାବେ ଘରେ କ୍ଲିନିକ ଖୋଲି ଲିଙ୍ଗ ନିରୂପଣ କାର୍ଯ୍ୟ କରୁଥିଲେ। କେବଳ ଏଠି ନୁହେଁ, ଏହି ମେସିନକୁ ସେ ଅନ୍ୟତ୍ର ମଧ୍ୟ ନେଇ ଯାଉଥିଲେ। ସୁଟକେସ୍‌ ଭଳି ଦେଖାଯାଉଥିବା ଏକ ବ୍ୟାଗରେ ସେ ଏହି ମେସିନ ନେଇ ଅନ୍ୟତ୍ର ଲିଙ୍ଗ ନିରୂପଣ କରୁଥିଲେ। ଫଳରେ କେହି ସନ୍ଦେହ ମଧ୍ୟ କରୁ ନଥିଲେ।

ପୂର୍ବରୁ ଦୁଇ ଥର ଧରାପଡ଼ି ସେ ମୁକିଳି ଯାଇଥିବା ବେଳେ ଏଥର ସ୍ୱାସ୍ଥ୍ୟ ବିଭାଗ ତାଙ୍କ ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ତାଙ୍କ ନାଁରେ ମଙ୍ଗଳାବାଗ ଥାନାରେ ଏତଲା ଦିଆଯିବା ପରେ ପୁଲିସ ତାଙ୍କୁ ଗିରଫ କରିଛି। ତାଙ୍କ ଡାକ୍ତରୀ ଲାଇସେନ୍ସ ରଦ୍ଦ ପାଇଁ ମଧ୍ୟ ପଦକ୍ଷେପ ନିଆଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

ଅନ୍ୟପକ୍ଷରେ ଡାକ୍ତର ପୁଣ୍ୟଶ୍ଳୋକ ଦାସ ତାଙ୍କ ବିରୋଧରେ ଆସିଥିବା ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଅଲଟ୍ରାସାଉଣ୍ଡ ମେସିନ୍‌ଟି ବହୁ ପୁରୁଣା। ତାହା ତାଙ୍କ ଘରେ ରହିଯାଇଥିବା ସେ କହିଛନ୍ତି। ସେହିପରି ତାଙ୍କ ଘରକୁ କେହି ଲିଙ୍ଗ ନିରୂପଣ କରିବା ପାଇଁ ଆସି ନଥିଲେ ବୋଲି ସେ ଗଣମାଧ୍ୟମ ଆଗରେ କହିଥିଲେ।

କେବଳ ଡାକ୍ତର ପୁନ୍ୟଶ୍ଳୋକ ଦାସ ନୁହନ୍ତି, ଆଉ କିଛି ଡାକ୍ତରଙ୍କ ବିରୋଧରେ ଏଭଳି ଅଭିଯୋଗ ରହିଛି। ଏହାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବା ଦରକାର ବୋଲି ସାଧାରଣରେ ଆଲୋଚନା ହେଉଛି।

Doctor Doctor Arrested
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe